www.samajalive.in
Sunday, December 14, 2025
16.1 C
Bhubaneswar

ଗୋଆରେ ୩୭ତମ ଜାତୀୟ କ୍ରୀଡ଼ାକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ପଣଜୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଗୋଆର ମଡ଼ଗାଓ ସ୍ଥିତ ପଣ୍ଡିତ ଜବାହରଲାଲ ନେହରୁ ଷ୍ଟାଡିୟମରେ ୩୭ତମ ଜାତୀୟ କ୍ରୀଡ଼ାକୁ ଉଦଘାଟନ କରିଛନ୍ତି । ଅକ୍ଟୋବର ୨୬ରୁ ନଭେମ୍ବର ୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି କ୍ରୀଡ଼ାରେ ଦେଶର ୧୦,୦୦୦ରୁ ଅଧିକ କ୍ରୀଡ଼ାବିତ୍‌ ଅଂଶଗ୍ରହଣ କରିବେ, ଯେଉଁମାନେ ୨୮ଟି କ୍ରୀଡ଼ାଙ୍ଗନରେ ୪୩ରୁ ଅଧିକ କ୍ରୀଡ଼ା ବର୍ଗରେ ଭାଗ ନେବେ।

ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଗୋଆବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ୩୭ତମ ଜାତୀୟ କ୍ରୀଡ଼ା ପାଇଁ ଶୁଭେଚ୍ଛା ଜଣାଇଥିଲେ। ଦେଶର କ୍ରୀଡ଼ା କ୍ଷେତ୍ରରେ ଗୋଆର ଅବଦାନ ଉପରେ ପ୍ରଧାନମନ୍ତ୍ରୀ​ ଆଲୋକପାତ କରିଥିଲେ ଏବଂ ଫୁଟବଲ ପ୍ରତି ଗୋଆର ଭଲପାଇବା ବିଷୟରେ ଉଲ୍ଲେଖ କରିଥିଲେ। କ୍ରୀଡ଼ାପ୍ରିୟ  ଗୋଆରେ ଜାତୀୟ କ୍ରୀଡ଼ା ଆୟୋଜନ ହେବା ଉତ୍ସାହଜନକ ବୋଲି ସେ କହିଛନ୍ତି ।

- Advertisement -

ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଥିଲେ, ଜାତୀୟ କ୍ରୀଡ଼ା ଏଭଳି ଏକ ସମୟରେ ଆୟୋଜନ ହେଉଛି ଯେତେବେଳେ ଦେଶ କ୍ରୀଡ଼ା ଜଗତରେ ନୂଆ ସଫଳତା ହାସଲ କରୁଛି । ଏସୀୟ କ୍ରୀଡ଼ାରେ ୭୦ ବର୍ଷର ରେକର୍ଡ ଭାଙ୍ଗିଥିବା ସଫଳତା ବିଷୟରେ ସେ ଉଲ୍ଲେଖ କରିବା ସହ ଚଳିତ ଏସୀୟ ପାରା ଗେମ୍ସ ବିଷୟରେ ମଧ୍ୟ କହିଥିଲେ ଯେଉଁଠାରେ ପୂର୍ବର ସମସ୍ତ ରେକର୍ଡ ଅତିକ୍ରମ କରି ଦେଶର କ୍ରୀଡ଼ାବିତ୍‌ମାନେ ୭୦ରୁ ଅଧିକ ପଦକ ହାସଲ କରିଥିବା ସେ କହିଥିଲେ। ସେ ନିକଟରେ ଶେଷ ହୋଇଥିବା ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ, ଯେଉଁଠାରେ ଭାରତ ଇତିହାସ ରଚିଥିଲା । କ୍ରୀଡ଼ା ଜଗତରେ ଭାରତର ସାମ୍ପ୍ରତିକ ସଫଳତା ପ୍ରତ୍ୟେକ ଯୁବ କ୍ରୀଡ଼ାବିତଙ୍କ ପାଇଁ ଏକ ବଡ଼ ପ୍ରେରଣା ବୋଲି ଶ୍ରୀ ମୋଦୀ କହିଥିଲେ। ଜାତୀୟ କ୍ରୀଡ଼ାକୁ ପ୍ରତ୍ୟେକ ଯୁବ କ୍ରୀଡ଼ାବିତଙ୍କ ପାଇଁ ଏକ ଦୃଢ଼ ଲଞ୍ଚପ୍ୟାଡ୍ ବା ମୂଳଦୁଆ ଭାବେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ସେମାନଙ୍କ ଲାଗି ରହିଥିବା ଥିବା ବିଭିନ୍ନ ସୁଯୋଗ ଉପରେ ଆଲୋକପାତ କରିଥିଲେ । ଖେଳାଳୀମାନଙ୍କୁ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ସେ ଆହ୍ୱାନ କରିଥିଲେ।

