ପିପିଲି ଓ ସତ୍ୟବାଦୀରେ ବାର୍ଡ-ଫ୍ଲୁ: ୨ଟି ବ୍ଲକର ସଂକ୍ରମିତ ଅଞ୍ଚଳରୁ ମରାଗଲା ୨୬ହଜାରରୁ ଉର୍ଦ୍ଧ କୁକୁଡା, ମଙ୍ଗଳବାର ଠାରୁ ବାରି ଅଗଣାରେ ଥିବା କୁକୁଡା, ବତକଙ୍କୁ ମରାଯିବ

ପିପିଲି:ବାର୍ଡ-ଫ୍ଲୁ’ ପ୍ରଭାବିତ ପିପିଲି ଓ ସତ୍ୟବାଦୀ ବ୍ଳକ ଅଞ୍ଚଳରୁ ମୋଟ୍‌‌ ୨୬ହଜାର ୩୭୧ଟି କୁକୁଡାଙ୍କୁ ମରାଯାଇ ମାଟିରେ ପୋତାଯାଇଛି। ଉଭୟ ବ୍ଳକରେ ସଂକ୍ରମିତ ଅଞ୍ଚଳର ଫାର୍ମରୁ କୁକୁଡା ମରା ଶେଷ ହୋଇଥିବା ବେଳେ ମଙ୍ଗଳବାର ଠାରୁ ସଂକ୍ରମିତ ସ୍ଥାନର ୧କିଲୋମିଟର ପରିସୀମା ମଧ୍ୟରେ ରହିଥିବା ଅଞ୍ଚଳର ବାରି ଅଗଣାରେ ଥିବା କୁକୁଡା, ବତକ ଆଦିଙ୍କୁ ମରାଯିବା ଅଭିଯାନ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଏଥିସହ ଉଭୟ ବ୍ଳକର ସଂକ୍ରମିତ ଅଞ୍ଚଳ ମଧ୍ୟରେ ରହିଥିବା ସମସ୍ତ କୁକୁଡା ଫାର୍ମକୁ ବିଶୋଧନ କରାଯିବା କାର୍ଯ୍ୟ ଚାଲୁରହିଛି। ଏହି କୁକୁଡା ମରା ଓ ଫାର୍ମ ବିଶୋଧନ ଅଭିଯାନରେ ପିପିଲି ବ୍ଲକରେ ୧୩ଟି ଓ ସତ୍ୟବାଦୀ ବ୍ଳକରେ ୮ଟି ରାପିଡ୍‌‌ ରେସ୍‌‌ପନ୍ସ ଟିମ୍‌‌ର ସଦସ୍ୟମାନେ ସାମିଲ ଥିବା ସୂଚନା ମିଳିଛି।

ପିପିଲି ଓ ସତ୍ୟବାଦୀ ଅଞ୍ଚଳର କେତେକ କୁକୁଡା ଫାର୍ମରେ ଗତ କିଛିଦିନ ହେଲା ଲଗାତର ଭାବେ ଦୈନିକ ଶହ ଶହ ସଂଖ୍ୟାରେ କୁକୁଡା ମଡକ ହୋଇଥିଲା। ଫୁଲନଖରା ସ୍ଥିତ ପ୍ରାଣୀସଂପଦ ରୋଗ ଅନୁସନ୍ଧାନ କେନ୍ଦ୍ରର (ଏ.ଡି.ଆର୍‌‌.ଆଇ) ବିଶେଷଜ୍ଞ ମାନେ ତେଇସିପୁର ପଞ୍ଚାୟତ ଅନ୍ତର୍ଗତ ଆବଲପୁର ଗ୍ରାମର ଏକ କୁକୁଡା ଫାର୍ମରୁ ଓ ସତ୍ୟବାଦୀ ବ୍ଳକ ରାୟଚକ୍ରଧରପୁର ନିକଟ ଧୋଜାମୁଣ୍ଡାଇ ଅଞ୍ଚଳରେ ଥିବା ଏକ କୁକୁଡା ଫାର୍ମରୁ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଭୋପାଳ ସ୍ଥିତ ନ୍ୟାସନାଲ ଇନ୍‌‌ଷ୍ଟିଚ୍ୟୁଟ୍‌‌ ଫର ହାଇ ସିକ୍ୟୁରିଟି ଆନିମଲ ଡିଜିଜେସ୍‌‌ (ଏନ୍‌‌ଆଇଏଚ୍‌‌ଏସ୍‌‌ଏଡି)କୁ ପଠାଇଥିଲେ। ଗତ ୨୩ ତାରିଖରେ ପ୍ରକାଶିତ ରିପୋର୍ଟରେ ଏଚ୍‌‌୫ଏନ୍‌‌୧ ଏଭିଆନ୍‌‌ ଇନ୍‌‌ଫ୍ଲୁଏନ୍‌‌ଜା ଭାଇରସ ଚିହ୍ନଟ ହେବା ପରେ ଉଭୟ ଫାର୍ମର ୧କିଲୋମିଟର ପରିସୀମା ମଧ୍ୟରେ ରହିଥିବା ସମସ୍ତ କୁକୁଡା ଫାର୍ମରୁ କୁକୁଡାଙ୍କୁ ମରାଯିବା ସହ ଫାର୍ମ ଗୁଡିକୁ ସଂପୂର୍ଣ୍ଣ ବିଶୋଧନ କରାଯିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା।

