ପିପିଲିରେ ପୁଲିସର ଫ୍ଲାଗମାର୍ଚ୍ଚ: ଗୁଜବକୁ ବିଶ୍ୱାସ ନ କରି ଶାନ୍ତି ସ୍ଥାପନରେ ସହଯୋଗ କରିବାକୁ ପୁଲିସର ଅପିଲ

ପିପିଲି :କମେଣ୍ଟ ମରା, ମାର୍‍ପିଟ୍‍ ଓ ଗୁଳିକାଣ୍ଡକୁ ନେଇ ପିପିଲିରେ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପିପିଲି ଏବେ ମଧ୍ୟ ଅଶାନ୍ତ ରହିଛି। ପରିସ୍ଥିତି ଏବେ ନିୟନ୍ତ୍ରଣାଧିନ ରହିଥିଲେ ମଧ୍ୟ ଉଭୟ ଗୋଷ୍ଠୀ ମଧ୍ୟରେ ଚାପା ଉତ୍ତେଜନା ଲାଗି ରହିଥିବା ସୂଚନା ମିଳିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁରୀ ଏସ୍‍ପି ଡକ୍ଟର କନୱର ବିଶାଲ ସିଂହଙ୍କ ନିର୍ଦ୍ଦେଶକ୍ରମେ ଆଜି ପୁଲିସ ପକ୍ଷରୁ ପିପିଲିରେ ଫ୍ଲାଗମାର୍ଚ୍ଚ କରାଯାଇଛି। କୌଣସି ଗୁଜବରେ ବିଶ୍ୱାସ ନକରି ଅଞ୍ଚଳରେ ଶାନ୍ତି ସ୍ଥାପନରେ ପୁଲିସକୁ ସହଯୋଗ କରିବାକୁ ପିପିଲି ପୁଲିସ ପକ୍ଷରୁ ଅଞ୍ଚଳବାସୀଙ୍କୁ ନିବେଦନ କରାଯାଇଛି।
ଗୁରୁବାର ଅପରାହ୍ନରେ ପିପିଲି ପୌରାଞ୍ଚଳ ସମେତ ଉଜାଣିପଡା ଗ୍ରାମରେ ପିପିଲି ପୁଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଥିଲା। ଏଥିରେ ପୁରୀ ଜିଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ପିପିଲି ଏସ୍‍ଡିପିଓ ଦେବଦତ୍ତ ବରାଳ, ପିପିଲି ଆଇଆଇସି ଅଭିମନ୍ୟୁ ନାୟକ, ଡେଲାଙ୍ଗ ଆଇଆଇସି ଅନିଲ ମହାନ୍ତି, ସତ୍ୟବାଦୀ ଆଇଆଇସି ବିଜୟ କେତନ ବେହେରା, ବଳଙ୍ଗା ଥାନାଧିକାରୀ ରଶ୍ମିରଞ୍ଜନ ପୃଷ୍ଟିଙ୍କ ସମେତ ୨୦ଜଣ ଅଫିସର ଓ ୫ ପ୍ଲାଟୁନ୍‍ ପୁଲିସ ଫୋର୍ସ ଭାଗ ନେଇଥିଲେ। ଏଥିସହ ପିପିଲି ଏନ୍‍ଏସି ଓ ଏହାର ସଂଲଗ୍ନ ଅଞ୍ଚଳର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ପୁଲିସ ପକ୍ଷରୁ ଚେକ୍‍ ପୋଷ୍ଟ କରାଯାଇ ପରିସ୍ଥିତି ଉପରେ ନଜର ରଖାଯାଇଛି। ପୁଲିସ ପେଟ୍ରୋଲିଂ ବ୍ୟବସ୍ଥାକୁ ଅଧିକ କଡା କଡି କରାଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ବ୍ୟାପକ ପୁଲିସ ଫୋର୍ସ ମୂତୟନ କରାଯାଇଛି।

prayash

ପୁରୀ ଏସ୍‍ପି ଡକ୍ଟର କନୱର ବିଶାଲ ସିଂହ ପିପିଲି ଆସି ଘଟଣାର ତଦାରଖ କରିବା ସହ ଅସାମାଜିକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପିପିଲି ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଇତି ମଧ୍ୟରେ ଏହି ଘଟଣାକୁ ନେଇ ଉଭୟପକ୍ଷର ଅଭିଯୋଗ କ୍ରମେ ପିପିଲି ଥାନାରେ ମୋଟ୍‍ ୬ଟି ମାମଲା ରୁଜୁ ହୋଇଛି। ଗୁଳିକାଣ୍ଡ ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରି ପୁଲିସ ଗତକାଲି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ଦୁଇଜଣ ଗଣ୍ଡଗୋଳକାରୀଙ୍କୁ ପୁଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ବିଶୃଙ୍ଖଳାକାରୀଙ୍କ ବିରୋଧରେ କଡା ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆଇଆଇସି ଶ୍ରୀନାୟକ ସୂଚନା ଦେଇଛନ୍ତି।

ପିପିଲିର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ପୁଲିସ ଅସ୍ଥାୟୀ କ୍ୟାମ୍ପ କରି ପରିସ୍ଥିତି ଉପରେ ନଜର ରଖିଛି। ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ପିପିଲି ଶାନ୍ତି କମିଟି ଓ ଉଭୟ ଗୋଷ୍ଠୀର ମୁରବୀମାନଙ୍କୁ ନେଇ ପୁଲିସ ଓ ପ୍ରଶାସନ ପକ୍ଷରୁ ଇତି ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପିପିଲିରେ ଉଭୟ ଗୋଷ୍ଠୀ ମଧ୍ୟରେ ଥିବା ସୁସଂପର୍କ ଓ ଭାଇଚାରାକୁ କୌଣସି ମତେ ବ୍ୟାଘାତ ହେବାକୁ ଦିଆଯିବ ନାହିଁ ବୋଲି ଉକ୍ତ ବୈଠକରେ ସର୍ବସମ୍ମତି କ୍ରମେ ମତ ପ୍ରକାଶ ପାଇଥିଲା।
ଏଠାରେ ସୂଚନା ଥାଉକି, ଗତ ୧୮ ତାରିଖରେ ଜଣେ କଲେଜ ଛାତ୍ରୀଙ୍କୁ କମେଣ୍ଟ ମରାକୁ କେନ୍ଦ୍ର କରି ପିପିଲିରେ ମାରପିଟ୍‍ ଓ ହଣାକଟା ଭଳି ଘଟଣା ଘଟିଥିଲା। ଯାହାକୁ ନେଇ ଏଠାକାର ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ୨୪ ତାରିଖ ମଧ୍ୟାହ୍ନରେ ଜଣେ ଯୁବକଙ୍କ ଜଂଘକୁ ଗୁଳିମାଡ ହୋଇଥିଲା।

kalyan agarbati

Comments are closed.