ସାପ୍ତାହିକ ହାଟ ଜବରଦଖଲ ମୁକ୍ତ ପାଇଁ ଜିଲାପାଳଙ୍କୁ ଦାବି ଜଣାଇଲେ ସରପଞ୍ଚ
ଫୁଲବାଣୀ:ଫୁଲବାଣୀ ସହରର କେନ୍ଦ୍ର ସ୍ଥଳରେ ରହିଥିବା ସାପ୍ତାହିକ ହାଟ ଉପରେ ଆଖପାଖର ପ୍ରାୟ ୧୫ଟି ପଞ୍ଚାୟତର ଚାଷୀ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ବିକ୍ରୀ ପାଇଁ ନିର୍ଭର କରି ଆସୁଛନ୍ତି। କେଉଁ ଆବହମାନ କାଳରୁ ଏହି ହାଟ ସେମାନଙ୍କ ପାଇଁ ଏକ ପ୍ରକୃଷ୍ଟ ବଜାର ଭାବେ ପରିଗଣିତ ହୋଇ ଆସୁଛି। କିନ୍ତୁ ପ୍ରଶାସନର ଖାମଖିଆଲି ମନୋଭାବ ଯୋଗୁଁ ଏହି ହାଟର ଅଧିକାଂଶ ଜାଗା ଏବେ ଜବରଦଖଲ କାରୀଙ୍କ କବଳକୁ ଚାଲି ଯାଇଛି। ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ବାରମ୍ବାର ଅଭିଯୋଗ ସତ୍ତ୍ୱେ ଏହାର କୌଣସି ପ୍ରତିକାର ହୋଇ ନାହିଁ। ତେଣୁ ଏଠାରୁ ଜବରଦଖଲ ଉଚ୍ଛେଦ ପାଇଁ ଏବେ ହାଟ ଉପରେ ନିର୍ଭର କରୁଥିବା ୧୦ ଟି ପଞ୍ଚାୟତର ସରପଞ୍ଚ ଦୃଢ ଦାବୀ ରଖିଛନ୍ତି। ସରପଞ୍ଚମାନଙ୍କ ଅଭିଯୋଗ ଅନୁସାରେ ଫୁଲବାଣୀ, ଫିରିଙ୍ଗିଆ ଓ ଖଜୁରୀପଡା ବ୍ଲକର ଚାଷୀମାନେ ପରିବା ଓ ଅନ୍ୟାନ୍ୟ କୃଷିଜାତ ଦ୍ରବ୍ୟ ବିକ୍ରି କରୁଥିବା ଏହି ହାଟରେ ପୂର୍ବରୁ ଯେଉଁ ଜାଗା ରହିଥିଲା। କିନ୍ତୁ କ୍ରମାଗତ ଜବର ଦଖଲ ଫଳରେ ଏବେ ଏକ ଏକରରୁ ମଧ୍ୟ କମ ସ୍ଥାନ ବଞ୍ଚିଛି। ଫଳରେ ଚାଷୀ ମାନେ ବ୍ୟବସାୟ କରିବା ପାଇଁ ସ୍ଥାନର ଘୋର ଅଭାବ ସୃଷ୍ଟି ହୋଇଛି। ତେଣୁ ତୁରନ୍ତ ଏହି ସାପ୍ତାହିକ ହାଟକୁ ଜବରଦଖଲ ମୁକ୍ତ କରିବା ପାଇଁ ଆଲାମୀ ସରପଞ୍ଚ ଭରତ କହଁର, କେରେଡି ସରପଞ୍ଚ ବିନିତା ପ୍ରଧାନ, ଗଞ୍ଜୁଗୁଡା ସରପଞ୍ଚ ଆଲୋକ କହଁର, ଦଡକି ସରପଞ୍ଚ ନମିତା ମଲ୍ଲିକ, ଗୁମାଗଡ ସରପଞ୍ଚ ପ୍ରତାପ ଚନ୍ଦ୍ର କହଁର, ଦୁଡୁକି ସରପଞ୍ଚ ସୁରେନ୍ଦ୍ର କହଁର, ବିଶିପଡା ସରପଞ୍ଚ ସାକାଳି କହଁର, ମିଣିଆ ସରପଞ୍ଚ ଗୌତମ ମଲ୍ଲିକ, କଟ୍ରିଙ୍ଗିଆ ସରପଞ୍ଚ ପ୍ରତିଭା କହଁର ଓ ତୁଡିପାଜୁ ସରପଞ୍ଚ କୌଶଲ୍ୟା କହଁର ଜିଲାପାଳଙ୍କୁ ସାକ୍ଷାତ କରି ସାପ୍ତାହିକ ହାଟରୁ ଜବରଦଖଲ ଉଚ୍ଛେଦ ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି।
Comments are closed.