ପିପିଲି ବ୍ଳକ ତେଇସିପୁର ପଞ୍ଚାୟତର ଆବଲପୁର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ମୋଟ୍‌‌ ୫୪ଟି ଫାର୍ମରୁ ୨୦ହଜାର ୧ଶହ ଓ ସତ୍ୟବାଦୀ ବ୍ଲକ ଧୋଜାମୁଣ୍ଡାଇ ଓ ଏହାର ନିକଟବର୍ତ୍ତି ଅଞ୍ଚଳରେ ଥିବା ୧୦ଟି କୁକୁଡା ଫାର୍ମରୁ ୧୮ହଜାର ୨୫୦ କୁକୁଡାଙ୍କୁ ମରାଯିବା ପାଇଁ ପ୍ରାଣୀ ସଂପଦ ବିଭାଗ ପକ୍ଷରୁ ୨୪ ତାରିଖ ଠାରୁ ଅଭିଯାନ ଆରମ୍ଭ ହୋଇଥିଲା। ତେବେ ଧୋଜାମୁଣ୍ଡାଇ ଓ ଏହାର ଆଖପାଖ ଅଞ୍ଚଳରେ ଥିବା ୩ଟି ଫାର୍ମରୁ କୁକୁଡା ଖାଲି ହୋଇଯାଇଥିବା ବେଳେ ଅବଶିଷ୍ଟ ୭ଟି ଫାର୍ମରୁ ୧୪୬୩୫ଟି କୁକୁଡାଙ୍କୁ ୨ଦିନ ମଧ୍ୟରେ ମରାଯାଇ ମାଟିରେ ପୋତାଯାଇଥିବା ସଂପର୍କରେ ସତ୍ୟବାଦୀ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ବାଣୀକାନ୍ତ ଖଟୁଆ ସୂଚନା ଦେଇଛନ୍ତି। ସେହିପରି ପିପିଲି ବ୍ଳକର ସଂକ୍ରମିତ ଅଞ୍ଚଳ ମଧ୍ୟରେ ଚିହ୍ନଟ କରାଯାଇଥିବା ୫୪ଟି କୁକୁଡା ଫାର୍ମ ମଧ୍ୟରୁ ୪୩ଟି କୁକୁଡା ଫାର୍ମରେ କୌଣସି କୁକୁଡା ନଥିବା ବେଳେ ଅବଶିଷ୍ଟ ୧୧ଟି କୁକୁଡା ଫାର୍ମରେ ବଞ୍ôଚଥିବା ୨୦ହଜାର ୧ଶହ କୁକୁଡାଙ୍କୁ ମରାଯିବା ପାଇଁ ଶନିବାର ଠାରୁ ଅଭିଯାନ ଆରମ୍ଭ ହୋଇଥିଲା।

୩ଦିନ ମଧ୍ୟରେ ଏହି ଅଞ୍ଚଳରୁ ମୋଟ୍‌‌ ୧୧ହଜାର ୭୩୬ଟି ଜୀବନ୍ତ କୁକୁଡାଙ୍କୁ ମରାଯାଇ ମାଟିରେ ପୋତାଯାଇଥିବା ସଂପର୍କରେ ପ୍ରାଣୀ ସଂପଦ ବିକାଶ ବିଭାଗ, କଟକର ଅତିରିକ୍ତ ନିର୍ଦ୍ଦେଶକ (ରୋଗ ନିୟନ୍ତ୍ରଣ) ଡାକ୍ତର ଜଗନ୍ନାଥ ନନ୍ଦ ସୂଚନା ଦେଇଛନ୍ତି। ତେବେ ପିପିଲିର ସଂକ୍ରମିତ ୫ଟି ଫାର୍ମରୁ କୁକୁଡାଙ୍କୁ ମରାଯାଇଥିବା ବେଳେ ଅବଶିଷ୍ଟ ୬ଟି ଫାର୍ମରେ କୌଣସି କୁକୁଡା ନଥିବା ସଂପର୍କରେ ପିପିଲି ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଆଲୋକ ମିଶ୍ର ସୂଚନା ଦେଇଛନ୍ତି। ଉଭୟ ବ୍ଳକର ସଂକ୍ରମିତ ଅଞ୍ଚଳରେ ରହିଥିବା କୁକୁଡା ଫାର୍ମରୁ ସମସ୍ତ କୁକୁଡାଙ୍କୁ ମରାଯାଇଥିବା ସୂଚନା ମିଳିଛି। ମଙ୍ଗଳବାର ଠାରୁ ଉଭୟ ବ୍ଲକର ସଂକ୍ରମିତ ସ୍ଥାନର ୧କିଲୋମିଟର ପରିସୀମା ଅଞ୍ଚଳ ମଧ୍ୟରେ ବାରି ଅଗଣାରେ ଥିବା କୁକୁଡା ଓ ବତକ ଆଦିଙ୍କୁ ମରାଯିବା ଅଭିଯାନ ଆରମ୍ଭ ହେବ ବୋଲି ଉଭୟ ବ୍ଲକର ପ୍ରାଣୀ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି। ପିପିଲିରେ କୁକୁଡା ମରା ଓ କୁକୁଡା ଫାର୍ମ ବିଶୋଧନ କାର୍ଯ୍ୟରେ ନିୟୋଜିତ ରାପିଡ୍‌‌ ରେସ୍‌‌ପନ୍ସ ଟିମ୍‌‌ର ସଦସ୍ୟମାନଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ଓ ଚିକିତ୍ସା ପାଇଁ ପୁରୀର ସ୍ୱାସ୍ଥ୍ୟ ବିଭାଗର ମହାମାରୀ ବିଶେଷଜ୍ଞ ଡାକ୍ତର ଶିଳ୍ପୀ ଦାଶ ଦାୟିତ୍ୱରେ ରହିଥିବା ସୂଚନା ମିଳିଛି।

