www.samajalive.in
Tuesday, December 9, 2025
23.1 C
Bhubaneswar

ଥାର୍ଡ ଡିଗ୍ରିକୁ ନେଇ ପିପିଲି ପୁଲିସ ବିବାଦରେ, ଗୁରୁତର ୫ ଅଭିଯୁକ୍ତ କଟକ ବଡ ମେଡିକାଲ୍‍ରେ ଭର୍ତ୍ତି

ପିପିଲି: ପୁରୀ ହାଜତ ମୃତ୍ୟୁ ଘଟଣା ସମଗ୍ର ରାଜ୍ୟରେ ପୁଲିସ ବ୍ୟବସ୍ଥା ପ୍ରତି ଅଙ୍ଗୁଳି ଉଠାଇଥିବା ବେଳେ ପିପିଲି ପୁଲିସର ଥାର୍ଡ ଡିଗ୍ରିରେ ୫ଜଣ ଅଭିଯୁକ୍ତ ଗୁରୁତର ହୋଇପଡ଼ିବା ଘଟଣା ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ଏକ ହତ୍ୟାଉଦ୍ୟମ ମାମଲାରେ ପିପିଲି ପୁଲିସ ଦ୍ୱାରା ଗିରଫ ହୋଇ ନିମାପଡା ବିଚାର ବିଭାଗୀୟ ଜେଲ୍‍ ହାଜତକୁ ଯାଇଥିବା ୬ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୫ଜଣ ଗୁରୁତର ଅସୁସ୍ଥ ହୋଇ ପଡ଼ିବାରୁ ସେମାନଙ୍କୁ କଟକ ବଡଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବା ସୂଚନା ମିଳିଛି। ପିପିଲି ପୁଲିସର ଥାର୍ଡ ଡିଗ୍ରି ଯୋଗୁଁ ଉକ୍ତ ୫ ଅଭିଯୁକ୍ତ ଗୁରୁତର ହୋଇ ପଡ଼ିଥିବା ନେଇ ଗୁରୁତର ଅଭିଯୋଗ ଉଠିଥିବା ବେଳେ ଏହାକୁ ନେଇ ରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି।

ସୁଚନା ଅନୁଯାୟୀ, ପୁଲିସ ଇନ୍‍ଫର୍ମର ସାଜିଦ ହୁସେନ(୩୦)ଙ୍କୁ ଗତ ୧୩ ତାରିଖ ରାତିରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଏହି ମାମଲାରେ ପିପିଲି ଭବାନୀପୁର ଅଞ୍ଚଳର ହାପିଜ ଖାଁ (୨୫), ସାତଶଙ୍ଖ କଲୋନୀର ଜଗନ୍ନାଥ ପୁଷ୍ପାଳକ ଓରଫ ଜଗା(୧୯), ତେଇସିପୁର କାଙ୍କନଡୁଆ ଅଞ୍ଚଳର ଧରଣୀଧର ବେହେରା (୨୪), ପିପିଲି ଏନ୍‍ଏସି ୱାର୍ଡନଂ-୧୪ ସୁଲତାନନଗର ଅଞ୍ଚଳର ପ୍ରତାପ କୁମାର ବେହେରା (୨୩), ପିପିଲି ଜୟପୁରଶାସନ ଅଞ୍ଚଳର ଏମ୍‍ଡି ତଫିକ ଓରଫ ଜୁମା (୧୮) ଓ ରାଜୁ ବେହେରା (୧୮)କୁ ପୁଲିସ ଗିରଫ କରି ୧୯ ତାରିଖ ତଥା ଗୁରୁବାର ସଂନ୍ଧ୍ୟାରେ କୋର୍ଟ ଚାଲାଣ କରିଥିଲା। ପରେ ସେମାନଙ୍କୁ ନିମାପଡାସ୍ଥିତ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଥିଲା। ତେବେ ଅଭିଯୁକ୍ତଙ୍କ ଶରୀର ଅସୁସ୍ଥ ଥିବା ବେଳେ ତାଙ୍କୁ ନେଇ ଯାଇଥିବା ପୁଲିସ ଟିମ୍‍ ପାଖରେ କୌଣସି ଡାକ୍ତରୀ ପ୍ରେସ୍‍କ୍ରିପସନ ତଥା ଆବଶ୍ୟକୀୟ କାଗଜପତ୍ର ନଥିବାରୁ ନିମାପଡା ଜେଲ କତ୍ତୃପକ୍ଷ ଅଭିଯୁକ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା ପାଇଁ ପରାମର୍ଶ ଦେଇଥିଲେ। ପରେ ପୁଲିସ ସେମାନଙ୍କୁ ନେଇ ନିମାପଡା ମେଡିକାଲରେ ଚିକିତ୍ସିତ କରାଇବା ପରେ ବିଳମ୍ବିତ ରାତିରେ ଜେଲ୍‍ରେ ଛାଡିଥିଲା। ତେବେ ଅଭିଯୁକ୍ତଙ୍କ ମଧ୍ୟରୁ ହାପିଜ ଖାଁ, ଜଗନ୍ନାଥ ପୁଷ୍ପାଳକ, ଧରଣୀଧର ବେହେରା, ପ୍ରତାପ କୁମାର ବେହେରା ଓ ଏମ୍‍ଡି ତଫିକଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଶୁକ୍ରବାର ସକାଳେ ଚିକିତ୍ସା ପାଇଁ ନିମାପଡା ମେଡିକାଲ୍‍କୁ ପୁନର୍ବାର ନିଆଯାଇଥିଲା। ସେଠାରୁ ସେମାନଙ୍କୁ କଟକ ବଡ ମେଡିକାଲ୍‍କୁ ସ୍ଥାନାନ୍ତର କରାଯାଇଥିଲା। କଟକ ବଡ ମେଡିକାଲ୍‍ରେ ଏବେ ସେମାନେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ତେବେ ଅଭିଯୁକ୍ତଙ୍କୁ ପୁଲିସ ଅତି ନିଷ୍ଠୁର ଭାବେ ମାଡ ମାରିଥିବାରୁ ସେମାନେ ଗୁରୁତର ହୋଇ ପଡ଼ିଥିବା ନେଇ ପୁଲିସ ବିରୋଧରେ ସଙ୍ଗୀନ ଅଭିଯୋଗ ହୋଇଛି।

