ପିପିଲିରେ ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ

ପିପିଲି: ପିପିଲି ପୌରାଞ୍ଚଳ ଅନ୍ତର୍ଗତ ପିପିଲିଶାସନ ମୌଜାର ୧ନଂ ୱାର୍ଡରେ ଏକ ଠିପିଖୋଲା ବିଦେଶୀ ମଦଦୋକାନ ଓ ରେଷ୍ଟୁରାଣ୍ଟ ଖୋଲାଯିବା ପାଇଁ ଜିଲା ଅବକାରୀ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଇଏମ୍‍ଏଫ୍‍ଏଲ୍‍ ଏଣ୍ଡ ବିଅର ଇନ୍‍ ଦ ଆଇଏମ୍‍ଏଫ୍‍ଏଲ୍‍ ରେଷ୍ଟୁରାଣ୍ଟ ‘ଅନ୍‍’ ସପ୍‍ ନାମରେ ନିର୍ଦ୍ଦିଷ୍ଟ ପ୍ଲଟ ଉପରେ ଏହାକୁ ଖୋଳାଯିବା ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଛି। ଯାହାକୁ  ନେଇ ସାଧାରଣରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି। ପ୍ରସ୍ତାବିତ ମଦ ଦୋକାନ ତଥା ରେଷ୍ଟୁରାଣ୍ଟ ଖୋଲାଯିବା ନିଷ୍ପତ୍ତିକୁ ସରକାର ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଜାତୀୟ ଦଳିତ, ଆଦିବାସୀ, ସଂଖ୍ୟାଲଘୁ ମହାସଂଘର ରାଜ୍ୟ ସଭାପତି ବିଜୟ କୁମାର ସେଠୀ ଏକ ସାମ୍ବାଦିକ ସମ୍ମିଳନୀରେ ବୁଧବାର ଦାବି କରିଛନ୍ତି। ସରକାର ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର ନ କଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ସେଠୀ ଚେତାବନୀ ଦେଇଛନ୍ତି।

ପୁରୀ ଜିଲା ଅବକାରୀ ବିଭାଗ ପକ୍ଷରୁ ଗତ ୧୦ ତାରିଖରେ ଏହି ପ୍ରସ୍ତାବିତ ବିଦେଶୀ ମଦ ଦୋକାନ ତଥା ରେଷ୍ଟୁରାଣ୍ଟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ବିଜ୍ଞପ୍ତିକୁ ସାର୍ବଜନିନ କରାଯିବା ବଦଳରେ ଲୁଚାଯାଇଥିବା ସେଠୀ ଅଭିଯୋଗ କରିଛନ୍ତି। ସେଠୀଙ୍କ ଅଭିଯୋଗ ଅନୁସାରେ, ଉକ୍ତ ପ୍ରସ୍ତାବିତ ମଦ ଦୋକାନ ନିକଟରେ ଧର୍ମାନୁଷ୍ଠାନ, ପୁଷ୍କରିଣୀ, ଜନବସତି ଆଦି ରହିଥିବା ବେଳେ ସେହି ରାସ୍ତା ଦେଇ ପ୍ରତ୍ୟହ ଶତାଧିକ ଛାତ୍ରଛାତ୍ରୀ ସ୍କୁଲ ଓ କଲେଜକୁ ଯାତାୟାତ କରୁଛନ୍ତି। ଏହା ସରକାରଙ୍କ ସମସ୍ତ ନିର୍ଦେଶାବଳୀକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରୁଛି। ଏ ସଂପର୍କରେ ଜାତୀୟ ଦଳିତ, ଆଦିବାସୀ, ସଂଖ୍ୟାଲଘୁ ମହାସଂଘ ପକ୍ଷରୁ ବିଭାଗୀୟ ଅଧିକାରୀ, ସ୍ଥାନୀୟ ତହସିଲଦାର ଓ ଜିଲା ଅଧିକାରୀ ପ୍ରମୁଖଙ୍କ ନିକଟରେ ଲିଖିତ ଅଭିଯୋଗ କରାଯାଇଛି। ସାଧାରଣଜନତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ପ୍ରସ୍ତାବିତ ମଦ ଦୋକାନ ଖୋଲାଯିବା ନିଷ୍ପତ୍ତିକୁ ସରକାର ପ୍ରତ୍ୟାହର କରିବା ପାଇଁ ଦାବି କରାଯାଇଛି। ନଚେତ୍‍ ୫ହଜାର ମହିଳାଙ୍କୁ ନେଇ ଜୋରଦାର ଆନ୍ଦୋଳନ କରାଯିବ ବୋଲି ସେ ଚେତାବନୀ ଦିଆଯାଇଛି। ପିପିଲି ନିକଟବର୍ତ୍ତୀ ହରିପୁରଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମହାସଂଘର ରାଜ୍ୟ ସଂପାଦିକା ସୋନିଲତା ସେଠୀ, ନାରୀନେତ୍ରୀ ସନ୍ଧ୍ୟାରାଣୀ ଭୋଇ, ସୌଦାମିନୀ ରାଉତ, ସତ୍ୟଭାମା ଭୋଇ, ଶାନ୍ତିଲତା ବାରିକ, କଳ୍ପନା ପ୍ରିୟଦର୍ଶିନୀ, ବାସନ୍ତି ବେହେରା, ପାର୍ବତୀ ମଲ୍ଲିକ, କାବେରୀ ବେହେରା, ବିଜୁଳି ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.