ପାତ୍ରପୁର ଗଞ୍ଜାମ: ପୁଅ ଯେବେ ଘରଠାରୁ ଦୂରରେ ରହିଥାଏ କେବେ କେବେ ଘରକୁ ଆସିଲେ ବାପା ମା, ବନ୍ଧୁ ପରିଜନ ଭାରି ଖୁସି ହୋଇଯାଆନ୍ତି । ମା ତା’ ପାଇଁ କେତେ ପ୍ରକାର ସ୍ୱଦିଷ୍ଟ ଖାଦ୍ୟ ରାନ୍ଧି ପରିସି ଦେଇଥାଏ । ହେଲେ ସେହି ପୁଅର ଯେତେ ହଠାତ୍ ମରଶରୀର ଘରକୁ ଫେରେ ଭାବିଲେ ଟିକେ ମା’ର ଅବସ୍ଥା କ’ଣ ହେଉଥିବ । କିଛି ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଅଭୟପୁର ଗ୍ରାମରେ । ନିଜର ଏକମାତ୍ର ପୁଅକୁ ଗେହ୍ଲାରେ ଲାଳନ ପାଳନ କରିଥିବା ବାପା ଆଜି ପୁଅର ମରଶରୀର ନେଇ ଗାଁକୁ ଫେରୁଛି ।
ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅନ୍ତର୍ଗତ ଜରଡ଼ା ପଂଚାୟତର ଅଭୟପୁର ଗ୍ରାମର ରାଧାଶ୍ୟାମ ପାତ୍ର ନିଜ ପୁଅ ରୋଷନଙ୍କ ମରଶରୀର ଧରି ରାଜସ୍ଥାନର କୋଟାରୁ ଗାଁକୁ ଫେରୁଛନ୍ତି। କୋଟାରେ ରୋଷନ ନିଟ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ବେଳେ ଗତ ରବିବାର ତାଙ୍କର ଆକସ୍ମିକ ମୃତ୍ୟୁ ଘଟିଥିଲା।
ଏହି ଖବର ଗାଁରେ ପହଞ୍ଚିବାମାତ୍ରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପୁଅର ମୃତ୍ୟୁ ଖବର ପାଇ ରାଧାଶ୍ୟାମ ନିଜ ଭାଇ ସହ କୋଟାରେ ପହଞ୍ଚିଥିଲେ । ପୋଲିସ ଘଟଣାର ତଦନ୍ତ ଓ ଶବ ବ୍ୟବଚ୍ଛେଦ ପରେ ପୁଅର ମୃତଦେହ ନେଇ ଗାଁକୁ ଫେରୁଛନ୍ତି ରାଧାଶ୍ୟାମ। ଆଜି ଅପରାହ୍ନ ପ୍ରାୟ ୩ଟା ବେଳେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ଆମ୍ବୁଲାନ୍ସ ଯୋଗେ ଅଭୟପୁରକୁ ଯିବେ।
ପୁଅର ମରଶରୀର ଆସୁଥିବା ଖବର ଶୁଣି ଘରେ ମାଆ ଓ ଭଉଣୀ ଆତ୍ମୀୟ କାନ୍ଦ ବୋବାଳିରେ ଫାଟି ପଡୁଥିବା ବେଳେ ଗ୍ରାମବାସୀ ମାନେ ଶେଷ ଦର୍ଶନ କରିବାକୁ ଅପେକ୍ଷା କରିଛନ୍ତି। ପରିଣତ ବୟସରେ ସନ୍ତାନ ହାରାଇଥିବା ଏହି ବାପାମାଆଙ୍କ ଅବସ୍ଥା ଦେଖି ସମସ୍ତ ଗାଁ ଲୋକମାନେ ଆଶ୍ୱାସନ ଦେଉଛନ୍ତି।



