ଚାନ୍ଦବାଲି ବ୍ଲକରେ ଖାଉଟି ସୁରକ୍ଷା, ବିନା ନୋଟିସରେ କଟିଲା ୩୫୦ କ୍ୱିଣ୍ଟାଲ ସାମଗ୍ରୀ
ଧାମରା: ଚାନ୍ଦବାଲି ବ୍ଲକରେ ଚଳିତ ମାସରେ ୩୫୦ କ୍ୱିଣ୍ଟାଲ ଖାଦ୍ୟ ଶସ୍ୟ କମ ଯୋଗାଣ ଫଳରେ ୩୯ଟି ପଞ୍ଚାୟତର ୧.୧୬ ଲକ୍ଷ ହିତାଧିକାରୀ ଚାଉଳ, ଗହମ ପାଇବାରେ ଅହେତୁକ ବିଳମ୍ବ ହୋଇଛି। ଚାନ୍ଦବାଲି ବ୍ଲକରେ ୨୬୭ଟି ରାଜସ୍ୱ ଗ୍ରାମର ସମସ୍ତ ହିତାଧିକାରୀ ମାର୍ଚ୍ଚ ମାସରେ ଖାଉଟି କାର୍ଡରେ କୌଣସି ଖାଦ୍ୟ ଦ୍ରବ୍ୟ ପାଇ ନଥିବା ଜଣାପଡିଛି। ସରକାର କେଉଁ ପରିସ୍ଥିତିରେ ଚାନ୍ଦବାଲି ବ୍ଲକର କୋଟା କାଟିଲେ ତାହା ପ୍ରଶ୍ନବାଚୀ ହୋଇ ପଡିଛି। ଏହାର କାରଣ ଖୋଜିବାକୁ ଗଲେ ସରକାରୀ କଳର ଉଦାସିନତା ସହ ବ୍ଲକରେ ଥିବା ଡିଲରମାନଙ୍କର ମନମାନୀ ଏହାର ମୁଖ୍ୟ କାରଣ ବୋଲି ଜଣାପଡିଛି। ପ୍ରତି ମାସ ୫ତାରିଖ ମଧ୍ୟରେ ଖାଦ୍ୟଶସ୍ୟ ଆସି ଡିଲରଙ୍କ ପାଖରେ ପହଞ୍ଚିବାର ନିୟମ ସରକାର ଧାର୍ଯ୍ୟ କରିଛନ୍ତି। ଡିଲରମାନେ ଖାଉଟିମାନଙ୍କୁ ଏହି ଖାଦ୍ୟଶସ୍ୟ ୧୫ତାରିଖ ମଧ୍ୟରେ ଦେବାକୁ ଆଇନ କରିଥିବା ବେଳେ ଦରକାର ପଡିଲେ ୨୦ ତାରିଖ ପର୍ଯ୍ୟନ୍ତ ଦେବାର ନିୟମ ଅଛି। ମାତ୍ର ଚାନ୍ଦବାଲି ବ୍ଲକରେ ଥିବା ଡିଲରମାନେ ନିଜ ଇଛାରେ ପଡିକାର୍ଡ ଗ୍ରାହକମାନଙ୍କୁ ନାଲିଆଖି ଦେଖାଇବା ସହ ଟିକିଏ ବିଳମ୍ବ ହେଲେ ତୁମକୁ ଆଉ କିଛି ମିଳି ପାରିବ ନାହିଁ ବୋଲି ନାସ୍ତିବାଚକ ଉତ୍ତର ସହ ସେମାନଙ୍କୁ ଫେରାଇ ଦେଉଛନ୍ତି। ଗୋଟିଏ ପଟରେ ସରକାର ପ୍ରତି ଡିଲରମାନଙ୍କୁ ଗୋଟିଏ ଲେଖାଏ ମେସିନ ଦେଇ ଅନଲାଇନରେ ଅଙ୍ଗୁଳି ଛାପ ଦେଇ ଖାଦ୍ୟଶସ୍ୟ ଉଠାଇବାର ନିୟମ ପ୍ରଣୟନ କରିଛନ୍ତି। ଏହି ଡିଲରମାନେ ନିଜ ପାଖରେ ପ୍ରତି ମାସରେ ୧/୨ ଦିନ ମେସିନ ରହୁଛି ବୋଲି କହିବା ସହ ଏହି ଦିନମାନଙ୍କରେ ସମସ୍ତ ଖାଉଟିଙ୍କୁ ଖାଦ୍ୟଶସ୍ୟ ଯୋଗାଇ ଦେବା ସମ୍ଭବ ହୋଇପାରୁ ନାହିଁ। ଫଳରେ ଡିଲରମାନଙ୍କ ନିକଟରେ ଖାଦ୍ୟ ଶସ୍ୟ ବଳିପଡୁଥିବା ବେଳେ ଏହାର ସଠିକ ତଥ୍ୟ ସରାକାରଙ୍କ ପାଖରେ ପହଞ୍ଚି ପାରୁ ନାହିଁ। କେଉଁ ପରିସ୍ଥିତିରେ ଚାନ୍ଦବାଲି ବ୍ଲକକୁ ଖାଦ୍ୟ ଶସ୍ୟ ଯୋଗାଇବାରେ ଅହେତୁକ ବିଳମ୍ବ ହେବା ସହ ୩୫୦ କ୍ୱିଣ୍ଟାଲ ସାମଗ୍ରୀ କମ ଆସିଲା ତାହାର ଉତ୍ତର ଦେବାକୁ ଚାନ୍ଦବାଲି ଯୋଗାଣ ବିଭାଗ ନିରୁତ୍ତର।ଅନ୍ୟ ପକ୍ଷରେ ଏକ ଅସମର୍ଥିତ ସୂତ୍ରରୁ ପ୍ରକାଶ ବିଭାଗୀୟ ଅଧିକାରୀ ମାନେ ଚାନ୍ଦବାଲି ବ୍ଲକରେ ଥିବା ଡିଲରମାନଙ୍କୁ ଯେତିକି ଖାଦ୍ୟଶସ୍ୟ ତୁମ ପାଖରେ ଅଛି ସେତକ ବଣ୍ଟନ କରିବାକୁ ଆଦେଶ ଦେଇଥିବା ବେଳେ ଏତିକି ଖାଦ୍ୟଶସ୍ୟ କାହାକୁ ଆମ୍ଭେ ବଣ୍ଟନ କରିପାରିବୁ ନାହିଁ ବୋଲି ଡିଲର ମାନେ ନାସ୍ତି ବାଚକ ବାଣୀ ଶୁଣାଇଦେଲେ ଫଳରେ ବିଭାଗୀୟ ଅଧିକାରୀ ଜିଲ୍ଲାପାଳଙ୍କୁ ଗୁହାରୀ କରି ତୁରନ୍ତ କମ ରହିଥିବା (୩୫୦ କ୍ୱିଣ୍ଟାଲ)ଯୋଗାଣ ସାମଗ୍ରୀ ଯୋଗାଇ ଦେବାକୁ କହିଛନ୍ତି।