ନିର୍ମାଣରୁ ହଟିବ ପଣ୍ଡା ଇନ୍‌ଫ୍ରା

0

ଭୁବନେଶ୍ୱର : ବମିଖାଲ ଓଭରବ୍ରିଜ ଦୁର୍ଘଟଣାର ତଦନ୍ତ ପାଇଁ ତିନିଜଣ ମୁଖ୍ୟଯନ୍ତ୍ରୀଙ୍କୁ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। କମିଟି ସଦସ୍ୟମାନେ ଶନିବାର ଘଟଣାସ୍ଥଳ ଏବଂ ହସ୍ପିଟାଲକୁ ଯାଇ ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି। ସେମାନେ ଦୁଇ ତିନି ଦିନ ମଧ୍ୟରେ ସରକାରଙ୍କୁ ଦୁର୍ଘଟଣା ସମ୍ପର୍କିତ ବିସ୍ତୃତ ରିପୋର୍ଟ ପ୍ରଦାନ କରିବେ। ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ଏହି କମିଟି ଗଠନ କରାଯାଇଛି। ଓଭରବ୍ରିଜ ନିର୍ମାଣକାରୀ ସଂସ୍ଥା ପଣ୍ଡା ଇନଫ୍ରାର ଦାୟିତ୍ୱହୀନତା ପାଇଁ ଦୁଇ ଦୁଇଟି ଦୁର୍ଘଟଣା ଘଟି ଦୁଇ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହେବା ଘଟଣା ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଏଥର ପଣ୍ଡା ଇନଫ୍ରାକୁ ନିର୍ମାଣ କାର୍ଯ୍ୟରୁ ହଟାଯିବ। ବ୍ରିଜର ବଳକା କାମ ପୂର୍ତ୍ତ ବିଭାଗ ନିଜେ କିମ୍ବା ଅନ୍ୟ ଠିକାଦାରଙ୍କ ଦ୍ୱାରା କରିବ ବୋଲି ସରକାରୀସ୍ତରରେ ଯୋଜନା କରାଯାଇଛି।
ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଯନ୍ତ୍ରୀସ୍ତରୀୟ କମିଟିରେ ମୁଖ୍ୟଯନ୍ତ୍ରୀ(ପରିକଳ୍ପନା) ଦେବନାରାୟଣ ପାଲ ଅଧ୍ୟକ୍ଷ ଥିବା ବେଳେ ମୁଖ୍ୟଯନ୍ତ୍ରୀ(ରାସ୍ତା) ଓମ ପ୍ରକାଶ ପଟେଲ ଏବଂ ମୁଖ୍ୟଯନ୍ତ୍ରୀ(କାଠା ବାଡ଼ି) ସତ୍ୟରଞ୍ଜନ ସେଠୀ ସଦସ୍ୟ ଅଛନ୍ତି। ସେମାନେ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀଙ୍କୁ ନେଇ ଘଟଣାର ତଦନ୍ତ କରୁଛନ୍ତି। ଗତ ସେପ୍ଟେମ୍ବର ମାସରେ ବ୍ରିଜ ଭୁଶୁଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିବା ପରେ ପୂର୍ତ୍ତ ବିଭାଗ ନିର୍ମାଣକାରୀ ସଂସ୍ଥାକୁ କଳାତାଲିକାଭୁକ୍ତ କରିଥିଲା। ଏହିି କଳାତାଲିକାଭୁକ୍ତ ଠିକାଦାରଙ୍କୁ ବିଭାଗ ଅନୁକମ୍ପା ପ୍ରଦର୍ଶନ କରି ପୁନର୍ବାର କାର୍ଯ୍ୟ ଦେବା
ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏ ସମ୍ପର୍କରେ ଘଟଣାର ତଦନ୍ତ କରୁଥିବା ମୁଖ୍ୟଯନ୍ତ୍ରୀ ଓମ ପ୍ରକାଶ ପଟେଲ କହିଛନ୍ତି, କଳାତାଲିକାଭୁକ୍ତ ଠିକାଦାରଙ୍କୁ ନୂତନ କାର୍ଯ୍ୟ ଦେବାର ନିୟମ ନାହିଁ। ତେବେ ସେ କରୁଥିବା କାମ ସମ୍ପୂର୍ଣର୍ କରିବା ନେଇ ତାଙ୍କୁ ସୁଯୋଗ ଦେବାର ନିୟମ ଓପିଡ଼ବ୍ଲୁଡି କୋଡ୍‍ରେ ରହିଛି। ପୁରୁଣା କାମ ସାରିବାକୁ ତାଙ୍କୁ ସୁଯୋଗ ଦିଆଯିବ। ସେଥିରେ ସେ ତାଙ୍କର ଅସାମର୍ଥ୍ୟ ପ୍ରକାଶ କଲେ ତାଙ୍କୁ କାର୍ଯ୍ୟରୁ ଅନ୍ତର କରାଯିବ। ଦ୍ୱିତୀୟ ବାର ଦୁର୍ଘଟଣା ପରେ ନିର୍ମାଣକାରୀ ସଂସ୍ଥାର ଦାୟିତ୍ୱହୀନତା ସ୍ପଷ୍ଟ ହୋଇଛି। ତେଣୁ ତାଙ୍କୁ ଏହି କାର୍ଯ୍ୟରୁ ବାଦ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି।
କଳାତାଲିକାଭୁକ୍ତ ହେବା ପରେ ପୁରୁଣା କାମ କରିବା ସୁଯୋଗ ଦେଇନଥିଲେ ଚୁକ୍ତିନାମା ଅନୁଯାୟୀ ସେ ଅଦାଲତର ଆଶ୍ରୟ ନେଇ କାମ କରିବା ସୁଯୋଗ ପାଇଥାନ୍ତେ। ମକଦ୍ଦମା ଯୋଗୁଁ କାର୍ଯ୍ୟ ବନ୍ଦ ହେବା ସହ ବ୍ରିଜ ନିର୍ମାଣ ବିଳମ୍ବିତ ହେବାର ସମ୍ଭାବନା ମଧ୍ୟ ରହିଥିଲା। ନିୟମ ଅନୁଯାୟୀ କାମ କରିବା ସୁଯୋଗ ଦିଆଯାଇଥିଲା। ଏବେ ବଳକା କାମ କିଭଳି ହେବ ସେ ସମ୍ପର୍କରେ ଯୋଜନା କରାଯାଉଛି।
ବ୍ରିଜ କାର୍ଯ୍ୟ ଜୁନ ସୁଦ୍ଧା ସାରିବାକୁ ବିଭାଗ ଲକ୍ଷ୍ୟ ରଖିଥିଲା। ଏହି ସମୟ ସୀମା ମଧ୍ୟରେ ବାକି ଥିବା ୪କୋଟି ଟଙ୍କାର କାର୍ଯ୍ୟ ଶେଷ କରିବା ନେଇ ପଦକ୍ଷେପ ନିଆଯାଉଥିବା ଦାୟିତ୍ୱରେ ଥିବା ନିର୍ବାହୀଯନ୍ତ୍ରୀ ପ୍ରମୋଦକୁମାର ନାୟକ କହିଛନ୍ତି।

Leave A Reply