ଗତିଶ୍ୱର ଦେବ ଓ ଶନିଦେବଙ୍କ ମନ୍ଦିର ହୁଣ୍ଡି ଭାଙ୍ଗି ଟଙ୍କା ଚୋରି
ପିପିଲିରେ ମନ୍ଦିର ଲୁଟେରା ଗ୍ୟାଙ୍ଗ ସକ୍ରିୟ, ପୁଲିସ ନିଷ୍କ୍ରିୟ, ୨ମାସ ମଧ୍ୟରେ ୫ଟି ମନ୍ଦିରରୁ ପ୍ରାଚୀନ ମୂର୍ତ୍ତି ଓ ଦାନବାକ୍ସ ଟଙ୍କା ଚୋରି
ପିପିଲି:ପିପିଲିରେ ଏବେ ମନ୍ଦିର ଲୁଟେରା ଗ୍ୟାଙ୍ଗ ମାତିଛନ୍ତି। ପୁଲିସର ନିଷ୍କ୍ରିୟତାର ସୁଯୋଗ ନେଇ ଗତ ଦୁଇମାସ ମଧ୍ୟରେ ପିପିଲି ଥାନା ଅଞ୍ଚଳରେ ଥିବା ୫ଟି ମନ୍ଦିରରୁ ଚୋରି ହୋଇଛି। ୩ଟି ପ୍ରାଚୀନ ମନ୍ଦିରରୁ ମୂଲ୍ୟବାନ ମୂର୍ତ୍ତି ଚୋରି ହୋଇଥିବା ବେଳେ ୨ଟି ମନ୍ଦିରର ଦାନବାକ୍ସକୁ ଭାଙ୍ଗି ଟଙ୍କା ଚୋରି କରିନେଇଛନ୍ତି ଦୁର୍ବୁତ୍ତ। ଲୁଟେରା ମାନେ ପୁଲିସକୁ ଚ୍ୟାଲେଞ୍ଜ ଦେଇ ଗୋଟିଏ ପରେ ଗୋଟିଏ ମନ୍ଦିରକୁ ଟାର୍ଗେଟ୍ କରି ଚାଲିଛନ୍ତି। ନୂଆଶାସନ ଗ୍ରାମ ସ୍ଥିତ ପ୍ରଭୁ ଶ୍ରୀ ଲକ୍ଷ୍ମୀନୃସିଂହଙ୍କ ମନ୍ଦିର, ରାଜତେଇ ଗ୍ରାମର ପ୍ରଭୁ ଶ୍ରୀସିଦେ୍ଧଶ୍ୱର ଦେବଙ୍କ ମନ୍ଦିର ଓ ଆଳିଶ ଗ୍ରାମର ପ୍ରଭୁ ଶ୍ରୀ ବେଲେଶ୍ୱର ଦେବଙ୍କ ମନ୍ଦିରରୁ ଚୋରି ହୋଇଥିବା ମୂଲ୍ୟବାନ ପ୍ରାଚୀନ ମୂର୍ତ୍ତିକୁ ଉଦ୍ଧାର କରିବାରେ ଅଦ୍ୟାବଧି ପିପିଲି ପୁଲିସକୁ କୌଣସି ସଫଳତା ମିଳିନଥିବା ବେଳେ ଗୁରୁବାର ରାତିରେ ଦୁର୍ବୁତ୍ତମାନେ ଏଠାକାର ଦୁଇଟି ମନ୍ଦିରର ଦାନବାକ୍ସକୁ ଭାଙ୍ଗି ଟଙ୍କା ଚୋରି କରି ନେଇଛନ୍ତି। ଲୋକେ ଏଥିପାଇଁ ପୁଲିସର ଢିଲା ସୁରକ୍ଷା ବ୍ୟବସ୍ଥାକୁ ଦାୟୀ କରିଛନ୍ତି। ବାରମ୍ବାର ଗୋଟିଏ ପରେ ଗୋଟିଏ ମନ୍ଦିରରୁ ଚୋରି ହେବା ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଥିବା ବେଳେ ମଠ, ମନ୍ଦିର ଓ ପ୍ରାଚୀନ ମୂର୍ତ୍ତିର ସୁରକ୍ଷା ନେଇ ସ୍ଥାନୀୟ ଅଞ୍ଚଳବାସୀ ଏବେ ଚିନ୍ତାରେ ଥିବା କୁହାଯାଉଛି। ବାରମ୍ବାର ମନ୍ଦିର ଚୋରି ଘଟଣା ସ୍ଥାନୀୟ ଅଞ୍ଚଳର ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ବ୍ୟଥିତ କରିଛି।
