ଷ୍ଟ୍ରବେରୀ ଚାଷ କ୍ଷେତ୍ର ପରିଦର୍ଶନ କଲେ ବୈଜ୍ଞାନିକ ଓ ସ୍ୱୟଂ ସହାୟକ ଗୋଷ୍ଠୀ

ଫୁଲବାଣୀ: କନ୍ଧମାଳ ଜିଲାର ଅନେକ ବ୍ଲକରେ ଷ୍ଟ୍ରବେରୀ ଚାଷ କରାଯାଇଥିବା ବେଳେ ଦାରିଙ୍ଗବାଡ଼ି ବ୍ଲକରେ ହୋଇଥିବା ଷ୍ଟ୍ରବେରୀ ଚାଷ ପରିଦର୍ଶନ କରିଛନ୍ତି ସୋନପୁର ଜିଲାରୁ ଆସିଥିବା ଉଦ୍ୟାନ ବିଭାଗ ଓ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ଓ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀ କର୍ମଚାରୀ। ମଙ୍ଗଳବାର ସେମାନେ ଦାରିଙ୍ଗବାଡ଼ି ବ୍ଲକ ଶ୍ରାନିକେତା ପଞ୍ଚାୟତ ସୁଲୁମାହା ଗ୍ରାମର ଆଶାସର ସ୍ୱୟଂ ସହାୟକ ମହିଳା ଗୋଷ୍ଠୀଙ୍କ ତରଫରୁ କରାଯାଇଥିବା ଷ୍ଟ୍ରବେରୀ ଚାଷ ଦେଖିବା ସହିତ କିଭଳି ଭାବରେ ଏହି ଚାଷ କରାଯାଉଛି, ଚାଷ ପାଇଁ କଣ ବ୍ୟବସ୍ଥା ରହିଛି, କିଭଳି ଭାବରେ ଏହି ଷ୍ଟ୍ରବେରୀ ଚାଷ ହୋଇପାରିବ, ଚାଷ ପାଇଁ ଜମିକୁ କିଭଳି ପ୍ରସ୍ତୁତ କରାଯିବ ସେନେଇ ସ୍ଥାନୀୟ ମହିଳା ଗୋଷ୍ଠୀ ସଦସ୍ୟଙ୍କ ସହିତ ଆଲୋଚନା କରିଥିଲେ ସୋନପୁର ଜିଲାର ୬ଟି ବ୍ଲକରୁ ଆସିଥିବା ଓଏଲଏମ ଓ ମିଶନ ଶକ୍ତି କର୍ମକର୍ତ୍ତା। ଏହି କାର୍ଯ୍ୟକ୍ରମରେ ସୋନପୁର ଜିଲା ଡିପିସି ବିଶ୍ୱଜିତ ପରିଡ଼ା, ଡିପିଏମ ଫ୍ରାଞ୍ଚିସ ବାର୍ଲା, ସୋନପୁର ଜିଲା କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ତ୍ରିନାଥ ଖଣ୍ଡାୟତ, ଲୋପାମୁଦ୍ରା ରାୟ, ବିଶ୍ୱ ରଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ। ଷ୍ଟ୍ରବେରୀ ଭଳି ଚାଷ ଦେଖି ଯାହା କନ୍ଧମାଳ ଜିଲାରେ ହୋଇପାରୁଛି ସେଭଳି ଭାବେ ସୋନପୁର ଜିଲାରେ ମଧ୍ୟ ଅନୁରୂପ ଭାବେ ଚାଷ କରି ସଫଳତା ହାସଲ କରିବାକୁ କ୍ଷେତ୍ର ପରିଦର୍ଶନରେ ଆସିଥିବା ମହିଳାମାନଙ୍କୁ ସଚେତନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲା ଉଦ୍ୟାନ ବିଭାଗର ପୂର୍ବତନ ଡେପୁଟି ଡାଇରେକ୍ଟର ମିହିର ସାମନ୍ତରାୟଙ୍କ ସମେତ ଦାରିଙ୍ଗବାଡ଼ି ବ୍ଲକ ଓ.ଏଲ.ଏମର ବି.ପି.ଏମ ପିଣ୍ଟୁ ନାୟକ, ବ୍ଲକ ଜୀବିକା ସଂଯୋଜକ ସାନୁଜ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହାପରେ କ୍ଷେତ୍ର ପରିଦର୍ଶନରେ ଆସିଥିବା ମହିଳା ଓ ମିଶନ ଶକ୍ତି ମହିଳାମାନେ ଦଣ୍ଡିମାହାଠାରେ ଥିବା ହଳଦୀ ଗୁଣ୍ଡ ପ୍ରସ୍ତୁତ କେନ୍ଦ୍ର ପରିଦର୍ଶନ କରିଥିଲେ। ସମସ୍ତ କ୍ଷେତ୍ର ପରିଦର୍ଶନ କରିବା ପରେ ଆସିଥିବା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟ ଓ ଅନ୍ୟାନ୍ୟ ବିଭାଗ କର୍ମୀମାନେ ଖୁସି ପ୍ରକାଶ କରିଥିଲେ।

Comments are closed.