ପିପିଲି : ପିପିଲି ଓ ଏହାର ଆଖପାଖ ଅଞ୍ଚଳରେ ବ୍ୟାପକ ଗଞ୍ଜେଇ ଚୋରା କାରବାର ହେଉଥିବା ନେଇ ଅଭିଯୋଗ ହୋଇ ଆସୁଥିବା ବେଳେ ପିପିଲି ପୁଲିସ ଏକ ପାନ ଦୋକାନ ଉପରେ ଚଢାଉ କରି ୮.୫ କେଜି ଗଞ୍ଜେଇ ଜବତ କରିବା ସହ ବାପ-ପୁଅଙ୍କୁ ଗିରଫ କରିଛି। ଗିରଫ ଦ୍ୱୟ ହେଲେ ଡିହସାହି ଗ୍ରାମର ବିନୋଦ ସ୍ୱାଇଁ (୬୨) ଓ ତାଙ୍କ ପୁଅ ବାମଦେବ ସ୍ୱାଇଁ ଓରଫ ବାବେଇ(୩୬)। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପିପିଲି ଥାନା ଆଇଆଇସି ଶରତ କୁମାର ସାହୁଙ୍କ ନିର୍ଦ୍ଦେଶରେ ମହିଳା ଏସ୍ଆଇ ସଂଘମିତ୍ରା ଚାନ୍ଦ, ଏଏସ୍ଆଇ ରବିନ୍ଦ୍ର କୁମାର ନାୟକ, ବିନୟ କୁମାର ଦାସ ପ୍ରମୁଖ ପିପିଲି ବାଇପାସ ରାସ୍ତାର ଡିହସାହି ଗ୍ରାମ୍ୟଛକ ଠାରେ ଥିବା ଜାଗେଶ୍ୱରୀ ପାନ ଦୋକାନ ଉପରେ ଚଢାଉ କରିଥିଲେ। ସେଠାରେ ଏକ ଜରି ଅଖା ଓ ବ୍ୟାଗ ମଧ୍ୟରେ ରଖାଯାଇଥିବା ୮.୫ କେଜି ଗଞ୍ଜେଇକୁ ପୁଲିସ ଜବତ କରିବା ସହ ଘଟଣା ସ୍ଥଳରୁ ବାପ-ପୁଅଙ୍କୁ ଧରିବାରେ ସକ୍ଷମ ହୋଇଥିଲା। ଏନେଇ ପୁଲିସରେ ଏକ ମାମଲା ରୁଜୁ ହୋଇଛି। ତଦନ୍ତକାରୀ ଅଧିକାରୀ ଏସ୍ଆଇ ସନ୍ଦୀପ କୁମାର ଦାସ ଅଭିଯୁକ୍ତ ବାପ-ପୁଅଙ୍କୁ ଗିରଫ କରି ଘଟଣାର ତଦନ୍ତ ଚଳାଇଥିବା ବେଳେ ଆସନ୍ତା କାଲି ଉଭୟଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।
Popular Categories



