ଚଣ୍ଡୀଗଡ଼: ପଞ୍ଜାବରେ ଆଉ ଜଣେ ଆନ୍ଦୋଳନରତ ଚାଷୀଙ୍କ ମୃତ୍ୟୁ ଘଟିଛି। ଏହି ଚାଷୀ ଜଣକ ପଟିଆଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହଙ୍କ ବାସଭବନ ସମ୍ମୁଖରେ ଧାରଣାରେ ବସିଥିଲେ।
ସୂଚନା ମୁତାବକ, ପଟିଆଲା ନିକଟସ୍ଥ ଗ୍ରାମରେ ରହୁଥିବା ଚାଷୀ ନରିନ୍ଦର ପାଲ ସିଂହ ବିକେୟୁ ଉଗ୍ରାହାଂର କାର୍ଯ୍ୟକର୍ତ୍ତା ଥିଲେ। ବିଭିନ୍ନ ଦାବି ନେଇ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହଙ୍କ ବାସଭବନ ବାହାରେ ଅନ୍ୟ ଚାଷୀଙ୍କ ସହିତ ଧାରଣା ଦେଇଥିଲେ। ରବିବାର ବିଳମ୍ବିତ ରାତିରେ ନରିନ୍ଦର ପାଲଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡ଼ି ଯାଇଥିଲା। ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୋମବାର ମୃତକଙ୍କ ପରିଜନ ଡାକ୍ତରଙ୍କ ସହିତ ହୋଇଥିବା କଥାବାର୍ତା ଆଧାରରେ କହିଛନ୍ତି ଯେ, ହୃଦଘାତରେ ନରିନ୍ଦରଙ୍କ ମୃତ୍ୟୁ ଘଟିଛି। ନରିନ୍ଦରଙ୍କର ଦୁଇ ଜଣ ଝିଅ ଓ ଗୋଟିଏ ପୁଅ ଅଛନ୍ତି। ତେବେ ଗତ ଦୁଇ ବର୍ଷ ତଳେ ବଡ ଝିଅର ବିବାହ ହୋଇଛି। ଅନ୍ୟ ଦୁଇ ପିଲା ଏବେ ପାଠ ପଢ଼ୁଛନ୍ତି। ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।



