ଟ୍ରଲର ପଛରେ ଧକ୍କା ଦେଲା ଟ୍ରକ, ଜଣେ ମୃତ , ୨ ଗୁରୁତର

ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥର ଖିରେଇଟାଙ୍ଗିରି ନିକଟରେ ଘଟି ଯାଇଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଦୁର୍ଘଟଣାରେ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରାଯାଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଉଭୟ ଗାଡ଼ି କଲିକତା ଅଭିମୁଖେ ଯାଉଥିବା ବେଳେ ଆଜି ଭୋର ୫ ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ଏକ ଟ୍ରଲର ରାସ୍ତା ପାର୍ଶ୍ବରେ ଛିଡା କରି ପଛ ଇଣ୍ଡିକେଟର ଲାଇଟ ସଜାଡିବା ସମୟରେ ପଛରୁ ଆସି ଏକ ୧୨ ଚକିଆ ଅଙ୍ଗୁର ବୋଝେଇ ଟ୍ରକ ଧକ୍କା ଦେଇଥିଲା। ଟ୍ରଲର ଇଣ୍ଡିକେଟର ଲାଇଟ ସଜାଡୁଥିବା ୩ ଜଣଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ଶୋଚନୀୟ ମୃତ୍ୟୁ ଘଟିଥିଲା। ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ମୃତକ ଜଣକ ବିହାର ଅଞ୍ଚଳର ଗୌତମ ଯାଦବ (୩୦) ବୋଲି ଜଣାପଡିଛି । ଅନ୍ୟ ପକ୍ଷରେ ଅଙ୍ଗୁର ବୋଝେଇ ଟ୍ରକଟି କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ଅଙ୍ଗୁର ଟ୍ରକ ଚାଳକ ସାମାନ୍ୟ ଆହତ ହୋଇଛନ୍ତି। ଖବର ପାଇ ତୁରୁମୁଙ୍ଗା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

Comments are closed.