ପଖାଳ ପ୍ରତିଟି ଓଡିଆଙ୍କ ପସନ୍ଦ, ପଖାଳ ଗଣ୍ଡେ ଖାଇଦେଲେ ତୃପ୍ତ ହୋଇଯାଏ ମନ

ପଲ୍ଲବୀ ପରିବାର ପକ୍ଷରୁ ପଖାଳ ଦିବସ ପାଳିତ

ପିପିଲି:ପ୍ରତିଟି ଓଡିଆଙ୍କ ପସନ୍ଦ ପଖାଳ। ବଡିଚୁରା, ପନିପରିବା ଭଜା. ଚୁନାମାଛ ଭଜା ସାଙ୍ଗକୁ ପଖାଳ ଗଣ୍ଡେ ଖାଇଦେଲେ ମନ ତୃପ୍ତ ହୋଇଯାଏ। କୋଟି ଓଡିଆଙ୍କ ମଉଡମଣି ମହାପ୍ରଭୁ ଶ୍ରୀଜଗନ୍ନାଥ ମଧ୍ୟ ପଖାଳ ପ୍ରିୟ। ମହାପ୍ରଭୁଙ୍କୁ ପଖାଳ ଅର୍ପଣ କରିବାର ବିଧି ରହିଛି। ବିଶ୍ୱ ମାନସପଟରେ ପଖାଳକୁ ପହଞ୍ଚାଇବା ପାଇଁ କିଛିବର୍ଷ ହେଲା ଓଡିଆମାନେ ପଖାଳ ଦିବସ ପାଳନ କରିଆସୁଛନ୍ତି। ପିପିଲି ମଠସାହି ସ୍ଥିତ ‘ପଲ୍ଲବୀ ପରିବାର’ ପକ୍ଷରୁ ସୋମବାର ପଖାଳ ଦିବସ ସମାରୋହରେ ପାଳିତ ହୋଇଯାଇଛି। ଏଥିରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ମାଟିପାତ୍ରରେ ଦହି ପଖାଳ, ଆମ୍ବ ଡେମ୍ଫ ଦିଆ ମଲ୍ଲିଫୁଲିଆ ପଖାଳ, ଟଭା ପଖାଳ, ଜିରା ପଖାଳ ସାଙ୍ଗକୁ ୩୦ ପ୍ରକାର ବ୍ୟଞ୍ଜନ ଭୋଜନ କରିଥିଲେ।

ଏହି ଅବସରରେ ‘ପଲ୍ଲବୀ ପରିବାର’ର ମୁଖ୍ୟ ତଥା ସଂଗୀତ ନିର୍ଦ୍ଦେଶକ ଓ ଲୋକ ସଂଗୀତ ଗବେଷକ ପବିତ୍ର କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ମଠସାହି ସ୍ଥିତ ପଲ୍ଲବୀ ପବ୍ଲିକ ସ୍କୁଲ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥିଭାବେ ଅବସରପ୍ରାପ୍ତ ଲେଫ୍‍ନାଣ୍ଟ ଜେନେରାଲ ନାରାୟଣ ମହାନ୍ତି, ଇଣ୍ଡିଆନ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ୱାଟର ମ୍ୟାନେଜମେଣ୍ଟର ପ୍ରମୁଖ ବୈଜ୍ଞାନିକ ଡ଼ଃ ପ୍ରମୋଦ କିଶୋର ପଣ୍ଡା, ସିନେ ଅଭିନେତା ବବି ମିଶ୍ର, ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷା ବାସନ୍ତି ସାହୁ, ପିପିଲି ଏନ୍‍ଏସି ଅଧ୍ୟକ୍ଷ ସେକ୍‍ ବାବୁ, ଉପାଧ୍ୟକ୍ଷା ଭାଗ୍ୟବତୀ ମହାରଣା, ପିପିଲି ସାଂସ୍କୃତିକ ପରିଷଦର ସଂପାଦକ ତଥା ଅବସରପ୍ରାପ୍ତ ସେନାଧିକାରୀ ରମେଶ ଚନ୍ଦ୍ର ମହାପାତ୍ର, ସହ-ସଂପାଦକ ସମାଜସେବୀ ଦୀନବନ୍ଧୁ ବେହୁରା, ସମାଜବାଦୀ ପାର୍ଟିର ରାଜ୍ୟ ସାଧାରଣ ସଂପାଦକ ସୁଦର୍ଶନ ପ୍ରଧାନ, ଅବସରପ୍ରାପ୍ତ ଯନ୍ତ୍ରୀ ରମେଶ ଚନ୍ଦ୍ର ଶତପଥୀ, ଯୁବ ସମାଜସେବୀ ଅନୁପ ପରିଡା, ପଲ୍ଳବୀ ଅନୁଷ୍ଠାନର ସଂପାଦକ ବିଶ୍ୱଜିତ ରାୟ ପ୍ରମୁଖ ଯୋଗଦେଇ ପଖାଳ ଦିବସ ପାଳନର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ।

ଏହି ଅବସରରେ ମାଟିପାତ୍ର ପ୍ରସ୍ତୁତ କରିଥିବା ନିକଟବର୍ତ୍ତି ତଇଳାସାହିର କୁମ୍ଭକାର ଭଗବାନ ମୁଦୁଲିଙ୍କୁ ସଂବର୍ଦ୍ଧିତ କରାଯାଇଥିଲା। ଅତିଥିଙ୍କ ସମେତ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି, ସାମ୍ବାଦିକ, ଜନ ପ୍ରତିନିଧି, ସମାଜସେବୀ, ବୁଦ୍ଧିଜୀବୀଙ୍କୁ ବିଭିନ୍ନ ପ୍ରକାର ପଖାଳ ସାଙ୍ଗକୁ ବଡିଚୁରା, ବଡିଭଜା, ବିଭିନ୍ନ ପ୍ରକାର ପନିପରିବା ଭଜା, ଚୁନାମାଛ ଭଜା, ମାଛ ଭଜା, ଶୁଖୁଆ ଭଜା, ସଜନା ଛୁଇଁ ଭଜା ଆଦି ୩୦ ପ୍ରକାର ବ୍ୟଞ୍ଜନରେ ଆପ୍ୟାୟିତ କରାଯାଇଥିଲା। ପଲ୍ଲବୀ ଅନୁଷ୍ଠାନର ମୁଖ୍ୟ ପବିତ୍ର କୁମାର ପରିଡା, ବିଶ୍ୱଜିତ ରାୟ, ପଲ୍ଲବୀ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ପୀତବାସ ମହାନ୍ତି, ଲଳିତ କୁମାର ପ୍ରଧାନ, ସର୍ବେଶ୍ୱର ସ୍ୱାଇଁ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Comments are closed.