ଫୁଲବାଣୀ: ବିଜୁ ମହିଳା ଜନତା ଦଳ କନ୍ଧମାଳ ପକ୍ଷରୁ ଜିଲାସ୍ତରୀୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଫୁଲବାଣୀଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ତଥା ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଯୋଗଦେଇ କନ୍ଧମାଳ ଜିଲାର ପ୍ରତ୍ୟେକ ମହିଳା କିପରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ସହ ଆର୍ଥିକ ସ୍ୱାବଲମ୍ବୀ ହୋଇପାରିବ ସେନେଇ ବିଜୁ ଜନତା ଦଳର ମହିଳାମାନଙ୍କୁ କାମ କରିବାକୁ ଉପଦେଶ ଦେଇଥିଲେ। ଏହା ସହିତ ଜିଲାରେ ବିଜୁ ମହିଳା ଜନତା ଦଳ ସଂଗଠନକୁ ଆହୁରି ସୃଦୁଢ କରିବାକୁ ଆହ୍ବାନ ଦେଇଥିଲେ। ରାଜ୍ୟ ସରକାର ମହିଳାମାନଙ୍କ ପାଇଁ କରିଥିବା ବିଭିନ୍ନ ଯୋଜନା ସମ୍ପର୍କରେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ମହିଳାମାନଙ୍କ ଆର୍ଥିକ ଅଭିବୃଦ୍ଧି ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ଉପରେ ତଥ୍ୟ ରଖିବା ସହିତ ଜିଲା ମହିଳା ସଂଗଠନକୁ ସୁଦୃଢ କରିବା ପାଇଁ ଗାଁ ଗାଁ ବୁଲି ଲୋକଙ୍କ ପାଖକୁ ଯିବାକୁ କହିଥିଲେ। ରାଜ୍ୟରେ ଯଦି ଆଜି ଗରିବ କମୁଛି ତା’ପଛରେ ମହିଳାମାନଙ୍କ ରୋଜଗାରକ୍ଷମ ହେବା ମୁଖ୍ୟ କାରଣ। ଜିଲା ପର୍ଯ୍ୟବେକ୍ଷକ ତଥା ବିହନ ନିଗମ ଅଧ୍ୟକ୍ଷ ବିଜୟ ନାୟକ କହିଛନ୍ତି, ମହିଳାମାନେ ଯଦି ଆଜି ସମାଜର ମୁଖ୍ୟ ଧାରାକୁ ଆସି ଆର୍ଥିକ ଅଭିବୃଦ୍ଧି ହୋଇପାରିଛନ୍ତି, ତାର ମୁଖ୍ୟ ମାଧ୍ୟମ ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ଠା ଓ ମହିଳାମାନଙ୍କ ପ୍ରତି ଅଙ୍ଗୀକାର ବଦ୍ଧତା। ସ୍ୱାସ୍ଥ୍ୟ, ଶିକ୍ଷାଠାରୁ ଆରମ୍ଭ କରି ମହିଳାମାନେ ସ୍ୱାବଲମ୍ବୀ ହୋଇ ପରିବାର ପୋଷଣରେ ଆଜି ନିଜର ସହଭାଗୀତାକୁ ପ୍ରମାଣ କରି ଦେଖାଇଛନ୍ତି ବୋଲି କହିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଫୁଲବାଣୀ, ବାଲିଗୁଡା ଓ ଘୁ.ଉଦୟଗିରି ବିଧାୟକମାନଙ୍କ ସହିତ ଏସଡିସି ଅଧ୍ୟକ୍ଷ, ବିଜେଡି ଜିଲା ସଭାପତି ସରୋଜ କର୍ଣ୍ଣ, ରାଜ୍ୟ ବରିଷ୍ଠ ମହିଳା ଉପସଭାପତି ପ୍ରଭାସିନୀ ନନ୍ଦ, ଜୋନାଲ ମହିଳା ବିଜୁ ଜନତା ଦଳ ସଭାପତି ମମତା ବିଶୋଇ, ଜିଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ କହଁର, ରାଜ୍ୟ ମହିଳା ଉପସଭାପତି ତଥା ଖଜୁରିପଡା ବ୍ଲକ ସଭାନେତ୍ରୀ ଅନିମ କଂହେର, ଜିଲାପରିଷଦ ଉପସଭାପତି ସାଧବାଣୀ ନାୟକ ପ୍ରମୁଖ ଉପସ୍ଥିତ ରହି ମହିଳାମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ କହିଥିଲେ। ଏହି ବୈଠକରେ ଜିଲାର ୧୨ଟି ବ୍ଲକରୁ ବିଜୁ ମହିଳା ଜନତା ଦଳ ସଭାପତି, ବିଭିନ୍ନ ପଂଚାୟତସ୍ତରର ମହିଳା ନେତୃମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲା ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ପୁନମ କହଁର ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାର ପ୍ରତି ବ୍ଲକ ସଭାପତି, ସମ୍ପାଦକ ଏବଂ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।