ଭାରତରେ ପ୍ରତିଭାର ଅଭାବ ନାହିଁ ଏବଂ ବଞ୍ଚିତ ସତ୍ତ୍ୱେ ଦେଶ ଚାମ୍ପିୟନ ସୃଷ୍ଟି କରିଛି, ତଥାପି ପଦକ ତାଲିକାରେ ଖରାପ ପ୍ରଦର୍ଶନ ସର୍ବଦା ଦେଶବାସୀଙ୍କୁ ମାନ୍ୟତା ଦେଇଥାଏ ବୋଲି ପ୍ରଧାନମନ୍ତ୍ରୀ ଜୋର୍‌ ଦେଇ କହିଥିଲେ । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ କ୍ରୀଡ଼ା ଭିତ୍ତିଭୂମି, ଚୟନ ପ୍ରକ୍ରିୟା, କ୍ରୀଡ଼ାବିତ୍‌ମାନଙ୍କ ପାଇଁ ଆର୍ଥିକ ସହାୟତା ଯୋଜନା, ପ୍ରଶିକ୍ଷଣ ଯୋଜନା ଏବଂ ସମାଜର ମାନସିକତାରେ ୨୦୧୪ ପରେ ଆସିଥିବା ପରିବର୍ତ୍ତନ ବିଷୟରେ ବର୍ଣ୍ଣନା କରିଥିଲେ। ଏହିପରି ଭାବେ ଆମେ କ୍ରୀଡ଼ା କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ବାଧକ ଦୂର କରିଥିଲୁ। ପ୍ରତିଭା ଆବିଷ୍କାରଠାରୁ ଆରମ୍ଭ କରି ଅଲିମ୍ପିକ୍ସ ପୋଡିୟମ୍ ପର୍ଯ୍ୟନ୍ତ ସରକାର ଏକ ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