ପ୍ରାପ୍ତ ସୂଚନା ଅନୁଯାଇ, ଗୁରୁବାର ରାତିରେ ଦୁର୍ବୁତ୍ତମାନେ ଗୋବର୍ଦ୍ଧନପୁର ଗ୍ରାମ ସ୍ଥିତ ପ୍ରସିଦ୍ଧ ଶୈବପୀଠ ପ୍ରଭୁ ଶ୍ରୀଗତିଶ୍ୱର ଦେବଙ୍କ ମନ୍ଦିରର ଦାନବାକ୍ସକୁ ଭାଙ୍ଗି ତା’ ମଧ୍ୟରେ ଥିବା ଟଙ୍କାକୁ ଚୋରି କରିନେଇଛନ୍ତି। ଏଥିସହ ଉକ୍ତ ମନ୍ଦିର ନିକଟରେ ଥିବା ପ୍ରଭୁ ଶ୍ରୀ ଶନିଦେବଙ୍କ ମନ୍ଦିରର ଦାନବାକ୍ସକୁ ମଧ୍ୟ ଦୁର୍ବୁତ୍ତମାନେ ଓପାଡି ନେଇ ଯାଇଛନ୍ତି। ନିକଟରେ ଥିବା ଦୟାନଦୀ ପଠାରେ ଉକ୍ତ ଦାନବାକ୍ସକୁ ଭାଙ୍ଗି ତା’ମଧ୍ୟରେ ଥିବା ଟଙ୍କାକୁ ନେଇଯାଇଛନ୍ତି। ଶୁକ୍ରବାର ସକାଳେ ଏହି ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳର ଭକ୍ତ ଓ ଶ୍ରଦ୍ଧାଳୁମାନେ ଦୁଃଖରେ ଭାଙ୍ଗି ପଡିଛନ୍ତି। ଏ ସଂପର୍କରେ ଶ୍ରୀ ଗତିଶ୍ୱରଦେବ ଉନ୍ନୟନ ପରିଷଦ ପକ୍ଷରୁ ପୂର୍ଣ୍ଣଚନ୍ଦ୍ର ସାହୁ ପିପିଲି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଚଳାଇଛି।
ଏହି ଦୁଇ ମନ୍ଦିରକୁ ମିଶାଇ ଗତ ଦୁଇମାସ ମଧ୍ୟରେ ମୋଟ୍ ୫ଟି ମନ୍ଦିରରୁ ଚୋରି ହେଲାଣି। ଗତ ମେ ମାସ ୧୨ ତାରିଖ ରାତିରେ ସଁପୁର ପଞ୍ଚାୟତ ଅନ୍ତର୍ଗତ ରାଜତେଇ ଗ୍ରାମର ପ୍ରାଚୀନ ଶୈବପୀଠ ଶ୍ରୀ ସିଦେ୍ଧଶ୍ୱର ଦେବଙ୍କ ମନ୍ଦିରରୁ ୫ଟି ଅଷ୍ଟଧାତୁରେ ନିର୍ମିତ ପ୍ରାଚୀନ ମୂର୍ତ୍ତି ଓ ଅନ୍ୟ ୫ଟି ପିତଳରେ ନିର୍ମିତ ମୂର୍ତ୍ତି ଚୋରି ହୋଇଥିଲା। ସେହିପରି ଗତ ଜୁନ ୨ତାରିଖ ରାତିରେ ନୂଆଶାସନ ଗ୍ରାମର ଆରାଧ୍ୟ ଠାକୁର ପ୍ରଭୁ ଶ୍ରୀ ଲକ୍ଷ୍ମୀନୃସିଂହଙ୍କ ମନ୍ଦିରରୁ ୧୫ଟି ପ୍ରାଚୀନ ଅଷ୍ଟଧାତୁ ମୂର୍ତ୍ତି ଚୋରି ହୋଇଥିଲା। ଶହ ଶହ ବର୍ଷର ଏହି ମୂଲ୍ୟବାନ ପ୍ରାଚୀନ ମୂର୍ତ୍ତି ଗୁଡିକର ଉଚ୍ଚତା ଏକ ଫୁଟ୍ରୁ ଦେଢ ଫୁଟ୍ ମଧ୍ୟରେ ଅଟେ। ଏହା ସହିତ ଠାକୁରଙ୍କ ରୂପା କିରଟି, ଖଡୁ ସମେତ ଦୁର୍ବୁତ୍ତମାନେ ମନ୍ଦିର ମଧ୍ୟରେ ଥିବା ଦାନବାକ୍ସରୁ ଟଙ୍କା ଚୋରି କରି ନେଇଥିଲେ। ସବୁଠାରୁ ବଡ କଥା ହେଲା ଉକ୍ତ ମନ୍ଦିର ମୁଖ୍ୟ ପ୍ରବେଶ ଦ୍ୱାର ସମ୍ମୁଖରେ ଦୁଇଜଣ ପୁଲିସ କର୍ମଚାରୀ ରାତିରେ ମନ୍ଦିରକୁ ଜଗି ରହିଥିବା ବେଳେ ମନ୍ଦିର ଭିତରୁ ମୂର୍ତ୍ତି ସମେତ ଠାକୁରଙ୍କ ଅଳଙ୍କାର ଓ ଦାନବାକ୍ସ ଟଙ୍କା ଚୋରି ହୋଇଥିଲା। ସେହିପରି ଗତ ଜୁନ ୩୦ ତାରିଖ ରାତିରେ ତେଇସିପୁର ପଞ୍ଚାୟତର ଅନ୍ତର୍ଗତ ଆଳିଶ ଗ୍ରାମର ଆରାଧ୍ୟ ଠାକୁର ପ୍ରଭୁ ଶ୍ରୀ ବେଲେଶ୍ୱର ଦେବଙ୍କ ମନ୍ଦିରରୁ ଠାକୁରଙ୍କ ଚଳନ୍ତି ପ୍ରତିମା ଶିବ ଓ ପାର୍ବତୀଙ୍କ ଦେଢ ଫୁଟ୍ ଉଚ୍ଚତାର ୨ଟି ପ୍ରାଚୀନ ମୂର୍ତ୍ତି ଚୋରି ହୋଇଥିଲା। ସେହିପରି ଗତ ଡିସେମ୍ବର ୨୫ ତାରିଖ ରାତିରେ ତେଇସିପୁର ପଞ୍ଚାୟତ ଅନ୍ତର୍ଗତ ବାଲିଗାଁ ସ୍ଥିତ ଭକ୍ତ ଦାସିଆଙ୍କ ଜନ୍ମ ଓ ସାଧନାପୀଠରେ ଥିବା ଶ୍ରୀଜଗନ୍ନାଥଙ୍କ ମନ୍ଦିର ପରିସରରୁ ୫ଟି ଦାନବାକ୍ସରୁ ଟଙ୍କା ସମେତ ଠାକୁରଙ୍କ ଏକ ରୂପାବଂଶୀକୁ ଦୁର୍ବୁତ୍ତ ମାନେ ଚୋରି କରି ନେଇଥିଲେ। ଦିନକୁ ଦିନ ପିପିଲି ଥାନା ଅଞ୍ଚଳରେ ମନ୍ଦିର ଚୋରି ଘଟଣା ବୃଦ୍ଧି ପାଉଥିବା ବେଳେ ପୁଲିସର ନିଷ୍କ୍ରିୟତାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ଦିଗରେ ପୁରୀ ଏସ୍ପି ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି।
Comments are closed.