www.samajalive.in
Friday, December 12, 2025
15.1 C
Bhubaneswar

ପିପିଲି ପୌରାଞ୍ଚଳରେ ନୂତନ ୧୧କେଭି ଲାଇନରେ ବିଦ୍ୟୁତ୍‌‌ ଯୋଗାଣ ଖୁବଶୀଘ୍ର

ପିପିଲି: ପିପିଲି ପୌରାଞ୍ଚଳର ୯ଟି ୱାର୍ଡର ବାସିନ୍ଦାଙ୍କ ପାଇଁ ଖୁସି ଖବର। ଖୁବଶୀଘ୍ର ଦୂର ହେବାକୁ ଯାଉଛି ଦୀର୍ଘ ୬୦ବର୍ଷର ୧୧କେଭି ବିଦ୍ୟୁତ ସମସ୍ୟା। ଗହିର ବିଲ, ନୟନଜୋରୀ ଓ ଘଞ୍ଚ ଜଙ୍ଗଲିଆ ଅଞ୍ଚଳ ଦେଇ ଯାଇଥିବା ପୁରୁଣା ୧୧କେଭି ଲାଇନ୍‌‌ ବଦଳରେ ଚଳିତ ମାସ ଶେଷ ସୁଦ୍ଧା ମୁଖ୍ୟ ରାସ୍ତା କଡରେ ନୂତନ ୧୧କେଭି ଲାଇନ୍‌‌ ଯୋଗେ ବିଦ୍ୟୁତ୍‌‌ ଯୋଗାଣ ହେବ। ଏଥିପାଇଁ ନୂତନ ୧୧କେଭି ବିଦ୍ୟୁତ୍‌‌ ଲାଇନ୍‌‌ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। ଏହାଦ୍ୱାରା ପୌରାଞ୍ଚଳର ଅଧିକାଂଶ ସରକାରୀ କାର୍ଯ୍ୟାଳୟ, ବ୍ୟବସାୟ ପ୍ରତିଷ୍ଠାନ, ବ୍ୟାଙ୍କ, କୋର୍ଟ ସମେତ ୫ହଜାରରୁ ଊର୍ଦ୍ଧ୍ବ ଉପଭୋକ୍ତା ଉପକୃତ ହେବେ।

