ଡେସ୍କ: ପାକିସ୍ତାନ ଏବଂ ଚୀନର ନାମ ନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ କେତେକ ଦେଶ ଆତଙ୍କବାଦକୁ ସେମାନଙ୍କ ବୈଦେଶିକ ନୀତିର ଅଂଶ ଭାବରେ ସମର୍ଥନ କରୁଥିବା ବେଳେ କେତେକ ଦେଶ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି।
ଆତଙ୍କବାଦକୁ ସମର୍ଥନ କରୁଥିବା ଦେଶଗୁଡିକ ଉପରେ ଆର୍ଥିକ ଉତ୍ତରଦାୟିତ୍ୱ ଲାଗୁ କରିବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ତୃତୀୟ ‘ଆତଙ୍କବାଦ ନିମନ୍ତେ ପାଣ୍ଠି ଯୋଗାଣ ବିରୋଧୀ ମନ୍ତ୍ରୀ ସମ୍ମିଳନୀ’କୁ ସମ୍ବୋଧିତ କରିଛନ୍ତି। ସ୍ୱରାଷ୍ଟ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏହି ସମ୍ମିଳନୀରେ ୭୫ରୁ ଅଧିକ ଦେଶ ତଥା ଆନ୍ତର୍ଜାତୀୟ ସଂଗଠନର ୪୫୦ ଜଣ ପ୍ରତିନିଧୀ ଯୋଗ ଦେଇଛନ୍ତି। ସୂଚନା ଅନୁଯାୟୀ ଯେ ଚୀନ୍ ଆମନ୍ତ୍ରିତ ହୋଇଥିବା ବେଳେ ପାକିସ୍ତାନ ଏବଂ ଆଫଗାନିସ୍ତାନ ଏହି ସମ୍ମିଳନୀରେ ଭାଗ ନେଉନାହାଁନ୍ତି।
ଗତ ଦୁଇ ଦଶନ୍ଧି ମଧ୍ୟରେ ଭାରତ ବାରମ୍ବାର ପାକିସ୍ତାନୀ ଭିତ୍ତିକ ଲଶ୍କର-ଏ-ତୋଏବା ଏବଂ ଜେଶ-ଏ-ମହମ୍ମଦ ନେତାଙ୍କୁ ଜାତିସଂଘ ସୁରକ୍ଷା ପରିଷଦର ୧୨୬୭ କମିଟି ତାଲିକାରେ ଅନ୍ତର୍ଭୁକ୍ତ କରିବାକୁ ଚେଷ୍ଟା କରିଛି କିନ୍ତୁ ଚୀନ୍ ଦ୍ୱାରା ଏହି ପ୍ରସ୍ତାବକୁ ଭିଟୋ ପ୍ରୟୋଗ କରାଯାଇ ବନ୍ଦ କରାଯାଇଛି।



