www.samajalive.in
Friday, December 12, 2025
15.1 C
Bhubaneswar

ଅବସରପ୍ରାପ୍ତ ସେନା ଅଧିକାରୀ ଓ ସୈନିକଙ୍କୁ ଭବ୍ୟ ସ୍ୱାଗତ

ପିପିଲି : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତୀ ଅବସରରେ ଅଗ୍ରଣୀ ନାଗରିକ ସଂଗଠନ ପିପିଲି ସାଂସ୍କୃତିକ ପରିଷଦ ପକ୍ଷରୁ ନୂଆଶାସନ ପଞ୍ଚାୟତ ଅନ୍ତର୍ଗତ ଚଉଦମାଣ ଗ୍ରାମରେ ପବିତ୍ର ରଜପର୍ବ ଅବସରରେ ‘ଆଜାଦି କା ଅମୃତ ମହୋତ୍ସବ’ ପାଳନ କରାଯାଇଛି। ଏହି ଅବସରରେ ଅବସରପ୍ରାପ୍ତ ସେନା ଅଧିକାରୀ ଓ ସୈନିକ ମାନଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା।
ପିପିଲି ସାଂସ୍କୃତିକ ପରିଷଦର ମୁଖ୍ୟ ଉପଦେଷ୍ଠା ଲେଫ୍‌‌ନାଣ୍ଟ ଜେନେରାଲ ନାରାୟଣ ମହାନ୍ତିଙ୍କୁ ଗ୍ରାମବାସୀମାନେ ଭବ୍ୟ ସ୍ୱାଗତ କରିବା ପରେ ଜାତୀୟ ସଙ୍ଗୀତ ଗାନ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ପରେ ଭାରତମାତା ଓ ବିଭିନ୍ନ ମହାପୁରୁଷଙ୍କ ବେଶଧାରୀ ୧୧ଟି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ଅବସରପ୍ରାପ୍ତ ସୈନିକମାନେ ଏକ ସୁସଜ୍ଜିତ ପଟ୍ଟୁଆରରେ ୧କିଲୋମିଟର ଲମ୍ବର ଗ୍ରାମଦାଣ୍ଡକୁ ପରିକ୍ରମା କରିବା ଦୃଶ୍ୟ ବେଶ ମନୋରମ ଥିଲା। ରାସ୍ତାର ଉଭୟ ପାଶ୍ୱର୍ରେ ଶତାଧିକ ମହିଳା ଓ ଯୁବତୀମାନେ ଅମୃତ ମହୋତ୍ସବର ଝୋଟି ପକାଇବା ସହ ହୁଳହୁଳି ଓ ଫୁଲ ଚନ୍ଦନ ଦେଇ ସେମାନଙ୍କୁ ଭବ୍ୟ ସ୍ୱାଗତ କରିବା ଦୃଶ୍ୟ ଅତି ଆକର୍ଷଣୀୟ ଥିଲା। ଏହି ଅବସରରେ ଚଉଦମାଣ ମେଳଣ ପଡିଆଠାରେ ଆୟୋଜିତ ଫଟୋ ପ୍ରଦର୍ଶନୀକୁ ଲେଫ୍‌‌ନାଣ୍ଟ ଜେନେରାଲ ନାରାୟଣ ମହାନ୍ତି ଉଦ୍‌‌ଘାଟନ କରିଥିଲେ। ପରେ ଶ୍ରୀମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ମଧୁସୁଦନ ଆଇନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର କମଳଜିତ ସିଂହ, ମୁଖ୍ୟବକ୍ତା ଭାବେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରସନ୍ନ କୁମାର ସ୍ୱାଇଁ, ସିନେ ତାରକା ବବି ମିଶ୍ର ପ୍ରମୁଖ ଯୋଗଦେଇ ଆଜାଦି କା ଅମୃତ ମହୋତ୍ସବ ପାଳନର ଉଦ୍ଦେଶ୍ୟ ଓ ଭାରତର ସ୍ୱାଧୀନତା ସଂଗ୍ରାମର ଇତିହାସ ସଂପର୍କରେ ଆଲୋକପାତ କରିଥିଲେ। ନିଜ ଜୀବନକୁ ଉତ୍ସର୍ଗ କରି ଦେଶକୁ ସ୍ୱାଧୀନତା ଆଣିଥିବା ମହାନ ଜନନାୟକ ଓ ମହାପୁରୁଷଙ୍କ ଜୀବନବ୍ୟାପି ସାଧନା ଓ ସଂଘର୍ଷକୁ ଅତିଥିମାନେ ମନେପକାଇବା ସହ ନିଜକୁ ଜଣେ ଦେଶସେବକ ଓ ଭଲମଣିଷ ଭାବେ ଗଢିତୋଳିବା ପାଇଁ ଉପସ୍ଥିତ ଛାତ୍ରଛାତ୍ରୀ ଓ ଯୁବଗୋଷ୍ଠୀଙ୍କୁ ସେମାନେ ପରାମର୍ଶ ଦେଇଥିଲେ।

ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଶ୍ରଦ୍ଧାଞ୍ଜଳୀ ଦାସ, ପୂର୍ବତନ ସରପଞ୍ଚ ସୌମ୍ୟକାନ୍ତ ଦାଶ ଓ ଗ୍ରାମ୍ୟ ମୁରବି ପଦ୍ମନାଭ ପ୍ରଧାନ ପ୍ରମୁଖ ଯୋଗଦେଇ ଓଡିଆ କଳା, ସଂସ୍କୃତି, ପରମ୍ପରା ଓ ଚଳଣି ଉପରେ ବକ୍ତବ୍ୟ ରଖିଥିଲେ। ପରିଷଦର ମୁଖ୍ୟ ସଂପାଦକ ତଥା ଅବସରପ୍ରାପ୍ତ ସେନା ଅଧିକାରୀ ରମେଶ ଚନ୍ଦ୍ର ମହାପାତ୍ର ‘ଆଜାଦି କା ଅମୃତ ମହୋତ୍ସବ’ ବିବରଣୀ ପାଠ କରିବା ଅବସରରେ ସ୍ୱାଧିନତା ସଂଗ୍ରାମରେ ପିପିଲି ଓ ଡେଲାଙ୍ଗର ଅବଦାନ ସଂପର୍କରେ ଆଲୋକପାତ କରିଥିଲେ। ସହ-ସଂପାଦକ ସମାଜସେବୀ ଦୀନବନ୍ଧୁ ବେହୁରା ପରିଷଦର ବିବରଣୀ ପାଠ କରିଥିବା ବେଳେ ଶିକ୍ଷାବିତ୍‌‌ ହେମନ୍ତ କୁମାର ପ୍ରଧାନ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ପରିଷଦ ପକ୍ଷରୁ ପ୍ରକାଶିତ ଆଜାଦି କା ଅମୃତ ମହୋତ୍ସବ ସ୍ମରଣିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଏହି ଅବସରରେ ଅବସରପ୍ରାପ୍ତ ସୈନିକ ଓ ମହାପୁରୁଷଙ୍କ ବେଶଧାରୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଅଧ୍ୟାପକ ଶଙ୍କର ପ୍ରସାଦ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ପଲ୍ଲବୀ ନୃତ୍ୟ ଗବେଷଣା କେନ୍ଦ୍ର ଓ ପ୍ରାଚୀ ସଙ୍ଗୀତ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଚିତ୍ତାକର୍ଷକ ନୃତ୍ୟ ପରିବେଷଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ପରିଷଦର ସଞ୍ଜୟ ମହାନ୍ତି, ଜଗଦିଶ ସାହୁ, ସମ୍ବିତ ମହାନ୍ତି, ସଦାଶିବ ବାରିକ, ଅନ୍ତର୍ଯ୍ୟାମୀ ମହାପାତ୍ର, ଲକ୍ଷ୍ମୀପ୍ରୀୟା ଜେନା, ସୋନାଲିକା ଖଟେଇ, ସୁବ୍ରତ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories