ସମାଜ ଡିଜିଟାଲ ଡେସ୍କ: ‘ପଞ୍ଚାୟତ ୪’ ସିରିଜ୍କୁ ଦର୍ଶକ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ତେବେ ପ୍ରଥମେ ଏହାର ମୁକ୍ତିଲାଭ ତାରିଖ ୨ ଜୁଲାଇ ସ୍ଥିର କରାଯାଇଥିଲା, କିନ୍ତୁ ଦର୍ଶକଙ୍କ ଅଧୈର୍ଯ୍ୟତାକୁ ଦେଖି ନିର୍ମାତାମାନେ ଏହାକୁ ସମୟ ପୂର୍ବରୁ ରିଲିଜ୍ କରିବାର ବ୍ୟବସ୍ଥା କରିଛନ୍ତି। ବୁଧବାର ସିରିଜ୍ର ନୂଆ ରିଲିଜ୍ ତାରିଖ ଘୋଷଣା କରାଯାଇଛି। ଏଥିସହ ଟ୍ରେଲର ମଧ୍ୟ ରିଲିଜ୍ କରାଯାଇଛି। ଟ୍ରେଲରରେ ଏଥର ଫୁଲେରା ଗାଁର ପ୍ରଧାନୀ ନିର୍ବାଚନର ଝଲକ୍ ଦେଖିବାକୁ ମିଳିଛି।
ଟ୍ରେଲରଟି ବେଶ୍ ଆକର୍ଷଣୀୟ। ଚତୁର୍ଥ ସିଜନରେ ଫୁଲେରା ଗାଁରେ ପ୍ରଧାନୀ ନିର୍ବାଚନ ହେଉଛି। ମଞ୍ଜୁ ଦେବୀ ଓ କ୍ରାନ୍ତି ଦେବୀ ମୁହାଁମୁହିଁ ହେଉଛନ୍ତି ଏବଂ କଡ଼ା ପ୍ରତିଯୋଗିତା ହେଉଛି। ସଚିବ ଜୀଙ୍କଠାରୁ ରିଙ୍କି ପର୍ଯ୍ୟନ୍ତ ସମସ୍ତେ ପ୍ରଚାରରେ ବ୍ୟସ୍ତ। ଏଥର ପ୍ରଚାର ସମୟରେ ସଚିବ ଜୀ(ଜିତେନ୍ଦ୍ର କୁମାର)ଙ୍କୁ ମାଡ଼ ମଧ୍ୟ ହେଉଛି। ଗ୍ରାମ ପଞ୍ଚାୟତ ନିର୍ବାଚନରେ ଭୋଟର ଏବଂ ପ୍ରାର୍ଥୀଙ୍କ ମନସ୍ତତ୍ତ୍ୱ ଏବଂ ଆଚରଣକୁ ଏହି ସିରିଜ୍ରେ ଦେଖାଇବାକୁ ଚେଷ୍ଟା କରାଯାଇଛି।
ଟ୍ରେଲରରେ ‘ପଞ୍ଚାୟତ’ ସିରିଜ୍ର ସମସ୍ତ ଲୋକପ୍ରିୟ ଚରିତ୍ର ପ୍ରହ୍ଲାଦ ଚା, ପ୍ରଧାନ ଜୀ, ମଞ୍ଜୁ ଦେବୀ, ସଚିବ ଜୀ, ବନରାକସ, ବିକାଶ, ରିଙ୍କି ଏବଂ ବିନୋଦଙ୍କ ଝଲକ୍ ଦେଖିବାକୁ ମିଳିଛି। ଏଥର ମଞ୍ଜୁ ଦେବୀ ଅଧିକ ଆକ୍ରମଣାତ୍ମକ ମନୋଭାବରେ ନଜର ଆସିଛନ୍ତି। ଗ୍ରାମାଞ୍ଚଳରେ ନିର୍ବାଚନ ପ୍ରଚାର କିପରି କରାଯାଏ ଏବଂ ଭୋଟରମାନଙ୍କ କିପରି ନିଜ ପକ୍ଷକୁ ଆକର୍ଷିତ କରାଯାଏ, ତାହା ମଧ୍ୟ ହାସ୍ୟରସପୂର୍ଣ୍ଣ ଢଙ୍ଗରେ ଦର୍ଶାଯାଇଛି।
ଏହି ସିଜନରେ ରିଙ୍କି ଏବଂ ସଚିବ ଜୀଙ୍କ ପ୍ରେମ କାହାଣୀ ମଧ୍ୟ ଆଗକୁ ବଢ଼ୁଛି। ଦର୍ଶକଙ୍କ ଉତ୍ସାହକୁ ଦେଖି ସିରିଜକୁ ସମୟ ପୂର୍ବରୁ ରିଲିଜ କରିବାକୁ ସ୍ଥିର କରାଯାଇଛି। ‘ପଞ୍ଚାୟତ ୪’ ଏବେ ଜୁଲାଇରେ ନୁହେଁ, ବରଂ ଜୁନ୍ରେ ମୁକ୍ତିଲାଭ କରିବାକୁ ଯାଉଛି। ଜୁନ୍ ୨୪ ତାରିଖରୁ ପ୍ରାଇମ୍ ଭିଡିଓରେ ଦେଖିପାରିବେ ‘ପଞ୍ଚାୟତ ୪’। ଗତ ତିନୋଟି ସିଜିନ୍ ଧରି ଏହି ସିରିଜ୍ ଦର୍ଶକଙ୍କର ଖୁବ୍ ମନୋରଞ୍ଜନ କରିଛି। ଏବେ ଦେଖାଯାଉ ଚତୁର୍ଥ ସିଜନ୍ରେ କାହାଣୀ କେଉଁଠି ପହଞ୍ଚୁଛି।