ପୌରାଞ୍ଚଳର ପଣ୍ଡାବଜାରସ୍ଥିତ ୩୩/୧୧ କେଭି ପିପିଲି ପିଏସ୍‌‌ଏସ୍‌‌(ପ୍ରାଇମେରୀ ସବ୍‌‌ ଷ୍ଟେସନ)ରୁ ପିପିଲି ଏନ୍‌‌ଏସିର ମୁଖ୍ୟବଜାର ଓ ୭ଟି ୱାର୍ଡ ସମେତ ଭାରତୀପୁର ପଞ୍ଚାୟତକୁ ଗୋଟିଏ ୧୧କେଭି ଫିଡର ଯାଇଥିବାବେଳେ ପୌରାଞ୍ଚଳର ୯ଟି ୱାର୍ଡକୁ ଅନ୍ୟ ଗୋଟିଏ ୧୧କେଭି ଫିଡର ଯାଇଛି। ସେହିପରି ଦାଣ୍ଡମୁକୁନ୍ଦପୁର, ନୂଆଶାସନ, ସଁପୁର ଆଦି ପଞ୍ଚାୟତକୁ ଅନ୍ୟ ଗୋଟିଏ ୧୧କେଭି ଫିଡର ଓ ହରିପୁର, ଚିତ୍ତଲପୁର, ମୁକୁନ୍ଦଦାସପୁର, ଭାଣପୁର, ରାଜସ ଆଦି ଅଞ୍ଚଳକୁ ଆଉ ଗୋଟିଏ ୧୧କେଭି ଫିଡର ଯାଇଛି। ପଣ୍ଡାବଜାର ଠାରୁ ହସନପୁର, ଟିଚର୍ସ କଲୋନୀ, ମଢିଆଳିସାହି, ଇନ୍ଦିରା ମଇଦାନ ଦେଇ ଦୀର୍ଘ ସାଢେ ୩କିଲୋମିଟର ଅତିକ୍ରମ କରି ପିପିଲି ବ୍ଲକଛକ ପର୍ଯ୍ୟନ୍ତ ମଙ୍ଗଳପୁର-୧ ନାମରେ ୧୧କେଭି ଫିଡର ଆସିଛି। ବ୍ଲକ ଛକ ଠାରୁ ମେଡିକାଲ ଛକ ଓ ଖଣ୍ଡିଆଗିରି ପର୍ଯ୍ୟନ୍ତ ଏବଂ ନୀଳକଣ୍ଠନଗର କେନାଲବନ୍ଧ ଦେଇ ଏହି ୧୧କେଭି ଲାଇନ୍‌‌ ପିପିଲି କଲେଜ ଛକ ପର୍ଯ୍ୟନ୍ତ ଆସି ସେଠାରୁ ପୁନଶ୍ଚ ହାଟଛକ ଦେଇ ଥାନା, ପଶୁଡାକ୍ତରଖାନା, ଜଳସଂପଦ ବିଭାଗ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଛି। ଏହି ୧୧କେଭି ବିଦ୍ୟୁତ୍‌‌ ଲାଇନ ଉପରେ ପୌରାଞ୍ଚଳର ୯ଟି ୱାର୍ଡ ନିର୍ଭର କରେ। ପିପିଲି ଥାନା, ପିପିଲି କୋର୍ଟ, ପୋଷ୍ଟ ଅଫିସ, ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ୮ଟି ରାଷ୍ଟ୍ରାୟତ ବ୍ୟାଙ୍କ ସମେତ ବହୁ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ, ମହାବିଦ୍ୟାଳୟ, ଅନେକ ବିଦ୍ୟାଳୟ ପ୍ରଭୃତି ଏହି ୧୧କେଭି ବିଦ୍ୟୁତ୍‌‌ ଲାଇନ ଉପରେ ନିର୍ଭର କରିଥାନ୍ତି। ତେବେ ପଣ୍ଡାବଜାରଠାରୁ ବ୍ଲକ ଛକ ପର୍ଯ୍ୟନ୍ତ ବହୁ ସ୍ଥାନରେ ଗହିର ବିଲ ମଧ୍ୟରେ ବଡ ବଡ ଗଛ ମଝିରେ ବିଦ୍ୟୁତ୍‌‌ ତାର ଆସିଥିବା ବେଳେ ଏକାଧିକ ଖାଲୁଆ ସ୍ଥାନ, ନୟନଜୋରୀ, ପୋଖରୀ ମଧ୍ୟ ଦେଇ ଏହି ପୁରୁଣା ବିଦ୍ୟୁତ୍‌‌ ଲାଇନ୍‌‌ ଆସିଛି। ଫଳରେ ସାମାନ୍ୟ ପବନ ବୋହିଲେ କିମ୍ବା ବର୍ଷା ଓ ଘଡଘଡି କାରଣରୁ ଏହି ବିଦ୍ୟୁତ୍‌‌ ଲାଇନ୍‌‌ରେ ବାରମ୍ବାର ତୃଟି ଦେଖାଦେଇଥାଏ। ଯାହାକୁ ଖୋଜି ମରାମତି କରିବା ସମୟସାପେକ୍ଷ ହୋଇଥିବା ବେଳେ ଏଥିଯୋଗୁଁଁ ଉପରୋକ୍ତ ଅଞ୍ଚଳରେ ଅନେକ ସମୟରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍‌‌ ସରବରାହ ବନ୍ଦ ରହିଥାଏ। ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ସରକାରୀ କାର୍ଯ୍ୟାଳୟରେ ମଧ୍ୟ ଏଥିଯୋଗୁଁଁ ନାନା ସମସ୍ୟା ସୃଷ୍ଟି ହୋଇଥାଏ। ବର୍ଷାଦିନରେ ରାତିରେ ବିଦ୍ୟୁତ୍‌‌ ତୃଟି ଦେଖାଦେଲେ କର୍ମଚାରୀମାନେ ଅଣ୍ଟେ ପାଣିରେ ଓ ସର୍ପବଣରେ ପଶି ବିଦ୍ୟୁତ୍‌‌ ମରାମତି କରିଥାନ୍ତି। ତେଣୁ ଏହି ୧୧କେଭି ବିଦ୍ୟୁତ୍‌‌ ଲାଇନର ନବୀକରଣ କରାଯିବାକୁ ଦୀର୍ଘବର୍ଷରୁ ଦାବି ହୋଇଆସୁଥିଲା। ଟିପିସିଓଡିଏଲ୍‌‌ ପକ୍ଷରୁ ପଣ୍ଡାବଜାର ସ୍ଥିତ ୩୩/୧୧ କେଭି ପିପିଲି ପିଏସଏସଠାରୁ ମୁଖ୍ୟ ରାସ୍ତା କଡରେ ବଡ ବଡ ବିଦ୍ୟୁତ୍‌‌ ଖୁଣ୍ଟି ପୋତାଯାଇ ପୁଲିସ ଷ୍ଟେସନ ଦେଇ ହାଟଛକ, ଗୀର୍ଜା ଛକ ଓ ସେଠାରୁ ମେଡିକାଲ ଛକ ଦେଇ ବ୍ଲକଛକ ପର୍ଯ୍ୟନ୍ତ ନୂତନ ୧୧କେଭି ବିଦ୍ୟୁତ୍‌‌ ଲାଇନ ଯୋଗାଣ ପାଇଁ ଜୋରସୋର୍‌‌ରେ କାର୍ଯ୍ୟ ଚାଲୁରହିଛି। ଚଳିତମାସ ଶେଷ ସୁଦ୍ଧା ଏହି ନୂତନ ଲାଇନ୍‌‌ କାର୍ଯ୍ୟ ସଂପୂର୍ଣ୍ଣ ହେବା ସହ ସେଥିରେ ୧୧କେଭି ବିଦ୍ୟୁତ୍‌‌ ଚାର୍ଜ କରାଯିବ ବୋଲି ଟିପିସିଓଡିଏଲ୍‌‌ ଟିମ୍‌‌ ଲିଡ୍‌‌ ପ୍ରୋଜେକ୍ଟ ମୁଖ୍ୟ ଜିତେନ କୁମାର ମିଶ୍ର ସୂଚନା ଦେଇଛନ୍ତି। ଏହା ଦ୍ୱାରା ପୌରାଞ୍ଚଳର ୯ଟି ୱାର୍ଡର ଉପଭୋକ୍ତାଙ୍କ ସମେତ କୋର୍ଟ, ଥାନା, ଡାକ୍ତରଖାନା ସମେତ ସମସ୍ତ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଆଦିକୁ ନିରବଚ୍ଛିନ୍ନ ବିଦ୍ୟୁତ୍‌‌ ଯୋଗାଣ ସେବା ସମ୍ଭବ ହେବ ବୋଲି ପିପିଲି ବିଦ୍ୟୁତ୍‌‌ ଉପଖଣ୍ଡ ଅଧିକାରୀ ବିପିନ କୁମାର ସାହୁ ସୂଚନା ଦେଇଛନ୍ତି।

- Advertisement -

 

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories