www.samajalive.in
Monday, December 15, 2025
26.1 C
Bhubaneswar

ଦୟା ଓ ଭାର୍ଗବୀ ନଦୀବନ୍ଧର ସ୍ଥିତି ପରଖିଲେ ଜିଲାପାଳ ଓ ଏସ୍‍ପି

ପିପିଲି : ହୀରାକୁଦରୁ ବନ୍ୟାଜଳ ନିର୍ଗତ ଫଳରେ ପିପିଲି ଦେଇ ପ୍ରବାହିତ ଦୟା ଓ ଭାର୍ଗବୀ ନଦୀରେ ବନ୍ୟା ଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଏଥିଯୋଗୁଁ ନଦୀ ଉପକୂଳବର୍ତ୍ତୀ ଅଞ୍ଚଳବାସୀ ସମ୍ଭାବ୍ୟ ବନ୍ୟା ଆଶଙ୍କାରେ ଆତଙ୍କିତ ହୋଇପଡିଛନ୍ତି। ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁରୀ ଜିଲାପାଳ ଓ ଏସ୍‍ପି ଆଜି ଦୟା ଓ ଭାର୍ଗବୀ ନଦୀବନ୍ଧର ସ୍ଥିତି ପରଖି ଥିବା ସୂଚନା ମିଳିଛି।
ଜିଲାପାଳ ବଲୱନ୍ତ ସିଂ ଆଜି ଭାର୍ଗବୀ ନଦୀର ଦକ୍ଷିଣପାର୍ଶ୍ବ ବନ୍ଧର ସରସ୍ୱତୀପୁର ପଞ୍ଚାୟତ ଅନ୍ତର୍ଗତ ବାଲିଉପର ଗାଁ ସମେତ ଅନ୍ୟ କେତେକ ସ୍ଥାନରେ ପଡିଥିବା ଘଳିଆର ସ୍ଥିତିକୁ ପରଖିବା ସହ ହୋଇଥିବା ଓ ହେବାକୁଥିବା ଘଳିଆର ମରାମତି ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ବାଲିବସ୍ତା ସହ ଆନୁସଙ୍ଗିକ ବ୍ୟବସ୍ଥା କରିବାକୁ ସେଠାରେ ଉପସ୍ଥିତ ଜଳସମ୍ପଦ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରେ ଜିଲାପାଳ ଶ୍ରୀ ସିଂ ଏକ ବାଇକ୍‍ରେ ଭାର୍ଗବୀ ନଦୀର ସୁନାପଦା, ଜଗନ୍ନାଥପୁର ଦେଇ ଉତ୍ତରା ପର୍ଯ୍ୟନ୍ତ ଯାଇ ନଦୀବନ୍ଧକୁ ଟିକିନିଖି ଭାବେ ଯାଞ୍ଚ କରିଥିଲେ। ନଦୀବନ୍ଧ ଉପରେ ୨୪ଘଣ୍ଟିଆ ସତର୍କ ଦୃଷ୍ଟି ରଖିବା ସହ ଯୁଦ୍ଧକାଳୀନ ଭିତ୍ତିରେ ଘଳିଆ ମରାମତି ଓ ରାତ୍ର ପେଟ୍ରୋଲିଂକୁ କଡାକଡି କରିବାକୁ ସେ ଜଳସେଚନ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଜିଲାପାଳ ଶ୍ରୀ ସିଂ, ଏସ୍‍ପି ଅଖିଳେଶ୍ୱର ସିଂ ପ୍ରମୁଖ ଦୟାନଦୀର ମାଧିପୁର ଓ କଣ୍ଟି କାଜ ପରିଦର୍ଶନ କରି ବନ୍ୟା ପରିସ୍ଥିତିର ଅନୁଧ୍ୟାନ କରିବା ପରେ କାକୁଡିଆ ଠାରେ ପହଞ୍ଚିଥିଲେ। ସେଠାରେ ସ୍ଥାନୀୟ ବିଧାୟକ ପ୍ରଦୀପ ମହାରଥୀଙ୍କ ସମେତ ଜଳସଂପଦ ବିଭାଗର ଯନ୍ତ୍ରୀଙ୍କ ସହ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସଂପର୍କରେ ଆଲୋଚନା କରିବା ପରେ ଜିଲାପାଳ ଓ ଏସ୍‍ପି ଦୟାନଦୀ ବନ୍ଧ କୂଳରେ ଡେଲାଙ୍ଗ ଓ କଣାସ ଅଞ୍ଚଳ ଗସ୍ତ କରିଥିଲେ।

ଦୟାନଦୀର କଣ୍ଟି ଠାରେ ବିପଦ ସଙ୍କେତ ୧୦.୨୫ ମିଟର ରହିଥିବା ବେଳେ ସଂନ୍ଧ୍ୟା ୭ଟା ସୁଦ୍ଧା ୧୦.୯୦ ମିଟର ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ କଣ୍ଟି ଠାରେ ଥିବା କାଜରୁ ୩ଫୁଟ୍‍ ଉଚ୍ଚତାରେ ବନ୍ୟା ଜଳ ନଦୀ ମଧ୍ୟରୁ ନିଷ୍କାସିତ ହେଉଥିବା ବେଳେ ପିପିଲି-ଜଟଣୀ ରାସ୍ତାର ବାରିମୂଳ ଠାରୁ କଣ୍ଟି ପର୍ଯ୍ୟନ୍ତ ରାସ୍ତା ଉପରେ ୨ଫୁଟ୍‍ ଉଚ୍ଚତାରେ ବନ୍ୟାଜଳ ପ୍ରବାହିତ ହେଉଛି। ପିପିଲି-ଜଟଣୀ ରାସ୍ତାରୁ ବଡକଣ୍ଟି ଗ୍ରାମକୁ ସଂଯୋଗ କରିଥିବା ରାସ୍ତା ଉପରେ ୩ଫୁଟ୍‍ ଉଚ୍ଚତାରେ ବନ୍ୟାଜଳ ପ୍ରବାହିତ ହେବା ଫଳରେ ଉକ୍ତ ଗ୍ରାମକୁ ଯାତାୟତ ସଂପୂର୍ଣ୍ଣ ବନ୍ଦ ହୋଇଯାଇଥିବା ସୂଚନା ମିଳିଛି।

- Advertisement -

ସେହିପରି ଦୟାନଦୀର ମାଧିପୁର ଠାରେ ବିପଦ ସଙ୍କେତ ୧୧.୪୦୫ ମିଟର ରହିଥିବା ବେଳେ ସେଠାରେ ସଂନ୍ଧ୍ୟା ୭ଟା ସୁଦ୍ଧା ବନ୍ୟାଜଳ ୧୧.୬୮ ମିଟର ଉଚ୍ଚତାରେ ପ୍ରବାହିତ ହେଉଥିବା ସଂପର୍କରେ କଣ୍ଟି ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ମାଧବ ଚନ୍ଦ୍ର ଷଡଙ୍ଗୀ ସୂଚନା ଦେଇଛନ୍ତି। ମାଧିପୁର କାଜରୁ ମଧ୍ୟ ଦୁଇଫୁଟ୍‍ ଉଚ୍ଚତାରେ ବନ୍ୟାଜଳ ନଦୀ ମଧ୍ୟରୁ ନିର୍ଗତ ହେଉଛି। କଣ୍ଟି ଓ ମାଧିପୁର କାଜରୁ ନିର୍ଗତ ବନ୍ୟାଜଳ ଶହ ଶହ ହେକ୍ଟର ଜମିକୁ ଜଳମଗ୍ନ କରିଥିବା ବେଳେ ପିପିଲି ସମେତ ଡେଲାଙ୍ଗ ଓ କଣାସ ଅଞ୍ଚଳର ଚାଷଜମି ଗୁଡିକର ଫସଲ ବ୍ୟାପକ କ୍ଷୟକ୍ଷତି ହେବାର ଆଶଙ୍କା ସୃଷ୍ଟି ହୋଇଛି। ସେହିପରି ଭାର୍ଗବୀ ନଦୀର ହରିପୁର ଠାରେ ବିପଦ ସଙ୍କେତ ୧୨.୦୯୫ ମିଟର ରହିଥିବାବେଳେ ସଂନ୍ଧ୍ୟା ୭ଟା ସୁଦ୍ଧା ୧୨.୮୧୫ ମିଟର ଉଚ୍ଚତାରେ ବନ୍ୟାଜଳ ପ୍ରବାହିତ ହେଉଥିବା ସୂଚନା ମିଳିଛି। ହରିପୁର ଠାରେ ନଦୀ ପଠାରେ ଥିବା ଏକ ଠାକୁରାଣୀଙ୍କ ମନ୍ଦିର ସଂପୂର୍ଣ୍ଣ ଜଳଘେରରେ ରହିଥିବା ପରିଲକ୍ଷିିତ ହୋଇଛି। ଦୟାନଦୀର କାକୁଡିଆ ନଦୀପଠାରେ ବାସ କରୁଥିବା ୫୨ଜଣଙ୍କୁ ବହୁମୁଖି ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିବା ଓ ଆବଶ୍ୟକ ହେଲେ ସେମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବ ବୋଲି ତହସିଲଦାର ସପନ କୁମାର ନନ୍ଦ ସୂଚନା ଦେଇଛନ୍ତି।

ଦୟା ଓ ଭାର୍ଗବୀ ନଦୀରେ ବନ୍ୟାଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେବା ଫଳରେ ନଦୀ ଅବବାହିକା ଅଞ୍ଚଳବାସୀ ଏବେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନେଇ ଭୟଭିତ ଅବସ୍ଥାରେ ରହିଥିବା ସୂଚନା ମିଳିଛି। କଣ୍ଟି, ଭାରତୀପୁର, ପୋପରଙ୍ଗା, ପମସରା, ଓରକଳ, ଚାଇଁପୁର, ସିଂହବ୍ରହ୍ମପୁର , ଲକ୍ଷ୍ମୀନାରାୟଣପୁର, ଗୋବିନ୍ଦପୁର, ଜଗନ୍ନାଥପୁର, ନୂଆଶାସନ, ରୂପଦେଇପୁର, ସରସ୍ୱତୀପୁର, ରଥପୁରୁଷୋତ୍ତମପୁର ଆଦି ପଞ୍ଚାୟତର ଅଧିବାସୀମାନେ ବନ୍ୟା ଆଶଙ୍କାରେ ଆତଙ୍କିତ ହୋଇପଡିଛନ୍ତି। ଭାର୍ଗବୀ ନଦୀବନ୍ଧର ସରସ୍ୱତୀପୁର ପଞ୍ଚାୟତ ଅନ୍ତର୍ଗତ ବାଲିଉପର, ରଥପୁରୁଷୋତ୍ତମପୁର ପଞ୍ଚାୟତ ଅନ୍ତର୍ଗତ ବରହମପୁର, ଅଲାରପୁର ହରଦୁର୍ଗାସାହି, ଦୁର୍ଗାପୁର ସାହି ଆଦି ସ୍ଥାନରେ ସୃଷ୍ଟି ହୋଇଥିବା ଘଳିଆକୁ ସାକ୍ଷୀଗୋପାଳ ଜଳସମ୍ପଦ ବିଭାଗ ପକ୍ଷରୁ ବାଲିବସ୍ତା ପକାଯାଇ ମରାମତି କରାଯାଇଥିବା ସୂଚନା ମିଳିଛି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories