ଜ୍ୟୋତି, ଅଦିତି ଓ ପ୍ରଣୀତଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ବିଶ୍ବ ତୀରନ୍ଦାଜୀ ଚମ୍ପିଆନସିପ୍
ନୂଆଦିଲ୍ଲୀ : ବିଶ୍ୱ ତୀରନ୍ଦାଜୀ ଚାମ୍ପିୟନସିପ୍ରେ ସ୍ୱର୍ଣ୍ଣ ପଦକ ହାସଲ କରି ଇତିହାସ ସୃଷ୍ଟି କରିଥିବା ଭାରତୀୟ ତୀରନ୍ଦାଜୀ ଦଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଓ ଅଭିନ୍ଦନ ଜଣାଇଛନ୍ତି। ଏକ ଟ୍ୱିଟ୍ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି ଏହା ଭାରତ ପାଇଁ ଏକ ଗୌରବର ମୁହୂର୍ତ୍ତ । ପ୍ରତିଯୋଗୀମାନଙ୍କ କଠିନ ପରିଶ୍ରମ ଏବଂ ଉତ୍ସର୍ଗୀକୃତ ମନୋଭାବ ଏହି ବିଜୟ ଆଣିଦେଇଛି ।
ସୂଚନାଯୋଗ୍ୟ ଜର୍ମାନୀର ବର୍ଲିନରେ ଆୟୋଜିତ ବିଶ୍ବ ତୀରନ୍ଦାଜୀ ଚମ୍ପିଆନସିପରେ ଭାରତ ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଛି । ମହିଳା ଦଳଗତ କମ୍ପାଉଣ୍ଡ ବିଭାଗରେ ଜ୍ୟୋତି ସୁରେଖା ବର୍ମା, ଅଦିତି ସ୍ବାମୀ ଓ ପ୍ରଣୀତ କୌର ଫାଇନାଲରେ ମେକ୍ସିକୋକୁ ୨୩୫- ୨୨୯ ପଏଣ୍ଟରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଇଟାଲି ପ୍ରଶିକ୍ଷକ ସର୍ଗିତ ପାଙ୍ଗିଙ୍କ ପ୍ରଶିକ୍ଷଣରେ ଭାରତୀୟ ମହିଳା ତୀରନ୍ଦାଜୀ ଦଳ ଏହି ସଫଳତା ପାଇଛନ୍ତି। ଜ୍ୟୋତି ସୁରେଖା ବର୍ମା,ଅଦିତି ସ୍ବାମୀ ଓ ପ୍ରଣୀତ କୌର ୫୯-୫୭, ୫୯-୫୮, ୫୯-୫୭ ଓ ୫୮-୫୭ରେ ଜିତିବାରେ ସଫଳ ହୋଇଥିଲେ। ଭାରତୀୟ ଦଳ ପ୍ରଥମରୁ ଦୁଇ ପଏଣ୍ଟ, ଦ୍ବିତୀୟରେ ୧ , ୩ୟରେ ୨ ଓ ୪ର୍ଥରେ ୧ ପଏଣ୍ଟ ହାସଲ କରିଥିଲେ। ୧୭ ବର୍ଷୀୟା ଅଦିତି ନିକଟରେ ୧୮ ବର୍ଷରୁ କମ୍ ବିଶ୍ବ ତୀରନ୍ଦାଜୀ ପ୍ରତିଯୋଗିତାର ବ୍ୟକ୍ତିଗତ ବିଭାଗରେ ସ୍ବର୍ଣ୍ଣ ପଦକ ଜିତିଥିଲେ।୧୮ ବର୍ଷୀୟା ପ୍ରଣୀତ ୨୦୨୧ରେ ୧୮ ବର୍ଷରୁ କମ୍ ଓ ୨୦୨୩ରେ ୨୧ ବର୍ଷରୁ କମ୍ ବିଶ୍ବ ତୀରନ୍ଦାଜୀ ଚମ୍ପିଆନସିପରେ ସ୍ବର୍ଣ୍ଣ ପଦକ ଜିତିଥିଲେ । ୨୭ ବର୍ଷୀୟା ସୁରେଖାଙ୍କ ଏହା ପ୍ରଥମ ସ୍ବର୍ଣ୍ଣ ପଦକ। ୨୦୨୧ରେ ଜ୍ୟୋତି ବ୍ୟକ୍ତିଗତ ମହିଳା ଓ ଦଳଗତ ବିଭାଗରେ ବିଶ୍ବ ତୀରନ୍ଦାଜୀରେ ଦୁଇଟି ରୌପ୍ୟ ପଦକ ଜିତିଥିଲେ।
Comments are closed.