୯ ବର୍ଷ ପୂର୍ବର କ୍ରୀଡ଼ା ବଜେଟ୍ ତୁଳନାରେ ଚଳିତ ବର୍ଷର କ୍ରୀଡ଼ା ବଜେଟ୍ ତିନି ଗୁଣ ଅଧିକ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ। ଖେଲୋ ଇଣ୍ଡିଆ ଏବଂ ଟପ୍ସ ଭଳି ପଦକ୍ଷେପର ନୂତନ ବ୍ୟବସ୍ଥା ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟରୁ ପ୍ରତିଭାବାନ କ୍ରୀଡ଼ାବିତ୍‌ଙ୍କୁ ଖୋଜୁଛି ବୋଲି ସେ କହିଥିଲେ। ସେ କହିଥିଲେ ଯେ ଟପ୍ସରେ ଶ୍ରେଷ୍ଠ ଆଥଲେଟମାନେ ବିଶ୍ୱର ଶ୍ରେଷ୍ଠ ପ୍ରଶିକ୍ଷଣ ପାଉଛନ୍ତି ଏବଂ ୩୦୦୦ ଆଥଲେଟ୍ ଖେଲୋ ଇଣ୍ଡିଆରେ ପ୍ରଶିକ୍ଷଣ ନେଉଛନ୍ତି। ଖେଳାଳିଙ୍କୁ ବାର୍ଷିକ ୬ ଲକ୍ଷ ଟଙ୍କାର ବୃତ୍ତି ମିଳୁଛି। ଖେଲୋ ଇଣ୍ଡିଆ ଅଧୀନରେ ଆବିଷ୍କୃତ ପ୍ରାୟ ୧୨୫ ଜଣ ଖେଳାଳି ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ କରି ୩୬ ପଦକ ଜିତିଥିଲେ। ଖେଲୋ ଇଣ୍ଡିଆ ଜରିଆରେ ପ୍ରତିଭାକୁ ଆବିଷ୍କାର କରିବା,  ସେମାନଙ୍କୁ ପୋଷଣ କରିବା ଏବଂ ଟପ୍ସ ଦ୍ୱାରା ଅଲିମ୍ପିକ୍ସ ପୋଡିୟମରେ ପହଞ୍ଚିବା ପାଇଁ ସେମାନଙ୍କୁ ପ୍ରଶିକ୍ଷଣ ଓ ଦୃଢ଼ ମନୋବଳ ପ୍ରଦାନ କରିବା ଆମର  ଯୋଜନା ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ଆଜି ଯେତେବେଳେ ଉଭୟ ଭାରତର ସଂକଳ୍ପ ଓ ପ୍ରୟାସ ଏତେ ବିଶାଳ, ସେତେବେଳେ ଭାରତର ଆକାଂକ୍ଷା ଉଚ୍ଚ ହେବା ସ୍ୱାଭାବିକ। ‘‘ସେଥିପାଇଁ ଆଇଓସି ଅଧିବେଶନରେ ମୁଁ ୧୪୦ କୋଟି ଭାରତୀୟଙ୍କ ଆକାଂକ୍ଷା ରଖିଥିଲି। ମୁଁ ଅଲିମ୍ପିକ୍ସର ସର୍ବୋଚ୍ଚ କମିଟିକୁ ଆଶ୍ୱାସନା ଦେଇଥିଲି ଯେ ଭାରତ ୨୦୩୦ରେ ଯୁବ ଅଲିମ୍ପିକ୍ସ ଏବଂ ୨୦୩୬ରେ ଅଲିମ୍ପିକ୍ସ ଆୟୋଜନ କରିବାକୁ ପ୍ରସ୍ତୁତ ଅଛି। ଅଲିମ୍ପିକ୍ସ ଆୟୋଜନ ପାଇଁ ଆମର ଆକାଂକ୍ଷା କେବଳ ଭାବନାରେ ସୀମିତ ନୁହେଁ । ବରଂ ଏହା ପଛରେ କିଛି ଠୋସ୍ କାରଣ ରହିଛି। ୨୦୩୬ରେ ଭାରତର ଅର୍ଥନୀତି ଏବଂ ଭିତ୍ତିଭୂମି ସହଜରେ ଅଲିମ୍ପିକ୍ସ ଆୟୋଜନ କରିବା ସ୍ଥିତିରେ ରହିବ’’, ପ୍ରଧାନମନ୍ତ୍ରୀ କହିଥିଲେ।

“ଆମର ଜାତୀୟ କ୍ରୀଡ଼ା ମଧ୍ୟ ଏକ ଭାରତ, ଶ୍ରେଷ୍ଠ ଭାରତର ପ୍ରତୀକ”, ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ ଏହା ଭାରତର ପ୍ରତ୍ୟେକ ରାଜ୍ୟ ପାଇଁ ଏହାର ସାମର୍ଥ୍ୟ ପ୍ରଦର୍ଶନ କରିବାର ଏକ ଉତ୍ତମ ମାଧ୍ୟମ । ଜାତୀୟ କ୍ରୀଡ଼ା ଆୟୋଜନ ପାଇଁ ଗୋଆ ସରକାର ଏବଂ ଗୋଆବାସୀଙ୍କ ପ୍ରସ୍ତୁତିକୁ ସେ ପ୍ରଶଂସା କରିଥିଲେ। ଏଠାରେ ସୃଷ୍ଟି ହୋଇଥିବା କ୍ରୀଡ଼ା ଭିତ୍ତିଭୂମି ଆଗାମୀ ଅନେକ ଦଶନ୍ଧି ପର୍ଯ୍ୟନ୍ତ ଗୋଆର ଯୁବକମାନଙ୍କ ପାଇଁ ଉପଯୋଗୀ ହେବ ଏବଂ ଏହି ମାଟି ଦେଶ ପାଇଁ ଅନେକ ନୂତନ ଖେଳାଳି ସୃଷ୍ଟି କରିବ । ଭବିଷ୍ୟତରେ ଜାତୀୟ ଏବଂ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ପାଇଁ ଏହି ଭିତ୍ତିଭୂମିକୁ ବ୍ୟବହାର କରାଯିବ ବୋଲି ସେ କହିଥିଲେ। ଗତ କିଛି ବର୍ଷ ମଧ୍ୟରେ ଗୋଆରେ ଯୋଗାଯୋଗ ସମ୍ବନ୍ଧୀୟ ଆଧୁନିକ ଭିତ୍ତିଭୂମି ମଧ୍ୟ ନିର୍ମାଣ କରାଯାଇଛି। ଜାତୀୟ କ୍ରୀଡ଼ା ଗୋଆର ପର୍ଯ୍ୟଟନ ଏବଂ ଅର୍ଥବ୍ୟବସ୍ଥାକୁ ବିଶେଷ ଭାବେ ଲାଭାନ୍ୱିତ କରିବ ।