ଏହି ଅଭିଯାନରେ ସାମିଲ ଥିବା ପ୍ରାଣୀ ସଂପଦ ବିଭାଗର କର୍ମଚାରୀଙ୍କୁ ପ୍ରତ୍ୟେକ ଦିନ ପ୍ରତିଷେଧକ େଓøଷଧ ପ୍ରଦାନ କରାଯାଉଥିବା ଏବଂ ଜରୁରୀ ପରିସ୍ଥିତି ପାଇଁ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଗୋଟିଏ ପ୍ରକୋଷ୍ଠକୁ ପ୍ରସ୍ତୁତ କରାଯାଉଥିବା ସଂପର୍କରେ ସେ ସୂଚନା ଦେଇଛନ୍ତି। ତେବେ ପିପିଲି, ଡେଲାଙ୍ଗ, କଣାସ, ସତ୍ୟବାଦୀ, ଚନ୍ଦନପୁର ଆଦି ଅଞ୍ଚଳର ସମସ୍ତ କ୍ଷତିଗ୍ରସ୍ତ କୁକୁଡା ଚାଷୀଙ୍କୁ ସରକାରଙ୍କ ପକ୍ଷରୁ ପର୍ଯ୍ୟାପ୍ତ ପରିମାଣରେ ସହାୟତା ରାଶି ପ୍ରଦାନ କରିବାକୁ ଦାବି କରି ପୋଲଟ୍ରି ଫାର୍ମର୍ସ ଡେଭଲପମେଣ୍ଟ ଫୋରମ, ଓଡିଶା ର ରାଜ୍ୟ ସଂପାଦକ ପ୍ରଦ୍ୟୁମ୍ନ ପରିଡାଙ୍କ ନେତୃତ୍ୱରେ ଶତାଧିକ ଚାଷୀ ସୋମବାର ଅପରାହ୍ନରେ ମଙ୍ଗଳପୁର ଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏ ସଂପର୍କରେ ଜିଲାପାଳଙ୍କ ମାଧ୍ୟମରେ ସରକାରଙ୍କୁ ଦାବିପତ୍ର ପ୍ରଦାନ କରାଯିବ ବୋଲି ଶ୍ରୀପରିଡା ସୂଚନା ଦେଇଛନ୍ତି।

ତେବେ ପୁରୀ ଜିଲାର ଏହି ଦୁଇଟି ବ୍ଲକ ଅଞ୍ଚଳରେ ବାର୍ଡ-ଫ୍ଲୁ ରୋଗ ଚିହ୍ନଟ ହେବା ପରେ ୱେଷ୍ଟବେଙ୍ଗଲ ପୋଲଟ୍ରି ଫେଡେରେସନ ପକ୍ଷରୁ ଓଡିଶାରୁ ପଶ୍ଚିମବଙ୍ଗକୁ କୁକୁଡା ଓ କୁକୁଡା ଜାତ ଦ୍ରବ୍ୟର ଆମଦାନୀ ଉପରେ ରବିବାର ରୋକ୍‌‌ ଲଗାଯାଇଛି। ଏଥିଯୋଗୁ ରାଜ୍ୟର କୁକୁଡା ଚାଷୀ ଓ ବ୍ୟବସାୟୀମାନେ ଚିନ୍ତାରେ ପଡିଥିବା ବେଳେ ସୋମବାର ରାତିରେ ପିପିଲି ଅଞ୍ଚଳର ବିଭିନ୍ନ କୁକୁଡା ଫାର୍ମରୁ ବହୁ ସଂଖ୍ୟାରେ କୁକୁଡା ଅନ୍ୟ ପଡୋଶୀ ରାଜ୍ୟକୁ ରପ୍ତାନୀ କରାଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି।

Comments are closed.