BJD Bijuli 480×75 Mob

ମହିଳାଙ୍କ ବଦାନ୍ୟତା ଘଟଣା: ପ୍ରତିଶ୍ରୁତି ପାଳନ କଲା ମନ୍ଦିର ପରିଚାଳନା କମିଟି, ହେଲା ନୂତନ ଗୃହ ପ୍ରବେଶ

BJD Bijuli 480×75 Mob

ଫୁଲବାଣୀ: ୧୬ ଡିସେମ୍ବର ୨୦୨୨ ମସିହାରେ ଫୁଲବାଣୀ ସହରର ଜଣେ ମହିଳା ଦେଖାଇଥିଲେ ବଦାନ୍ୟତା। ନିଜେ ବର୍ଷ ବର୍ଷ ଧରି ଫୁଲବାଣୀ ଜଗନ୍ନାଥ ମନ୍ଦିର ଦୂଆରେ ବସି ଭିକ୍ଷା ମାଗି ଯେଉଁ ପୁଞ୍ଜି ଯୋଗାଡ଼ କରିଥିଲେ ତାହାକୁ ସେ ଜଗନ୍ନାଥଙ୍କ ଚରଣରେ ହିଁ ସମର୍ପି ଦେଇଥିଲେ। ଜଗନ୍ନାଥ ମନ୍ଦିରର ପ୍ରଥମ ମନ୍ଦିର ସଂପୂର୍ଣ୍ଣଭାବେ ଭଗ୍ନ ଅବସ୍ଥାରେ ପଡ଼ିରହିଥିବା ବେଳେ ତାହାର ଉନ୍ନତିକରଣ ପାଇଁ ସେ ୧ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ ମନ୍ଦିର ପରିଚାଳନା କମିଟିକୁ। ସେ ମହିଳା ଜଣକ ହେଉଛନ୍ତି ତୁଳା ବେହେରା। ସେହିିଦିନ ହିଁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ତୁଳା ବେହେରାଙ୍କୁ ଆଜୀବନ ସଦସ୍ୟଭାବେ ଗ୍ରହଣ କରିବା ସହିତ ପ୍ରତ୍ୟେକ ଦିନ ମନ୍ଦିର ପାଇଁ ଯେଉଁ ଭୋଗ ହୋଇଥାଏ ତାଙ୍କରି ନାମରେ ମଧ୍ୟ ପ୍ରତ୍ୟେକ ଦିନ ଗୋଟିଏ ଭୋଗ ସେ ଗ୍ରହଣ କରିବେ ବୋଲି କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ଏହା ସହିତ ଅସହାୟ ତୁଳାଙ୍କୁ ମନ୍ଦିର କମିଟି ପକ୍ଷରୁ ମନ୍ଦିର ନିକଟରେ ଏକ ନୂତନ ଗୃହ ମଧ୍ୟ ନିର୍ମାଣ କରାଯାଇ ପ୍ରଦାନ କରାଯିବା ସହିତ ତାଙ୍କର ଶେଷ ଜୀବନ ପର୍ଯ୍ୟନ୍ତ ମନ୍ଦିର କମିଟି ଦାୟିତ୍ୱ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି ପ୍ରକାରେ ତୁଳା ବେହେରାଙ୍କୁ ମନ୍ଦିର କମିଟି ପକ୍ଷରୁ ମନ୍ଦିର ପରିସରରେ ଯୋଗାଇ ଦିଆଯାଇଛି ଏକ ନବ ନିର୍ମିତ ଗୃହ। ଶନିବାର ଥିଲା ତୁଳା ବେହେରାଙ୍କ ନୂତନ ଗୃହ ପ୍ରବେଶ ଉତ୍ସବ। ଏହି ଅବସରରେ ପୂଜାର୍ଚ୍ଚନା କରାଯିବା ସହିତ ଗୃହ ପ୍ରବେଶ କରାଯାଇଥିଲା। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥିଭାବେ ଫୁଲବାଣୀ ଆଇ.ଟି.ଡ଼ି.ଏର ପ୍ରକଳ୍ପ ପ୍ରଶାସକ ପ୍ରବୀଣ କୁମାର ବାଣୁଆ ଯୋଗଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ମନ୍ଦିର ପରିଚାଳନା କମିଟିର ସଂପାଦକ ହରିଶ୍ଚନ୍ଦ୍ର ମହାରଣା, ଯୁଗ୍ମ ସଂପାଦକ ଶରତ ଚନ୍ଦ୍ର ସାହୁ, ସଭ୍ୟ ପ୍ରସନ୍ନ ବିଶୋୟୀ, ରଜତ ମହାନ୍ତି, ସରୋଜ ପଟନାୟକ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ସେଠାରେ ସେ ଶେଷ ଜୀବନ ପର୍ଯ୍ୟନ୍ତ ରହିବେ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ କୁହାଯାଇଛି।

