ଆଜିଠାରୁ ଧବଳେଶ୍ବରଙ୍କ ପଞ୍ଚକ ଓ ବଡ଼ଓଷା ଯାତ୍ରା

ନୂଆପାଟଣାରୁ କଖଡ଼ି ପର୍ଯ୍ୟନ୍ତ ଭାରୀଯାନ ଚଳାଚଳ କଟକଣା, ୧୬ ପ୍ଲାଟୁନ୍‌ ଫୋର୍ସ ମୁତୟନ

ଗୁରୁଡ଼ିଝାଟିଆ : ପ୍ରସିଦ୍ଧ ଶୈବପୀଠ ପ୍ରଭୁ ଧବଳେଶ୍ବରଙ୍କ ବଡଓଷା ଏବଂ ପଞ୍ଚକ ଗୁରୁବାରଠାରୁ ଆରମ୍ଭ ହେଉଛି । ପଞ୍ଚକ ଅବସରରେ ପୀଠରେ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଭିଡ଼ ନିୟନ୍ତ୍ରଣ ସହିତ ଆଇନଶୃଙ୍ଖଳା ପାଇଁ ୧୬ପ୍ଲାଟୁନ ଫୋର୍ସ ମୁତୟନ ହେବେ। ଏଥିନେଇ ବୁଧବାର ଗ୍ରାମାଞ୍ଚଳ ପୁଲିସ ପକ୍ଷରୁ ଏକ ସମୀକ୍ଷା ବୈଠକ ଜିଲା ଆରକ୍ଷୀ ଅଧୀକ୍ଷକ ମିହିର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ନାଗରିକ, ଭିନ୍ନକ୍ଷମ ଓ ଅସୁସ୍ଥ ଶ୍ରଦ୍ଧାଳୁଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବାକୁ ଆରକ୍ଷୀ ଅଧୀକ୍ଷକ ଶ୍ରୀ ପଣ୍ଡା ଆହ୍ବାନ ଦେଇଛନ୍ତି। କଂକ୍ରିଟ ସେତୁ, ପ୍ରବେଶ ଓ ପ୍ରସ୍ଥାନ ପଥ, ଭୋଗ ମଣ୍ଡପ ସହିତ ପୀଠର ସବୁ ସ୍ଥାନରେ ୨୪ ଘଣ୍ଟିଆ ପୁଲିସ ମୁତୟନ ରହିବେ। ଭିଡ଼ ନିୟନ୍ତ୍ରଣ ନିମନ୍ତେ ଜଣେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ନେତୃତ୍ୱରେ ୨ଜଣ ଡିଏସ୍‌ପି ଓ ୨ଜଣ ଇନ୍ସପେକ୍ଟର ନିୟୋଜିତ ହୋଇଛନ୍ତି। ସେହିପରି ଭିଡ଼କୁ ଦୃଷ୍ଟିରେ ରଖି ଭାରୀଯାନ ଚଳାଚଳ ଉପରେ ଆସନ୍ତାକାଲିଠାରୁ କଟକଣା କରାଯାଇଛି।
ଆସନ୍ତାକାଲିଠାରୁ ୨୭ ତାରିଖ ପର୍ଯ୍ୟନ୍ତ ପୁରୁଣା କଟକ-ସମ୍ବଲପୁର ରାସ୍ତାର ନୂଆପାଟଣା ଠାରୁ କଖଡ଼ି ପର୍ଯ୍ୟନ୍ତ ରାସ୍ତାରେ ଟ୍ରାଫିକ୍‌‌ କଟକଣା ରହିଛି। ମଧୁସୂଦନ ସେତୁ ଠାରୁ ପାଇକରାପୁର ଦେଇ ଆଠଗଡ଼କୁ କୌଣସି ୪ ଚକିଆ କିମ୍ବା ଭାରୀଯାନ ଚଳାଚଳ କରିପାରିବେ ନାହିଁ। ଅନୁରୂପ ଭାବେ ଆଠଗଡ଼ ପାର୍ଶ୍ବରୁ କଖଡ଼ି ଦେଇ କଟକ ଯାଉଥିବା ୪ଚକିଆ ଓ ଭାରୀଯାନକୁ ବାରଣ କରାଯାଇଥିବା ବେଳେ ତାହା କଖଡ଼ି ଛକ ଠାରୁ ବ୍ରାହ୍ମଣବସ୍ତ ଦେଇ ୫୫ ନଂ ଜାତୀୟ ରାଜପଥରେ ବାହାରିବ।
