ଲଗାଣ ବର୍ଷାରେ ବେହାଲ୍‌‌ କନ୍ଧମାଳ; ପୋଲ ଭାଙ୍ଗି ୮ଟି ଗାଁ ସହ ଯୋଗାଯୋଗ ବିଛିନ୍ନ

ଫୁଲବାଣୀ: ଲଗାଣ ବର୍ଷା ଫଳରେ କନ୍ଧମାଳ ସ୍ଥିତି ବେହାଲ୍‌‌ ହୋଇପଡ଼ିଛି। ଛୋଟଠାରୁ ଆରମ୍ଭ କରି ବଡ଼ନଦୀମାନଙ୍କରେ ବର୍ଷାଜଳ ବୃଦ୍ଧି ପାଇଥିବା ବେଳେ ବର୍ଷାଜଳ ଯୋଗୁଁ ଅନେକ ସ୍ଥାନରେ ଯୋଗାଯୋଗ ବିଛିନ୍ନ ହୋଇପଡ଼ିଛି। ବିିଭିନ୍ନ ସ୍ଥାନରେ ଗଛ ପଡ଼ିଯାଇ ରାସ୍ତା ଅବରୋଧ ହୋଇଥିବା ବେଳେ କେଉଁଠି ୨୪ ଘଣ୍ଟା ହେଲା ବିଦ୍ୟୁତ ସରବରାହ ବନ୍ଦ ରହିଛି। ଅନେକ ସ୍ଥାନରେ ନେଟୱର୍କ ସଂପୂର୍ଣ୍ଣ ବିଛିନ୍ନ ହୋଇ ପଡ଼ିଛି। ତେବେ ଲଘୁଚାପଜନିତ ବର୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉଛି ବୋଲି ଜିଲା ଆପାତକାଳୀନ ଅଧିକାରୀ ରଂଜନ ମାର୍ଥା ଜଣାଇଛନ୍ତି।

ଜିଲା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ପ୍ରକାରେ, ଗୁରୁବାର ସକାଳ ୮ଟା ସୁଧା ବାଲଗୁଡ଼ାରେ ୬୫ ମିମି ବର୍ଷା ହୋଇତିବା ବେଳେ ଚକାପାଦରେ ୨୨.୨ ମିମି , ଦାରିଙ୍ଗବାଡ଼ି ୪୫ ମିମି , ଜି.ଉଦୟଗିରି ବ୍ଲକରେ ୬୩.୬ ମିମି , ଖଜୁରିପଡ଼ା ବ୍ଲକରେ ୨୭.୪ ମିମି ଏବଂ କୋଟଗଡ଼ ବ୍ଲକରେ ସର୍ବାଧିକ ୧୭୬ .୦ ମିମି , କ.ନୂଆଗାଁରେ ୬୫.୨ ମିମି , ଫିରିଙ୍ଗିଆ ବ୍ଲକରେ ୧୧୬.୪ ମିମି , ଫୁଲବାଣୀ ବ୍ଲକରେ ୫୪.୨ ମିମି , ରାଇକିଆ ବ୍ଲକରେ ୫୮.୪ ମିମି ବର୍ଷା ଓ ଟିକାବାଲି ବ୍ଲକରେ ୧୦.୦ ମିମି ଏବଂ ତୁମୁଡ଼ିବନ୍ଧ ବ୍ଲକରେ ୫୫.୮ ମିମି ବର୍ଷା ହୋଇଥିବା ରେକର୍ଡ଼ କରାଯାଇଛି। ସମଗ୍ର ଜିଲାରେ ୬୪.୦୨ ମିମି ବର୍ଷା ହୋଇଥିବା ବେଳେ ଅନେକ ସ୍ଥାନରେ କଣ ସବୁ କ୍ଷୟକ୍ଷତି ହୋଇଛି ତାହାର ତଥ୍ୟ ସଂପୂର୍ଣ୍ଣଭାବେ ମିଳିନଥିବା ମଧ୍ୟ ସୂଚନା ଦିଆଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ଜିଲାର ୬୨ ପରିବାରକୁ ପଲିଥିନ୍‌‌ ଯୋଗାଇ ଦିଆଯାଇଥିବା ବେଳେ ଫିରିଙ୍ଗିଆ ବ୍ଲକରେ ଗୋଟିଏ ଘର ସଂପୂର୍ଣ୍ଣଭାବେ ଭାଙ୍ଗିରୁଜି ଯାଇଥିବାର ଖବର ମିଳିଛି। ସେହିଭଳି କୋଟଗଡ଼ରେ ସର୍ବାଧିକ ବର୍ଷା ହୋଇଥିବା ବେଳେ ଫିରିଙ୍ଗିଆରେ ଦ୍ୱିତୀୟ ସର୍ବାଧିକ ବର୍ଷା ହୋଇଛି।