ପ୍ରଧାନମନ୍ତ୍ରୀ ଗୋଆକୁ ଉତ୍ସବର ଭୂମି ଭାବରେ ସ୍ୱୀକାର କରିଥିଲେ ଏବଂ ଗୋଆ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଆୟୋଜନ ବିଷୟରେ ସେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଅନ୍ତର୍ଜାତୀୟ ସମ୍ମିଳନୀ ଏବଂ ଶିଖର ସମ୍ମିଳନୀର କେନ୍ଦ୍ର ଭାବରେ ରାଜ୍ୟର ମର୍ଯ୍ୟାଦା ବଢ଼ୁଛି । ୨୦୧୬ ବ୍ରିକ୍ସ ସମ୍ମିଳନୀ ଏବଂ ଅନେକ ଜି-୨୦ ସମ୍ମିଳନୀ ବୈଠକ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଜି-୨୦ ଦ୍ୱାରା ‘ଦୀର୍ଘସ୍ଥାୟୀ ପର୍ଯ୍ୟଟନ ପାଇଁ ଗୋଆ ରୋଡ୍ ମ୍ୟାପ୍’ ଗ୍ରହଣ କରାଯାଇଥିବାରୁ ଖୁସି ବ୍ୟକ୍ତ କରିଥିଲେ ।

ଅଭିଭାଷଣ ଶେଷରେ ପ୍ରଧାନମନ୍ତ୍ରୀ କ୍ରୀଡ଼ାବିତମାନଙ୍କୁ ପ୍ରତ୍ୟେକ ପରିସ୍ଥିତିରେ, ଯେକୌଣସି କ୍ଷେତ୍ରରେ, ଯେକୌଣସି ଚ୍ୟାଲେଞ୍ଜରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଆହ୍ୱାନ କରିଥିଲେ। ‘‘ଆମେ ଏହି ସୁଯୋଗ କୁ ହାତଛଡ଼ା କରିବା ଉଚିତ ନୁହେଁ। ଏହି ଆହ୍ୱାନରେ ମୁଁ ୩୭ତମ ଜାତୀୟ କ୍ରୀଡ଼ା ଆରମ୍ଭ କରିବାକୁ ଘୋଷଣା କରୁଛି। ଆପଣ ସମସ୍ତ ଆଥଲେଟଙ୍କୁ ପୁଣି ଅନେକ ଅନେକ ଶୁଭେଚ୍ଛା । ଗୋଆ ପ୍ରସ୍ତୁତ ଅଛି”, ସେ ଶେଷରେ କହିଥିଲେ।

ଏହି ଅବସରରେ ଗୋଆର ରାଜ୍ୟପାଳ ଶ୍ରୀ ପିଏସ୍ ଶ୍ରୀଧରନ ପିଲ୍ଲାଇ, ଗୋଆର ମୁଖ୍ୟମନ୍ତ୍ରୀ ଶ୍ରୀ ପ୍ରମୋଦ ସାୱନ୍ତ, କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର ଏବଂ ଭାରତୀୟ ଅଲିମ୍ପିକ୍ ସଂଘର ସଭାପତି ଡ. ପିଟି ଉଷା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories