ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକାଦଶ ବ୍ରିକ୍ସ ଶିଖର ବୈଠକରେ ଯୋଗଦେବାକୁ ବ୍ରାଜିଲ ଅଭିମୁଖେ ଯାତ୍ରା କରିଛନ୍ତି। ବ୍ରାଜିଲ୍, ରୁଷିଆ, ଭାରତ, ଚୀନ୍ ଏବଂ ଦକ୍ଷିଣ ଆଫ୍ରିକାକୁ ନେଇ ବ୍ରିକ୍ସ ଗଠିତ। ଏହି ବ୍ରିକ୍ସ ଶିଖର ବୈଠକର ଶୀର୍ଷକ ‘ନୂତନ ଭବିଷ୍ୟତ ପାଇଁ ଅର୍ଥନୈତିକ ଅଭିବୃଦ୍ଧି’ ରହିଛି। ମୋଦୀ ଷଷ୍ଠଥର ପାଇଁ ବ୍ରିକ୍ସ ଶିଖର ବୈଠକରେ ଯୋଗଦେଉଛନ୍ତି। ବ୍ରାଜିଲ୍ ଯାତ୍ରା ପୂର୍ବରୁ ଏକାଧିକ ଟ୍ୱିଟରରେ ମୋଦୀ କହିଛନ୍ତି, ବ୍ୟାପକ କ୍ଷେତ୍ରରେ ବୃହତର ସହଯୋଗ ନେଇ ସେ ବ୍ରିକ୍ସ ନେତାମାନଙ୍କ ସହ ଆଲୋଚନା କରିବେ। ୧୩ ଓ ୧୪ ତାରିଖରେ ବ୍ରାଜିଲରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ ଶିଖର ବୈଠକରେ ସେ ଅଂଶଗ୍ରହଣ କରିବେ। ଏହି ବୈଠକ ଅବସରରେ ସେ ବ୍ରିକ୍ସ ବ୍ୟବସାୟିକ ଫୋରମ ଏବଂ ବ୍ରିକ୍ସ ବ୍ୟବସାୟିକ ପରିଷଦ ଏବଂ ନ୍ୟୁ ଡେଭଲପମେଣ୍ଟ ବ୍ୟାଙ୍କ୍ ସମ୍ପର୍କରେ ଆଲୋଚନା କରିବେ।
ବ୍ରିକ୍ସ ରାଷ୍ଟ୍ର ସହ ଅର୍ଥନୈତିକ କାରବାର ବୃଦ୍ଧି ସମ୍ପର୍କରେ ମଧ୍ୟ ସେ ଆଲୋଚନା କରିବେ। ସେ କହିଛନ୍ତି, ବ୍ରାଜିଲ୍ ଗସ୍ତ ଅବସରରେ ଭାରତ-ବ୍ରାଜିଲ୍ ରଣନୀତିକ ସହଯୋଗ ବୃଦ୍ଧି ସମ୍ପର୍କରେ ରାଷ୍ଟ୍ରପତି ଜାଇର୍ ଏମ୍. ବୋଲସୋର୍ଣ୍ଣ ସହ ଆଲୋଚନା କରିବା ପାଇଁ ତାଙ୍କୁ ସୁଯୋଗ ମିଳିବ। କୃଷି, ପ୍ରତିରକ୍ଷା, ଶକ୍ତି ଏବଂ ବାଣିଜ୍ୟ କାରବାର ନେଇ ଦୁଇ ଦେଶ ମଧ୍ୟରେ ବ୍ୟାପକ ସୁଯୋଗ ରହିଛି। ସେ ନେଇ ମଧ୍ୟ ଆଲୋଚନା କରିବେ ବୋଲି ସେ କହିଛନ୍ତି। ଆମ ସମ୍ବାଦଦାତା ଜଣାଇଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ସହ ଭାରତରୁ ବ୍ୟବସାୟୀମାନଙ୍କର ଏକ ବଡ଼ ପ୍ରତିନିଧି ଦଳ ବ୍ରିକ୍ସ ବ୍ୟବସାୟିକ ଫୋରମରେ ଯୋଗଦେବେ। ଏହି ଫୋରମରେ ୫ଟି ଯାକ ସଦସ୍ୟ ଦେଶର ଶିଳ୍ପପତିମାନଙ୍କ ପ୍ରତିନିଧିମାନେ ଯୋଗଦେବେ।