ମନ୍ଦିର ଗର୍ଭଗୃହରେ ଶ୍ରଦ୍ଧାଳୁଙ୍କୁ ଅଧିକ ସମୟ ରହିବାକୁ ଦିଆଯିବ ନାର୍ହିଁ। କଂକ୍ରିଟ ସେତୁରେ ସେଲ୍‌ଫି ନେବା ବା ଏକତ୍ର ହୋଇ ଠିଆ ହେବାକୁ ବାରଣ କରାଯାଇଛି। ଦିବ୍ୟାଙ୍ଗଙ୍କ ନିମନ୍ତେ ପୀଠକୁ ବ୍ୟାଟେରିଚାଳିତ ଗାଡ଼ି ଚଳାଚଳ କରିବ। ମୋଟ ୧୬ ପ୍ଲାଟୁନ ଫୋର୍ସ, ୩ଜଣ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ୮ଜଣ ଡିଏସପି, ୧୬ଜଣ ଇନ୍ସପେକ୍ଟର, ୪୫ଜଣ ଏସଆଇ ଓ ଏଏସଆଇ, ୨୦୦ କନଷ୍ଟେବଳ ଓ ୩୦୦ ଗୃହରକ୍ଷୀଙ୍କୁ ମୁତୟନ କରାଯାଇଥିବା ଶ୍ରୀ ପଣ୍ଡା କହିଛନ୍ତି। ଆଠଗଡ଼ ଉପଜିଲାପାଳ ତଥା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ତରାଇ ଶ୍ରଦ୍ଧାଳୁଙ୍କୁ ଶୃଙ୍ଖଳାର ସହିତ ଧବଳେଶ୍ବରଙ୍କ ଦର୍ଶନ କରାଇ ଫେରାଇବା ଉପରେ ସେ ଗୁରୁତ୍ବାରୋପ କରିଥିଲେ। ୧୦ଜଣ ମାଜିଷ୍ଟ୍ରେଟଙ୍କୁ ନିୟୋଜିତ କରାଯାଇଛି ବୋଲି କହିଥିଲେ। ଆସନ୍ତାକାଲିଠାରୁ ପଞ୍ଚକ, ୨୫ ରେ ବଡ଼ଓଷା ,୨୬ରେ ଗଜଭୋଗ ବିତରଣ ଏବଂ ୨୭ରେ ରାସ ପୂର୍ଣ୍ଣିମା ଅନୁଷ୍ଠିତ ହେବ। ବୈଠକରେ ଜିଲା ଆରକ୍ଷୀ ଅଧୀକ୍ଷକ କୃଷ୍ଣ ପ୍ରସାଦ ପଟ୍ଟନାୟକ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଦେବଦତ୍ତ ବରାଳ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଏସ. କାଲୋ, ଡିଏସ୍‌ପି ଶାନ୍ତାନୂତନ ସାମଲ, ଚୌଦ୍ୱାର ଏସଡିପିଓ ଉମାକାନ୍ତ ନାୟକ, ସ୍ମୃତିରଞ୍ଜନ କର, ଶୁଭ୍ରାଂଶୁ ଶେଖର ପରିଡ଼ା, ଜ୍ଞାନ ରଞ୍ଜନ ମିଶ୍ର, ହେମନ୍ତ କୁମାର ରାଓ, ଅଶ୍ୱିନୀ କୁମାର ସାହୁ, ସନ୍ଧ୍ୟା ବେଉରିଆ, ନିହାର ରଞ୍ଜନ ପ୍ରଧାନ, ଗୁରୁଡ଼ିଝାଟିଆ ଥାନା ଅଧିକାରୀ ସୁମନ୍ତ କିସାନ, ଖୁଣ୍ଟୁଣୀ ଥାନା ଅଧିକାରୀ ଭବାନୀ ଶଙ୍କର ଖୁଣ୍ଟିଆ ପ୍ରମୁଖ ଯୋଗ ଦେଇଥିଲେ।

Comments are closed.