ପିପିଲି: ନ୍ୟାୟ ପାଇବା ପାଇଁ ୫ଦିନ କାଳ ପିପିଲି ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା ସୁରଥ ଧଳଙ୍କ ପରିବାରକୁ ଶୁକ୍ରବାର ରାତିରେ ୧୦ଜଣ ଅଜଣା ବ୍ୟକ୍ତି ବିଭିନ୍ନ ଅଶ୍ଳିଳ ଭାଷାରେ ଗାଳିଗୁଲଚ କରିବା ସହ ଧମକ ଦେଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ସୁରଥଙ୍କ ପୁଅ ମାନଗୋବିନ୍ଦ ଧଳ ପିପିଲି ପୁଲିସରେ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ତାଙ୍କ ପରିବାରକୁ ଅଧିକ ସୁରକ୍ଷା ଦେବା ଓ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସେ ପୁଲିସକୁ ଅନୁରୋଧ କରିଛନ୍ତି। ଧାରଣାସ୍ଥଳରେ ଟଙ୍ଗା ଯାଇଥିବା ଏକ ବ୍ୟାନରକୁ ସେହି ରାତିରେ ଧମକ ଦେଇଥିବା ଉକ୍ତ ବ୍ୟକ୍ତିମାନେ ନେଇ ପଳାଇଥିବା ସଂପର୍କରେ ମାନଗୋବିନ୍ଦ ଅଭିଯୋଗ କରିଛନ୍ତି।
ନିଜ ପୈତୃକ ସଂପତ୍ତିକୁ ପାଇବା ଓ ପତ୍ନୀଙ୍କ ନାମରେ ଥିବା ଜମିରୁ ଜବରଦଖଲ ଉଚ୍ଛେଦ କରାଯିବା ଦାବିରେ କଣ୍ଟି ପଞ୍ଚାୟତ ଅନ୍ତର୍ଗତ ନିଜିଗଡକୁରୁଖି ଧଳସାହିର ବାସିନ୍ଦା ସୁରଥ ଧଳଙ୍କ ସମେତ ତାଙ୍କ ପତ୍ନୀ ସୁବାସିନୀ ଧଳ ନିଜର ତିନିପୁଅ ନାରାୟଣ, ଜନାର୍ଦ୍ଦନ, ମାନଗୋବିନ୍ଦ, ବୋହୁ ଲକ୍ଷ୍ମୀ ଧଳ ଓ ନାତିନାତୁଣୀଙ୍କୁ ସାଙ୍ଗରେ ଧରି ପିପିଲି ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମଙ୍ଗଳବାର ଠାରୁ ଧାରଣାରେ ବସିଛନ୍ତି।
ମାନଗୋବିନ୍ଦଙ୍କ ଅଭିଯୋଗ ଅନୁଯାଇ, ତାଙ୍କ ବାପା ସୁରଥ ଧଳଙ୍କର ପୈତୃକ ସଂପତ୍ତି ବାବଦରେ ଥିବା ୬.୨୫ ଏକର ଜମିର ଭୋଗଦଖଲରୁ ସେମାନେ ବଞ୍ଚିତ ହୋଇଥିବା ବେଳେ ଉକ୍ତ ଜମିକୁ ଅନ୍ୟମାନେ ଦଖଲ କରିଛନ୍ତି। ସେହିପରି ତାଙ୍କ ମାଆ ସୁବାସିନୀ ଧଳଙ୍କ ନାମରେ ଥିବା ୧.