ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଏକ ଆଶ୍ରମ ବିଦ୍ୟାଳୟର ଜନୈକା ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିବା ଘଟଣାରେ ଏ ଏନ ଏମ କୁ କାରଣ ଦର୍ଶାଅ ନୋଟିସ କରା ଯାଇଥିବା ସୂଚନା ଦେଇଛନ୍ତି ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ମନୋଜ କୁମାର ଉପାଧ୍ୟାୟ। ସୂଚନା ଅନୁଯାୟୀ ବିଦ୍ୟାଳୟର ଛାତ୍ରୀନିବାସରେ ରହୁଥିବା ଛାତ୍ରୀ ଜଣକ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିବା ସମୟରେ ସେ ଗର୍ଭବତୀ ଥିବା ଜଣାପଡିଥିଲା।ନଭେମ୍ବର ୨୫ ତାରିଖରେ ବିଦ୍ୟାଳୟ କର୍ତ୍ତୃପକ୍ଷ ତାଙ୍କୁ ଅଧିକ ପରୀକ୍ଷା ପାଇଁ ଫୁଲବାଣୀ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରି ଦେଇଥିଲେ। ବ୍ରହ୍ମପୁର ବଡ ମେଡିକାଲରେ ସବିଶେଷ ପରୀକ୍ଷା ପରେ ନାବାଳିକା ଛାତ୍ରୀ ଜଣକ ପାଞ୍ଚ ମାସର ଗର୍ଭବତୀ ଥିବା ଜଣାପଡିଥିଲା ଏବଂ କିଛି ଦିନ ପରେ ବ୍ରହ୍ମପୁର ବଡ ମେଡିକାଲରେ ନାବାଳିକା ଛାତ୍ରୀ ଜଣକ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ତେବେ ଜନ୍ମ ହେବା ପରେ ସେହି ନବଜାତକର ମୃତ୍ୟୁ ହୋଇଥିଲା।
ଜିଲ୍ଲା ମଙ୍ଗଳ ବିଭାଗ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ପ୍ରଥମ ପର୍ଯ୍ୟାୟ ରିପୋର୍ଟ ଆଧାରେ ଏ ଏନ ଏମ କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ବୋଲି ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ମନୋଜ କୁମାର ଉପାଧ୍ୟାୟ ସୂଚନା ଦେଇଛନ୍ତି।ସେହି ଘଟଣାରେ କାର୍ଯ୍ୟରେ ଅବହେଳା ପାଇଁ ଉକ୍ତ ବିଦ୍ୟାଳୟର ମେଟ୍ରୋନ ସତ୍ୟଭାମା ନନ୍ଦ ଏବଂ ବିଦ୍ୟାଳୟର ଶିକ୍ଷୟିତ୍ରୀ ଯାଜ୍ଞସିନୀ ପରିଡ଼ାଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବା ଜିଲ୍ଲା ମଙ୍ଗଳ ବିଭାଗ ରୁ ସୂଚନା ମିଳିଛି।