- Advertisement -

ପିପିଲି ପୁଲିସର ଇନ୍‍ଫର୍ମର କୁହାଯାଉଥିବା ଭବାନୀପୁର ଅଞ୍ଚଳର ସାଜିଦ ହୁସେନ(୩୦)ଙ୍କ ଉପରେ ଗତ ୧୩ ତାରିଖ ରାତି ସାଢେ ୯ଟା ସମୟରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଶିଶୁ ଉଦ୍ୟାନ ଛକ ନିକଟରେ ସାଜିଦଙ୍କୁ କେତେକ ଯୁବକ ଗୋଡାଇ ଗୋଡାଇ ଖଣ୍ଡାରେ ଆକ୍ରମଣ କରିଥିଲେ। ତାଙ୍କ ଗୋଡ ସମେତ ଶରୀରର ବିଭିନ୍ନ ସ୍ଥାନରେ ଗୁରୁତର ଆଘାତ ଲାଗିଥିଲା। ଭୁବନେଶ୍ୱରର ଏକ ଘରୋଇ ହସ୍‍ପିଟାଲ୍‍ରେ ସାଜିଦ୍‍ ଗୁରୁତର ଅବସ୍ଥାରେ ଏବେ ଚିକିତ୍ସିତ ହେଉଛନ୍ତି। ପିପିଲି ଅଞ୍ଚଳରେ ଚାଲିଥିବା ବ୍ରାଉନସୁଗାର ଚୋରାଚାଲାଣ ସଂପର୍କରେ ପୁଲିସକୁ ଖବର ଦେଉଥିବାରୁ ସାଜିଦ୍‍ ଉପରେ ଏହି ହତ୍ୟା ଉଦ୍ୟମ କରାଯାଇଥିବା ସୂଚନା ମିଳିଛି। ଏନେଇ ପିପିଲି ପୁଲିସରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ଉପରୋକ୍ତ ୬ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ପୁରୀ ହାଜତ ମୃତ୍ୟୁ ପରେ ଅତି ତରବରିଆ ଭାବେ ପୁଲିସ ଗୁରୁବାର ରାତିରେ ସେମାନଙ୍କୁ କୋର୍ଟ ଚାଲାଣ କରିଥିଲା। ତେବେ ପୁଲିସ ମାଡରେ ୫ ଅଭିଯୁକ୍ତ ଗୁରୁତର ହୋଇ ପଡ଼ିବା ଘଟଣା ସମଗ୍ର ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିବା ବେଳେ ଅଭିଯୁକ୍ତଙ୍କୁ ଆଦୌ ମାଡ ମରାଯାଇନଥିବା ସଂପର୍କରେ ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟି ପ୍ରକାଶ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସମୟରେ ସେମାନଙ୍କ ଶରୀରରେ ପୂର୍ବରୁ ଇନ୍‍ଜୁରି ଥିବା ସେ କହିଛନ୍ତି।

Hot this week

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

Related Articles

Popular Categories