ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ମୋଦୀଙ୍କ ଅଧ୍ୟକ୍ଷତା ; ସାମୁଦ୍ରିକ ବିବାଦ ତୁଟାଅ
ନୂଆଦିଲ୍ଲୀ : ସାମୁଦ୍ରିକ ପଥକୁ ଆତଙ୍କବାଦୀ ଓ ଜଳଦସ୍ୟୁଙ୍କ ଅପବ୍ୟବହାରରୁ ମୁକ୍ତ କରିବା ପୂର୍ବକ ସାମୁଦ୍ରିକ ସୁରକ୍ଷାକୁ ନିଶ୍ଚିତ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ରାଷ୍ଟ୍ରଙ୍କ ସହଯୋଗ ଲୋଡିଛନ୍ତି। ସୋମବାର ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍ଏସ୍ସି)ର ‘ସାମୁଦ୍ରିକ ସୁରକ୍ଷା ବୃଦ୍ଧି ଓ ଆନ୍ତର୍ଜାତିକ ସହଯୋଗ’ ପ୍ରସଙ୍ଗରେ ଆୟୋଜିତ ଉଚ୍ଚସ୍ତରୀୟ ଆଲୋଚନା ଚକ୍ରରେ ଅଧ୍ୟକ୍ଷତା କରି ମୋଦୀ ଏହା କହିଛନ୍ତି। ଆଭାସି ମାଧ୍ୟମରେ ଆୟୋଜିତ ଆଲୋଚନା ଚକ୍ରରେ ମୋଦୀ କହିଛନ୍ତି ଯେ ସାମୁଦ୍ରିକ ସୀମାକୁ ନେଇ ରହିଥିବା ଆନ୍ତର୍ଜାତିକ ବିବାଦଗୁଡିକୁ ଆନ୍ତର୍ଜାତିକ ଆଇନ ଆଧାରରେ ଆପୋସ ସମାଧାନ କରାଯାଉ। ବିବାଦର ସମାଧାନ କ୍ଷେତ୍ରରେ ସବୁଠାରୁ ବଡ ପ୍ରସଙ୍ଗ ହେଉଛି ପାରସ୍ପରିକ ବିଶ୍ବାସ। ପରସ୍ପର ପ୍ରତି ବିଶ୍ବାସଭାଜନ ହୋଇପାରିଲେ ବିଶ୍ବରେ ଶାନ୍ତି ଓ ସ୍ଥିରତା ଆସିପାରିବ। ମୋଦୀ କହିଛନ୍ତି ଯେ ସାମୁଦ୍ରିକ ବାଣିଜ୍ୟ କାରବାରରେ କୌଣସି ପ୍ରତିବନ୍ଧକ ରହିବା ଉଚିତ୍ ନୁହେଁ। ଏହାଦ୍ବାରା ବିଶ୍ବ ଅର୍ଥନୀତି ପ୍ରଭାବିତ ହେବ। କାରଣ ସାମୁଦ୍ରିକ ପଥ ଆନ୍ତର୍ଜାତିକ ବାଣିଜ୍ୟ କାରବାରର ଜୀବନ ରେଖା। ସେ କହିଛନ୍ତି ଯେ ସାମୁଦ୍ରିକ ଯୋଗାଯୋଗ ବୃଦ୍ଧିକୁ ପ୍ରତ୍ୟେକଟି ରାଷ୍ଟ୍ର ପ୍ରୋତ୍ସାହନ ଦେବା ଦରକାର। ସାମୁଦ୍ରିକ ପଥରେ ରହିଥିବା ବିପଦଗୁଡିକୁ ସମସ୍ତ ରାଷ୍ଟ୍ର ମିଳିତ ଭାବେ ମୁକାବିଲା କରିବା ଦରକାର। ଆତଙ୍କବାଦ ଓ ଜଳଦସ୍ୟୁମାନେ ସାମୁଦ୍ରିକ ପଥକୁ ଅପବ୍ୟବହାର ପୂର୍ବକ ଆନ୍ତର୍ଜାତିକ ବାଣିଜ୍ୟ କାରବାର କ୍ଷେତ୍ରରେ ବିପଦ ସାବ୍ୟସ୍ତ ହୋଇଛନ୍ତି। ତେଣୁ ଏହି ବିପଦକୁ ସମସ୍ତ ରାଷ୍ଟ୍ର ମିଳିତ ଭାବେ ମୁକାବିଲା କରିବା ଦରକାର। ସାମୁଦ୍ରିକ ପରିବେଶର ସୁରକ୍ଷା ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି। ମୋଦୀ କହିଛନ୍ତି ଯେ ସାମୁଦ୍ରିକ ସୁରକ୍ଷା କ୍ଷେତ୍ରରେ ଭାରତ ଅନେକ ପଦକ୍ଷେପ ନେଇଛି। ସାଗର ଯୋଜନାରେ ଭାରତ ସରକାର ସାମୁଦ୍ରିକ କ୍ଷେତ୍ରକୁ ସୁରକ୍ଷିତ, ନିରାପଦ ଓ ସ୍ଥିର ରଖିବାକୁ କାର୍ଯ୍ୟ କରୁଛନ୍ତି। ସେହିପରି ଜଳବାୟୁ ପରିବର୍ତ୍ତନ ଯୋଗୁଁ ସାମୁଦ୍ରିକ କ୍ଷେତ୍ରରେ ଯେଉଁ ପ୍ରାକୃତିକ ବିପର୍ଯ୍ୟୟ ଦେଖାଯାଉଛି ତାକୁ ମଧ୍ୟ ମୁକାବିଲା କରିବା ଉପରେ ମୋଦୀ ଗୁରୁତ୍ବାରୋପ କରିଛନ୍ତି।
ମୋଦୀ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ସୁରକ୍ଷା ପରିଷଦ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକରେ ସୁରକ୍ଷା ପରିଷଦ ସଦସ୍ୟ ରାଷ୍ଟ୍ର ମୁଖ୍ୟ ଓ ପ୍ରତିନିଧିମାନେ ଯୋଗ ଦେଇଥିଲେ। ଧାରାବାହିକ ପରିବର୍ତ୍ତନ କ୍ରମରେ ଅଗଷ୍ଟ ୧ରୁ ଭାରତକୁ ୟୁଏନ୍ଏସସିର ଅଧ୍ୟକ୍ଷ ପଦ ଭାର ଗ୍ରହଣ ମିଳିଛି। ଭାରତର ଏହି ଅଧ୍ୟକ୍ଷତା କାର୍ଯ୍ୟକାଳ ଏକମାସ ପାଇଁ ରହିବ। ସୁରକ୍ଷା ପରିଷଦରେ ଭାରତ ସମେତ ୧୦ଟି ରାଷ୍ଟ୍ର ଅସ୍ଥାୟୀ ସଦସ୍ୟ ରହିଥିବାବେଳେ ଚୀନ, ଫ୍ରାନ୍ସ, ରୁଷ, ବ୍ରିଟେନ ଓ ଆମେରିକା ସ୍ଥାୟୀ ସଦସ୍ୟ ଅଛନ୍ତି। ଭାରତକୁ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟତା ମାତ୍ର ୨ବର୍ଷ ପାଇଁ ମିଳିଛି। ଏହି ସଦସ୍ୟତାର ଅବଧି ୨୦୨୧ ଜାନୁଆରୀ ୧ରୁ ଆରମ୍ଭ ହୋଇଛି।
Comments are closed.