ଯେତେବେଳେ କ୍ଷମତା ସେବାରେ ପରିଣତ ହୁଏ, ରାଷ୍ଟ୍ର ନିର୍ମାଣ ହୁଏ – ମୋଦୀ
ଯେତେବେଳେ କ୍ଷମତା ସେବାରେ ପରିଣତ ହୁଏ, ରାଷ୍ଟ୍ର ନିର୍ମାଣ ହୁଏ; କ୍ଷମତାକୁ ଐତିହ୍ୟରେ ପରିଣତ କରାଗଲେ ଗଣତନ୍ତ୍ରର ଅନ୍ତ ଘଟିଥାଏ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ମୋ ପାଇଁ ଗୋଟିଏ ଏଆଇ (AI) ଯଥେଷ୍ଟ ନୁହେଁ, ଏହା ଦୁଇଟି ଏଆଇ, ଯାହା ଭାରତର ଦୁଇଗୁଣ କ୍ଷମତାକୁ ବୁଝାଉଛି। ଗୋଟିଏ ଏଆଇ ହେଉଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ଅନ୍ୟଟି ହେଉଛି- ଆକାଂକ୍ଷୀ ଭାରତ ବା ଆସ୍ପିରେସନାଲ ଇଣ୍ଡିଆ। ପ୍ରଧାନମନ୍ତ୍ରୀ କହିଛନ୍ତି, ସମ୍ବିଧାନରେ ଥିବା ବ୍ୟବସ୍ଥା ସହିତ ସମ୍ବିଧାନର ଏକ ଭାବନା ମଧ୍ୟ ରହିଛି। ସମ୍ବିଧାନକୁ ସୁଦୃଢ଼ କରିବାକୁ ହେଲେ ସମ୍ବିଧାନର ଭାବନାକୁ ବଞ୍ଚାଇବାକୁ ପଡ଼ିବ। ଯେତେବେଳେ କ୍ଷମତା ସେବାରେ ପରିଣତ ହୁଏ, ରାଷ୍ଟ୍ର ନିର୍ମାଣ ହୁଏ; କ୍ଷମତାକୁ ଐତିହ୍ୟରେ ପରିଣତ କରାଗଲେ ଗଣତନ୍ତ୍ରର ଅନ୍ତ ଘଟିଥାଏ। ଆମେ ସମ୍ବିଧାନର ମହାନତା ଜାଣିଛୁ, ଆମେ ସମ୍ବିଧାନ ପ୍ରତି ସମର୍ପିତ, ସେଥିପାଇଁ ଆମେ ଦୃଢ଼ ନିଷ୍ପତ୍ତି ମଧ୍ୟ ନେଇଥାଉ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଆମେ ଯେଉଁ ମଡେଲ ଗ୍ରହଣ କରିଛୁ, ସେଥିରେ ସଂଚୟ ହେଉଛି, ଲୋକଙ୍କ ପାଇଁ ଖର୍ଚ୍ଚ ହେଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ୨୦୧୩-୧୪ରେ କେବଳ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଟିକସମୁକ୍ତ ଥିବା ବେଳେ ଆଜି ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଟିକସମୁକ୍ତ ରହିଛି। ୨୦୧୪ରୁ ଦେଶର ଯୁବବର୍ଗଙ୍କ ଆକାଂକ୍ଷା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ଫଳରେ ଆମ ଯୁବପିଢ଼ି ଏବେ ପ୍ରତ୍ୟେକ କ୍ଷେତ୍ରରେ ସଫଳତାର ଶୀର୍ଷରେ ପହଂଚୁଛନ୍ତି।
ସେ କହିଛନ୍ତି, ରାଷ୍ଟ୍ରପତିଙ୍କ ସମ୍ବୋଧନ ବିକଶିତ ଭାରତର ସଂକଳ୍ପକୁ ଦୃଢ଼ତା ଦେବା, ନୂଆ ବିଶ୍ୱାସ ତିଆରି କରିବା ଏବଂ ଜନସାଧାରଣକୁ ପ୍ରେରିତ କରିବାକୁ ସାହାଯ୍ୟ କରିଛି। ସେ କହିଛନ୍ତି, ଆମେ ଗରିବଙ୍କୁ ମିଥ୍ୟା ପ୍ରତିଶୃତି ଦେଇନୁ, ବରଂ ବିକାଶ ଦେଇଛୁ। ଗରିବଙ୍କ ଦୁଃଖ, ସାଧାରଣ ମାନବର ସମସ୍ୟା, ମଧ୍ୟମ ବର୍ଗର ସ୍ୱପ୍ନକୁ ଏମିତି ବୁଝାଯାଏ ନାହିଁ ବୋଲି ସେ କହିଛନ୍ତି। ଏସବୁ ବୁଝିବା ଓ ଅନୁଭବ କରିବା ପାଇଁ ସେତିକି ଆଗ୍ରହ ଆବଶ୍ୟକ।
ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାର ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତର ଦେବା ଅବସରରେ ଏହା କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମରୁ ହିଁ ନାମ ନ ନେଇ କଂଗ୍ରେସକୁ ସମାଲୋଚନା କରିବା ଆରମ୍ଭ କରିଥିଲେ। ସେ କହିଥିଲେ ଯେ ରାଷ୍ଟ୍ରପତି ନିଜ ଅଭିଭାଷଣରେ ଆସନ୍ତା ୨୫ ବର୍ଷର ବିକାଶର ବାର୍ତ୍ତା ଦେଇଥିଲେ। ବିରୋଧୀ କଂଗ୍ରେସର ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ‘ବୋରିଂ’ ପ୍ରସଙ୍ଗକୁ ସମାଲୋଚନା କରି ଶ୍ରୀ ମୋଦୀ କହିଛନ୍ତି ଯେ ସେମାନଙ୍କୁ ଦେଶବାସୀଙ୍କ ବିକାଶର କଥା ସବୁବେଳେ ବୋରିଂ ଲାଗେ।
Comments are closed.