୭୧ ଏକର ଜମିର ୭ଡିସିମିଲ ଅଞ୍ଚଳକୁ ଜବରଦଖଲ କରାଯାଇ ସେଠାରେ ୧୨ବଖରା ଘର ନିର୍ମାଣ କରାଯାଇଛି। ଏହାର ପ୍ରତିବାଦ କରିବାକୁ ତାଙ୍କ ପରିବାରକୁ ବିଭିନ୍ନ ସମୟରେ ଧମକ ଦିଆଯିବା ଦ୍ୱାରା ସେମାନେ ଜୀବନ ଭୟରେ ନିଜ ଭିଟାମାଟି ଛାଡି ବାହାରେ ରହୁଛନ୍ତି। ଏଥିପାଇଁ ଭୟଭିତ ହୋଇ ତାଙ୍କ ଝିଆରି ଦ୍ୱୟ ମଧ୍ୟ ସ୍କୁଲକୁ ନଯାଇ ପାଠ ପଢିବାରୁ ବଞ୍ଚିତ ହୋଇଛନ୍ତି। ନ୍ୟାୟ ପାଇବା ପାଇଁ ଗତ ୨୦୧୭ ମସିହା ଜାନୁଆରୀ ୨୭ ତାରିଖରୁ ସେମାନେ ଭୁବନେଶ୍ୱରର ଗାନ୍ଧିମାର୍ଗରେ ପରିବାର ସହ ଧାରଣା ଦେଇ ଆସୁଥିବା ବେଳେ ମଙ୍ଗଳବାର ଠାରୁ ପିପିଲି ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପରିବାର ସହ ଧାରଣା ଦେଇଛନ୍ତି। ନ୍ୟାୟ ନମିଳିବା ଯାଏଁ ସେମାନେ ଧାରଣାରୁ ଉଠିବେ ନାହିଁ ବୋଲି ମାନଗୋବିନ୍ଦ ଚେତାବନୀ ଦେଇଛନ୍ତି। ସୁରଥଙ୍କ ପୈତୃକ ସଂପତ୍ତି ବାବଦ ୬.୨୫ ଏକର ଜମିକୁ ଫେରିପାଇବା, ସୁବାସିନୀ ଧଳଙ୍କ ନାମରେ ଥିବା ୧.୭୧ ଏକର ଜମିରୁ ଜବରଦଖଲ ଉଚ୍ଛେଦ କରାଯିବା ଓ ତାଙ୍କ ପରିବାରକୁ ଆବଶ୍ୟକ ସୁରକ୍ଷା ପ୍ରଦାନ କରାଯିବା ଦାବିରେ ଏହି ଧଳ ପରିବାର ଧାରଣାରେ ବସିଛନ୍ତି।
ଜାତୀୟ ଦଳିତ ଆଦିବାସୀ ମାଇନରିଟି ମହାସଂଘର ରାଜ୍ୟ ସଭାପତି ବିଜୟ କୁମାର ସେଠୀ ଶନିବାର ଧାରଣାସ୍ଥଳରେ ପହଞ୍ଚି ଧାରଣାରତ ଧଳ ପରିବାର ସହ ଆଲୋଚନା କରିଥିଲେ। ଏହି ଘଟଣାର ଏକ ସ୍ଥାୟୀ ସମାଧାନ କରାଯାଇ ଧାରଣାରତ ପରିବାରକୁ ନ୍ୟାୟ ପ୍ରଦାନ କରିବାକୁ ଶ୍ରୀସେଠୀ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି। ରାତିଅଧରେ ଏହି ଧାରଣାରତ ପରିବାରକୁ ଅଶ୍ଳିଳ ଭାଷାରେ ଗାଳିଗୁଲଚ କରି ଧମକ ଦେଇଥିବା ବ୍ୟକ୍ତିମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀସେଠୀ ଦାବି କରିଛନ୍ତି। ତେବେ ଏନେଇ ପିପିଲି ତହସିଲଦାରଙ୍କ କାର୍ଯ୍ୟାଳୟ ପକ୍ଷରୁ ଦୁଇଟି ନୋଟିସ ଧାରଣାସ୍ଥଳରେ ତଥା ତହସିଲ କାର୍ଯ୍ୟାଳୟ କାନ୍ଥରେ ମରାଯାଇଛି। ଧାରଣାରତ ସୁରଥଙ୍କ ଦାବି ତହସିଲ ପରିସର ବିଚାରଭୂକ୍ତ ନୁହେଁ ଏବଂ ବିନା ନୋଟିସ୍ରେ କୋଭିଡ୍ ସମୟରେ ତହସିଲ ପରିସରରେ ଧାରଣାରେ ବସିବା ପାଇଁ ବାରଣ କରାଯାଇ ନିଷେଧାଜ୍ଞା ଜାରି କରାଯାଇଥିବା ସଂପର୍କରେ ଉକ୍ତ ନୋଟିସ୍ରେ ଉଲ୍ଲେଖ କରାଯାଇଛି।



