ପିପିଲି: ପିପିଲି ବ୍ଲକର ୨୪ନଂ ଜିଲା ପରିଷଦ ଜୋନ୍ ଅନ୍ତର୍ଗତ ତେଇସିପୁର ପଞ୍ଚାୟତର ପୋଡଙ୍ଗ ଗ୍ରାମ ଠାରେ କଂଗ୍ରେସ ଦଳର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଗତ ଫଣି’ ବାତ୍ୟାରେ ପିପିଲିରେ ଘରଭଙ୍ଗା ସହାୟତା ପାଇବାରୁ ଯୋଗ୍ୟ ହିତାଧିକାରୀ ବଞ୍ଚିତ ହେବା ଏବଂ ଆବାସ ଯୋଜନାରେ ହୋଇଥିବା ଦୁର୍ନିତୀକୁ ନେଇ ଆଗାମୀ ଦିନରେ କଂଗ୍ରେସ ଦଳ ପକ୍ଷରୁ ଆନ୍ଦୋଳନ କରାଯିବାକୁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି।
ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ନିଶିକାନ୍ତ ମିଶ୍ର ଏଥିରେ ଯୋଗଦେଇ କଂଗ୍ରେସ ଦଳକୁ ତୃଣମୂଳ ସ୍ତରରେ ଅଧିକ ମଜବୁତ୍ ଓ କ୍ରୀୟାଶୀଳ କରିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ଦଳର ନୀତି ଓ ଆଦର୍ଶ ସଂପର୍କରେ ଶ୍ରୀମିଶ୍ର ଆଲୋକପାତ କରିବା ସହ ସମସ୍ତଙ୍କୁ ସଂଗଠିତ ହୋଇ ସାଧାରଣ ଲୋକଙ୍କ ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଥାନା, ବ୍ଲକ, ତହସିଲ ଆଦି ସରକାରୀ କାର୍ଯ୍ୟାଳୟରେ ଯେପରି ସାଧାରଣ ଲୋକେ ହଇରାଣ, ହରକତ ନହୁଅନ୍ତି ସେଥିପ୍ରତି ଜୋନ୍ ସ୍ତରୀୟ କର୍ମକର୍ତ୍ତାମାନେ ଧ୍ୟାନ ଦେବାକୁ ଶ୍ରୀମିଶ୍ର କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଯୁବନେତା ଟୁଟୁ ପରିଡ଼ା, ମାନସ ଦାଶ, ସେକ୍ ମେହେବୁବ, ଭାସ୍କର ସାହୁ, ଭରତ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ମାଧବ ମୁଦୁଲି, ନିରଞ୍ଜନ ସ୍ୱାଇଁ, ଅନନ୍ତ ସ୍ୱାଇଁ, ରାମଜୀ ସାହାଣୀ, ସରୋଜ ସେଠୀ, ସୁରେନ୍ଦ୍ର ସେଠୀ ପ୍ରମୁଖ ଯୋଗଦେଇ ନିଜ ନିଜର ମତ ରଖିଥିଲେ। ଏଥିରେ ୨୪ନଂ ଜିଲା ପରିଷଦ ଜୋନ୍ର ସମସ୍ତ ବୁଥ୍ ସ୍ତରୀୟ କମିଟିର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ।



