ପିପିଲି :ପିପିଲି ଥାନା ଅନ୍ତର୍ଗତ କଣ୍ଟି ମହାବୀର ବଜାର ଉପରେ ଥିବା ମହାବୀର ଏଜେନ୍ସି ନାମକ ଏକ ହୋଲ୍ସେଲ୍ ଭେରାଇଟି ଦୋକାନର ପଛପଟ ପଥର କାନ୍ଥକୁ ତାଡି ମଙ୍ଗଳବାର ରାତିରେ ଦୁର୍ବୁତ୍ତମାନେ ୭ଲକ୍ଷରୁ ଉର୍ଦ୍ଧମୂଲ୍ୟର ବିଭିନ୍ନ ସାମଗ୍ରୀ ଓ ନଗଦ ୮୦ ହଜାର ଟଙ୍କା ଲୁଟି ନେଇଥିବା ସଂପର୍କରେ ପିପିଲି ପୁଲିସରେ ଅଭିଯୋଗ ହୋଇଛି।
ମହାବୀର ଏଜେନ୍ସିର ମାଲିକ ପ୍ରଦୀପ୍ତ ଦଳେଇଙ୍କ ଅଭିଯୋଗ ମୁତାବକ, ଲକ୍ଡାଉନ୍ ଯୋଗୁଁ ତାଙ୍କ ଦୋକାନ ବନ୍ଦ ରହିଥିଲା। ଆଜି ସକାଳେ ସେ ଦୋକାନକୁ ପୂଜା କରିବାକୁ ଯାଇଥିବା ବେଳେ ଲୁଟ୍ ହୋଇଥିବା ଦେଖିବାକୁ ପାଇଥିଲେ। ମଙ୍ଗଳବାର ବିଳମ୍ବିତ ରାତିରେ କେତେକ ଦୁର୍ବୁତ୍ତ ଉକ୍ତ ଦୋକାନ ପଛପଟ ପଥର କାନ୍ଥକୁ ତାଡି (ସିନ୍ଧି କରି) ଦୋକାନ ମଧ୍ୟରେ ପ୍ରବେଶ କରିବା ସହ ସେଠାରେ ଥିବା ବହୁ ପରିମାଣର ହର୍ଲିକ୍ସ, ସ।।ବୁନ, ଅମୂଲ ଆଦି ପେଟିପେଟି ସାମଗ୍ରୀ ଓ ନାମୀଦାମୀ କମ୍ପାନୀର ଏକାଧିକ ମୋବାଇଲ ଲୁଟି ନେଇଛନ୍ତି। ଦୋକାନରେ ଲଗାଯାଇଥିବା ସିସିଟିଭି କ୍ୟାମେରା, ଡିଭିଆର୍ ମେସିନ୍ ସମେତ କ୍ୟାସ୍ବାକ୍ସରେ ଥିବା ନଗଦ ୭୫ହଜାର ଟଙ୍କା ଓ ୫ହଜାର ଟଙ୍କାର କଏନ୍କୁ ଦୁର୍ବୁତ୍ତମାନେ ଲୁଟି ନେଇଛନ୍ତି। ଗଲାବେଳେ ଦୁର୍ବୁତ୍ତମାନେ ଏକ ଲୁହା ଶାବଳକୁ ସେଠାରେ ଛାଡି ପଳାଇଥିବା ପରିଲକ୍ଷିତ ହୋଇଥିଲା। ଏନେଇ ପିପିଲି ପୁଲିସରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ତେବେ ନିକଟସ୍ଥ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଲଗାଯାଇଥିବା ସିସି କ୍ୟାମେରା ର ଫୁଟେଜ୍କୁ ନେଇ ତଦନ୍ତ କଲେ ଦୁର୍ବୁତ୍ତଙ୍କ ସଂପର୍କରେ ସୁରାକ୍ ମିଳି ପାରନ୍ତା ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳର ବ୍ୟବସାୟୀଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି କରିଛି।



