ସାହସ ଦେଇଥାଏ ସୃଜନଶୀଳତା

ଜିଲା ଅଦାଲତ ପରିସରରେ ଚିତ୍ରାଙ୍କନ ପ୍ରତିଯୋଗିତା

ଫୁଲବାଣୀ:ସୃଜନଶୀଳତା ସାହସ ଦେଇଥାଏ। ସେହି ସୃଜନଶୀଳତାକୁ ସମ୍ମାନ ଦେବାର ସମୟ ଏବେ ଆସିଯାଇଛି। ଆଗାମୀ ଶିଶୁ ଦିବସ, ୨୦୨୨ ପାଳନ ଉଦ୍ଦେଶ୍ୟରେ ଜିଲା ଅଦାଲତ ପରିସରରେ କନ୍ଧମାଳ ଜିଲାର ସମସ୍ତ ବ୍ଲକରୁ ଆସିଥିବା ଅଷ୍ଟମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ ତଥା ପେଣ୍ଟିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଟ୍ରଫି, ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ ସହିତ ଭାଗନେଇଥିବା ପ୍ରତ୍ୟେକ ପ୍ରତିଯୋଗୀଙ୍କୁ ଅଂଶଗ୍ରହଣ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ ଉଦେଶ୍ୟରେ ଅଦାଲତ ପରିସରରେ ଥିବା ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା ଜଜ୍ ଶୀତକଣ୍ଠ ସାମଲ ଏଥିରେ ଅଧ୍ୟକ୍ଷତା କରି କହିଥିଲେ ଯେ ଚିତ୍ର ବହୁତ କଥା ସୂଚୀତ କରେ। ପାଠ ପଢ଼ା ସହିତ ଚିତ୍ର ଦେଖାଇଲେ ଛାତ୍ରଛାତ୍ରୀ ଅଧିକ କଥା ମନେ ରଖିପାରନ୍ତି। କାରଣ, ଛାତ୍ରଛାତ୍ରୀମାନେ ଚିତ୍ରଗୁଡ଼ିକୁ ତାଙ୍କ ହୃଦୟ ଭିତରକୁ ନେଇଯାଆନ୍ତି ଏବଂ ମଝିରେ ମଝିରେ ମନଃ ଚକ୍ଷୁ ସାହାଯ୍ୟରେ ସେଗୁଡ଼ିକୁ ଦେଖିପାରିବା ଦ୍ୱାରା ଭଲରେ ମନେ ରହିଯାଇଥାଏ।

ସେହିପରି ଭାଷଣ ଅପେକ୍ଷା ଚିତ୍ର ମାଧ୍ୟମରେ ଦିଆଯାଉଥିବା ବାର୍ତ୍ତା ଗୁଡ଼ିକ ମଧ୍ୟ ଲୋକମାନଙ୍କୁ ଅଧିକ ପ୍ରଭାବିତ କରେ ବୋଲି ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କନ୍ଧମାଳ ଜିଲାପାଳ ପାଟିଲ୍ ଆଶିଷ ଈଶ୍ୱର , ଆରକ୍ଷୀ ଅଧୀକ୍ଷକ ଭିନିତ୍ ଅଗ୍ରୱାଲ୍ ପ୍ରମୁଖ ଜିଲାର ଛାତ୍ରଛାତ୍ରୀମାନଙ୍କର ଲୁକ୍କାୟିତ ଥିବା ପ୍ରତିଭାକୁ ଲୋକଲୋଚନକୁ ଆଣିବାକୁ ପ୍ରୟାସ କରିଥିବାରୁ କୃତଜ୍ଞତା ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବାର୍ ଆସୋସିଏସନ୍ର ସଭାପତି ବିଜୟ କୁମାର ମହାନ୍ତି ,ଜିଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ ପ୍ରମୁଖ ଅତିଥିଭାବେ ଯୋଗଦେଇଥିବା ବେଳେ ବାଟାଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ଧର୍ମେନ୍ଦ୍ର ପ୍ରଧାନ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଫୁଲବାଣୀ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ର ଲିବୁନ କୁମାର କର ଓ ବିକାଶ ରଞ୍ଜନ କର ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ।

ଏହି ବୈଠକରେ ଅତିରିକ୍ତ ଜିଲା ଜଜ, ଫାଷ୍ଟ ଟ୍ରାକ୍ ସ୍ୱତନ୍ତ୍ର କୋର୍ଟ, ଫୁଲବାଣୀ ଭାଷ୍କର ଚନ୍ଦ୍ର ସାହୁ, ଅତିରିକ୍ତ ଜିଲ୍ଲା ଜଜ୍ ସ୍ମୃତିଲେଖା ବାରିକ, ସ୍ୱତନ୍ତ୍ର ଜଜ ଅଦାଲତ, ଫୁଲବାଣୀ ସଞ୍ଜିତ୍ ବେହେରା, ସିଜେଏମ, ଫୁଲବାଣୀ ସୈକତ୍ ପାତ୍ର, ଜିଲ୍ଲା ବାର୍ ଆସୋସିଏସନ୍ର ସମ୍ପାଦକ ଦୁର୍ଗାଶଙ୍କର ପଟ୍ଟନାୟକ ଦେୱାନୀ ଅଦାଲତର ରେଜିଷ୍ଟ୍ରାର ସିଏ ଦେଶପ୍ରିୟ ବାରିକ, ଏସଡିଜେଏମ୍, ଫୁଲବାଣୀ ଅରିଜିତ୍ ଦାଶ, ଜେଏମଏଫସି, ଫୁଲବାଣୀ ଶ୍ରୀମତୀ ସୌମ୍ୟାଶ୍ରୀ ମହାପାତ୍ର, ପ୍ରୋବେସନର ସିଭିଲ୍ ଜଜ୍ ସ୍ୱାଗତିକା ସ୍ୱାଇଁଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଜୁଡିସିଆଲ ଅଧିକାରୀ ଓ ଆଇନଜୀବି ମାନେ ଯୋଗଦେଇଥିଲେ। ଜିଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀମତୀ ଅନୁଶିଲା ରୟ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ସୌମ୍ୟାଶ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

 

Comments are closed.