ଭୁବନେଶ୍ୱର : ପଞ୍ଚସଖାଙ୍କ ଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀ ବକୁଳବନ ବିଦ୍ୟାଳୟର ଐତିହ୍ୟକୁ ସୁରକ୍ଷିତ ରଖାଯାଇ ଏହାର ପୁନରୁଦ୍ଧାର ଓ ବିକାଶ ଦିଗରେ ରାଜ୍ୟ ସରକାରଙ୍କ ଯୋଜନାକୁ ପ୍ରଶଂସା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ପବିତ୍ର ସ୍ଥାନର ପୁନରୁଦ୍ଧାର ହେଲେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଓଡ଼ିଆ ଜାତି ପାଇଁ ଦେଖିଥିବା ସ୍ୱପ୍ନ ସାର୍ଥକ ହେବ ବୋଲି ସେ ମତବ୍ୟକ୍ତ କରିଛନ୍ତି।
ଏହି ଅବସରରେ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଓଡ଼ିଶାରେ ସ୍ୱତନ୍ତ୍ରତା ସଂଗ୍ରାମର ନେତୃତ୍ୱ ନେବା ସହ ଦେଶ ସ୍ୱାଧୀନତା ପାଇଁ ଯେଉଁ ଯୋଜନା ଓ ପରିକଳ୍ପନା କରିଥିଲେ, ତା’ର ପ୍ରୟୋଗଶାଳା ଥିଲା ସତ୍ୟବାଦୀ ବକୁଳବନ ବିଦ୍ୟାଳୟ। ଏହି ପବିତ୍ର ସ୍ଥାନରୁ ହିଁ ପଣ୍ଡିତ ଗୋପବନ୍ଧୁଙ୍କ କଳ୍ପନାରେ ନୂଆ ଜାତୀୟ ଶିକ୍ଷା ନୀତିର ଅଭ୍ୟୁଦୟ ହୋଇଥିଲା। ତାଙ୍କ ତ୍ୟାଗପୂତ ଜୀବନାଦର୍ଶରେ ଅନୁପ୍ରାଣିତ ହୋଇ ପଣ୍ଡିତ ନୀଳକଣ୍ଠ ଦାସ, ଆଚାର୍ଯ୍ୟ ହରିହର, ପଣ୍ଡିତ ଗୋଦାବରୀଶ ମିଶ୍ର ଓ ପଣ୍ଡିତ କୃପାସିନ୍ଧୁ ମିଶ୍ର ଆଦି ମହାପୁରୁଷ ବକୁଳବନରେ ଛାତ୍ରଛାତ୍ରୀଙ୍କୁ ମୌଳିକ ଶିକ୍ଷା ସହ ରୋଜଗାର ଦେବା ଭଳି ଶିକ୍ଷା ପ୍ରଦାନ କରୁଥିଲେ। ଗୁଜୁରାଟର ବଡ଼ନଗରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଢ଼ିଥିବା ‘ପ୍ରେରଣା ସ୍କୁଲ’ ଢାଞ୍ଚା ଅନୁସାରେ ବକୁଳ ବନ ବିଦ୍ୟାଳୟର ବିକାଶ ପାଇଁ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି।
ପ୍ରାଚୀନ ଭାରତରେ ଗୁରୁକୁଳ ପରମ୍ପରାକୁ ପୁନର୍ଜୀବିତ କରିବାର ପ୍ରୟାସ ଏହି ବକୁଳବନରୁ ଆରମ୍ଭ ହୋଇଥିଲା। ଏହି ମଣିଷ ତିଆରି କାରଖାନାର ପୁନରୁଦ୍ଧାର ହେଲେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଆଦର୍ଶ ଓ କଳ୍ପନାରେ ଜାତୀୟ ଶିକ୍ଷା ନୀତି କ୍ରିୟାନ୍ୱୟନରେ ଏକ ସ୍ୱପ୍ନ ସାକାର ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ଉତ୍କଳମଣି ଓଡ଼ିଆ ଜାତି ପାଇଁ ଦେଖିଥିବା ସ୍ୱପ୍ନ ସାର୍ଥକ ହେବ: ଧର୍ମେନ୍ଦ୍ର
Popular Categories