ପ୍ରକାଶ ଯେ, ତୁଳା ବେହେରାଙ୍କ ନିଜ ଘର କେଉଁଠି ସେହି କହି ପାରୁନାହାନ୍ତି। ବର୍ତ୍ତମାନ ତୁଳାଙ୍କ ବୟସ ପାଖାପାଖି ୭୩ରେ ପହଞ୍ଚିଲାଣି। ଦୀର୍ଘ ବର୍ଷ ତଳେ ଫୁଲବାଣୀ ବ୍ଲକ ଅନ୍ତର୍ଗତ ଦୁବଗଡ଼ ଅଞ୍ଚଳର ପ୍ରଫୁଲ୍ଲ ବେହେରା ନାମକ ଜଣେ ଭିନ୍ନକ୍ଷମଙ୍କୁ ବିବାହ କରିଥିଲେ। ଯିଏକି ପେଷାରେ ଥିଲେ ଜଣେ ଭିକ୍ଷୁକ। ଉଭୟ ସାହିକୁ ସାହି ବୁଲି ଭିକ୍ଷା ବୃତ୍ତି କରି ଯାହା ପାଉଥିଲେ ସେଥିରେ ତାଙ୍କର ପରିବାର ଚଳୁଥିଲା। ପୁଲା-ଛୁଆ କେହି ନଥିବା ବେଳେ ପ୍ରାୟ ୨୩ ବର୍ଷ ତଳେ ସ୍ୱାମୀ ପ୍ରଫୁଲ୍ଲ ବେହେରାଙ୍କର ଦେହାନ୍ତ ଘଟିଛି। ଏକୁଟିଆ ସେ ବଞ୍ଚିବା ପାଇଁ ସଂଗ୍ରାମ ଜାରି ରଖିଥିବା ବେଳେ ଆଉ ସେ ପୂର୍ବପରି ସାହିକୁ ସାହି ବୁଲି ଭିକ୍ଷା କରିବା ସମ୍ଭବ ହୋଇନଥିଲା। ତେଣୁ ସେ ଦୀର୍ଘ ବର୍ଷ ହେଲା ଫୁଲବାଣୀ ଜଗନ୍ନାଥ ମନ୍ଦିର, ଫୁଲବାଣୀ ସାହି ସ୍ଥିତ ଶିବ ମନ୍ଦିର ଓ ଶିରିଡ଼ି ଯାଇ ମନ୍ଦିରରେ ଭିକ୍ଷାବୃତ୍ତି କରି ଜୀବନ ବିତାଉଥିଲେ। ଫୁଲବାଣୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହେବା ଦିନଠାରୁ ସେ ମନ୍ଦିର ଆଗରେ ବସି ଭିକ୍ଷା ବୃତ୍ତି କରି ଚଳୁଥିଲେ ତୁଳା। ସଂସାରରେ ଜୀବନ ବୋଲି କେହି ନାହିଁ। ମନ୍ଦିର ସମ୍ମୁଖରେ ଏକ କୁଡ଼ିଆଟିଏ କରି ସେହିଠାରେ ରହୁଥିବା ବେଳେ ମନ୍ଦିର ସମ୍ମୁଖରେ ଭିକ୍ଷା କରିବା ସମୟରେ ତାଙ୍କର କେହି କିଛି ନଥିବା ଯୋଗୁଁ ମନ୍ଦିରର ପୂଜକ ଶଙ୍କର ଚନ୍ଦ୍ର ପାଢ଼ୀଙ୍କ ସହିତ ସେ ସବୁବେଳେ ସାକ୍ଷାତ ହେଉଥିବା ବେଳେ ତାଙ୍କର ଇଛାଥିଲା ସେ ଜଗନ୍ନାଥ ମନ୍ଦିର ମଧ୍ୟରୁ ଯେଉଁ ଭିକ୍ଷା ଆଦାୟ କରିବେ ସେ ତାଙ୍କର ବୃଦ୍ଧାବସ୍ଥାରେ ମନ୍ଦିରର ନିକଟରେ ଥିବା ପୂରାତନ ମନ୍ଦିରର ପୁନରୁଦ୍ଧାର ପାଇଁ ତାହା ଦାନ କରିବେ ବୋଲି ପ୍ରକାଶ କରିଥିବା ବେଳେ ପ୍ରାୟ ୧୦ ବର୍ଷ ହେଲା ସେ ମନ୍ଦିରର ଭିକ୍ଷାରେ ଯାହା ଆଦାୟ କରିଥାନ୍ତି ତାହାକୁ ସେ ପ୍ରତିଦିନ ପୂଜାରୀ ଶ୍ରୀ ପାଢ଼ୀଙ୍କୁ ଦେଇଥାନ୍ତି। କେଉଁଦିନ ୧୦ ଟଙ୍କା ତ ପୁଣି କେଉଁଦିନ ୫୦ ଟଙ୍କା ଏଭଳି ଭାବେ ସେ ପ୍ରଦାନ କରୁଥିବା ବେଳେ କେଉଁଦିନ ମଧ୍ୟ ସେ କିଛି ଦେଇନଥାନ୍ତି। ଏଭଳି ସ୍ଥଳେ ମନ୍ଦିର ପୂଜକ ମଧ୍ୟ ତୁଳାଙ୍କ ନାମରେ ପୋଷ୍ଟ ଅଫିସରେ ଗୋଟିଏ ସଞ୍ଚୟ ଖାତା ଖୋଲିଥିଲେ ଓ ସେଥିରେ ତୁଳା ଯେଉଁ ଟଙ୍କା ଦେଇଥାନ୍ତି ତାହାକୁ ସେ ପ୍ରତି ମାସରେ ଯାଇ ତୁଳାଙ୍କ ନାମରେ ଥିବା ସଂଜୟ ଖାତାରେ ବାନ୍ଧିଦେଇଥାନ୍ତି। ଇତି ମଧ୍ୟରେ ଉକ୍ତ ଖାତାରେ ୧ ଲକ୍ଷ ୨୦ ହଜାର ରହିଥିବା ବେଳେ ସେ ଟଙ୍କା ମନ୍ଦିର ନାମରେ କରିଦେବେ ବୋଳି ଜିଦ୍‌‌ ଧରିଥିଲେ। ବଦାନ୍ୟତାର ଏକ ଅନନ୍ୟ ନିଦର୍ଶନ ଦେଖାଇ ଗତ ୨୦୨୨ ମସିହା ଡିସେମ୍ବର ୧୬ ତାରିଖରେ ଜଗନ୍ନାଥ ମନ୍ଦିରକୁ ନିଜ ଜୀବନ ସାରାର ସଞ୍ଚିତ ପୁଞ୍ଜିକୁ ଜଗନ୍ନାଥ ମନ୍ଦିର କମିଟିକୁ ଦାନ କରିଛନ୍ତି। ବୟସ ଦୃଷ୍ଟିରୁ ସେ ଗତ କିଛିବର୍ଷ ହେଲା ଉକିଆ ମହାକୁଡ଼ ନାମକ ଜଣେ ମହିଳାଙ୍କୁ ଧର୍ମ ଝିଅ କରିଥିବା ବେଳେ ଉକ୍ତ ମହିଳା ଜଣକ ମଧ୍ୟ ତୁଳାଙ୍କ ସମସ୍ତ ପ୍ରକାର ଦାୟିତ୍ୱ ନେଇଥିବାର ପ୍ରକାଶ କରିଛନ୍ତି। ତାଙ୍କ ଧର୍ମ ଝିଅ ମଧ୍ୟ ଜଣେ ବେସାହରା ମହିଳା। ଜଗନ୍ନାଥ ମନ୍ଦିର ପରିସରରେ ଥିବା ପୁରୁଣା ମନ୍ଦିର, ଯାହାକି ଜରାଜୀର୍ଣ୍ଣ ଅବସ୍ଥାରେ ଏହି ଅର୍ଥରେ ତାର ପୁନରୁଦ୍ଧାର କରି ସେଠାରେ ସାଧୁ ସନ୍ଥମାନଙ୍କୁ ଆଶ୍ରୟ ପ୍ରଦାନ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ତୁଳା। ତୁଳାଙ୍କ ଏହି ମହତ କାର୍ଯ୍ୟର ସ୍ଵୀକୃତି ସ୍ଵରୂପ ତାଙ୍କୁ ମନ୍ଦିର କମିଟିର ଆଜୀବନ ସଦସ୍ୟ ଭାବେ ଗ୍ରହଣ କରାଯାଇଛି। ସେହି ସମୟରେ ସ୍ଵାର୍ଥବାଦୀ ଦୁନିଆରେ ତୁଳା ବେହେରାଙ୍କ ଏଭଳି ମହତ କାର୍ଯ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ମନ୍ଦିର ପରିଚାଳନା କମିଟି ପ୍ରତିଶୃତି ପ୍ରକାରେ ତାଙ୍କର ମଧ୍ୟ ସମସ୍ତ କାର୍ଯ୍ୟପୂର୍ଣ୍ଣ କରିଥିବା ବେଳେ ମନ୍ଦିର ପରିଚାଳନା କମିଟିକୁ ମଧ୍ୟ ବିଭିନ୍ନ ମହଲରେ ସାଧୁବାଦ ଜଣାଇଛନ୍ତି।

Comments are closed.