ସୂଚନା ପ୍ରକାରେ, ଫିରିଙ୍ଗିଆ ବ୍ଲକରେ ଲଗାଣ ବର୍ଷାରେ ସ୍ଥିତି ବେହାଲ ହୋଇଥିବା ବେଳେ ପୋଲ ଭାଙ୍ଗି ଯୋଗାଯୋଗ ବିଛିନ୍ନ ହୋଇଥିବା ସୂଚନା ମିଳିଛି। ନଦୀରେ ଜଳସ୍ତର ବଢିଥିବା ବେଳେ ବହୁ ସ୍ଥାନରେ ଯୋଗାଯୋଗ ବିଛିନ୍ନ ହୋଇ ଯାତାୟତ ବାଧାପ୍ରାପ୍ତ ହୋଇଛି। ଉପାନ୍ତ ଅଞ୍ଚଳ କୁଏର ମାଣ୍ଡୁ ପଞ୍ଚାୟତର କନ୍ଦଣୀ ଗାଁ ନିକଟରେ ପୋଲ ଭାଙ୍ଗିବାରୁ ଆଠଟି ଗାଁ ପାଦେରୀ ପଡା, କଲମ ପଡା, ମାଝୀ ପଡା, ଦୁବ ସରା, ବେରେଣୀ, କୋଲେଟ ପଡା, ବାରା ହାଲା, ପିଲା ପଦର ଗାଁ ଯୋଗାଯୋଗ ବିଛିନ୍ନ ହେବା ସହ ଯାତାୟତ ବାଧାପ୍ରାପ୍ତ ହୋଇଛି। ସେହିଭଳି ସୁମେରୁ ବନ୍ଧ ପଞ୍ଚାୟତ ରାତା ମାସ୍କା ଗାଁ ରାସ୍ତା ବର୍ଷାରେ ଧୋଇ ଯାଇଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି। କାଶିନୀ ପଦର ପଞ୍ଚାୟତର ଗୋପୀଙ୍ଗିଆ କ୍ଷୁଦ୍ର ଜଳ ସେଚନ ଡ୍ୟାମରେ ବର୍ତମାନ ଚଳିତ ବର୍ଷ ହୁଡ଼ା କାର୍ଯ୍ୟ କରାଯାଇଥିବା ବେଳେ ବର୍ଷା ଯୋଗୁଁ ହୁଡ଼ା ଧୋଇ ହୋଇ ବହୁ କ୍ଷୟକ୍ଷତି ହୋଇଛି, ଯାହାକୁ ନେଇ ଅଞ୍ଚଳର ତଳ ଗାଁଗୁଡିକରେ ଭୟ ସୃଷ୍ଟି ହୋଇଛି। ବାଘ ନଦୀ ଜଳ ସ୍ତର ବଢିଥିବା ବେଳେ ଲୁଇସିଂ ପଞ୍ଚାୟତର କେଡ଼ିଯୋଡି ନାଳରେ ଜଳ ସ୍ତର ବଢ଼ି ରାସ୍ତାରେ ପାଣି ବଢ଼ି ହୋଇ ରହିଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ସେହିଭଳି ବର୍ଷାରେ ମାଶ୍ରୀପଡା ଛକଠାରୁ କେଳାପଡା ଯିବା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରାସ୍ତାର କିଛି ସ୍ଥାନରେ ମଧ୍ୟ ରାସ୍ତା କଡ଼ ଧୋଇ ହୋଇ ନଷ୍ଟ ହୋଇଛି। କ୍ରାଣ୍ଡି ବାଲି ପଞ୍ଚାୟତର ଡଙ୍ଗି ମେଣ୍ଡି ବାଘ ନଦୀ ଜଳସ୍ତର ବଢ଼ିବାରୁ ଦୁଇଟି ଗାଁ ଯୋଗାଯୋଗ ବିଛିନ୍ନ ହୋଇଛି। ତେବେ ବ୍ଲକର ବିଭିନ୍ନ ସ୍ଥାନରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏଥିସହ ବହୁ ଅଞ୍ଚଳରେ ଜମିରେ ବାଲି ମାଡିଯାଇ ଚାଷ ନଷ୍ଟ ହୋଇଥିବା ସୂଚନା ମିଳିଛି।

Comments are closed.