ହମାସ ଯୋଦ୍ଧାଙ୍କୁ ଆତଙ୍କବାଦୀ କହିଲେ ତରୁର୍
ପାଲେଷ୍ଟାଇନ ସପକ୍ଷବାଦୀ ଶୋଭାଯାତ୍ରା
ନୂଆଦିଲ୍ଲୀ : ଇସ୍ରାଏଲ ଓ ପାଲେଷ୍ଟାଇନ ସମର୍ଥିତ ହମାସ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ଯୁଦ୍ଧରେ ପାଲେଷ୍ଟାଇନ ସପକ୍ଷରେ ବାହାରିଛି ଇଣ୍ଡିଆ ୟୁନିୟନ ମୁସଲିମ୍ ଲିଗ (ଆଇୟୁଏମଏଲ୍)। ଯୁଦ୍ଧରେ ପାଲେଷ୍ଟାଇନ ପ୍ରତି ସମର୍ଥନ ଜଣାଇ ଗୁରୁବାର ଆଇୟୁଏମଏଲ୍ ପକ୍ଷରୁ କେରଳରେ ଏକ ଶୋଭାଯାତ୍ରା କରାଯାଇଥିଲା। କଂଗ୍ରେସ ନେତୃତ୍ବ କେରଳାର କୋଝିକୋଡ ୟୁନାଇଟେଡ୍ ଡେମୋକ୍ରାଟିକ ଫ୍ରଣ୍ଟ (ୟୁଡିଏଫ୍) ସରକାରରେ ଆଇୟୁଏମ୍ଏଲ୍ ଏକ ପ୍ରମୁଖ ଅଂଶୀଦାର। ତେଣୁ ଶୋଭାଯାତ୍ରାକୁ କଂଗ୍ରେସ ନେତା ଶଶୀ ତରୁର୍ଙ୍କୁ ନିମନ୍ତ୍ରଣ କରାଯାଇଥିଲା। ତେବେ ଶୋଭାଯାତ୍ରାରେ ଭାଷଣ ଦେବା ସମୟରେ ଶଶୀ ତରୁର ହମାସ ଯୋଦ୍ଧାଙ୍କୁ ଆତଙ୍କବାଦୀ ବୋଲି କହିଥିଲେ। ଏହାକୁ ନେଇ ବିବାଦ ଦେଖାଯାଇଛି। କାରଣ ହମାସ ଯୋଦ୍ଧାଙ୍କୁ ନିପାତ କରିବା ଲାଗି ଇସ୍ରାଏଲ ଗାଜା ଉପରେ ଚଳାଇଥିବା ଆକ୍ରମଣକୁ ନିନ୍ଦା କରିବା ଲାଗି ଆଇୟୁଏମ୍ଏଲ ଏହି ଶୋଭଯାତ୍ରା କରିଥିଲା। ମାତ୍ର ତରୁର୍ ତାଙ୍କ ଭାଷଣରେ ଇସ୍ରାଏଲକୁ ସମର୍ଥନ ଜଣାଇବା ସହିତ ହମାସ ସଂଗଠନ ପକ୍ଷରୁ ଅକ୍ଟୋବର ୭ରେ ହୋଇଥିବା ଆକ୍ରମଣକୁ ଆତଙ୍କବାଦୀ କାର୍ଯ୍ୟକଳାପ ବୋଲି ଦର୍ଶାଇଥିଲେ। ତରୁରଙ୍କ ଏପରି ମନ୍ତବ୍ୟକୁ ନେଇ ସିପିଆଇ(ଏମ୍) ନେତା ତଥା ପୂର୍ବତନ ବିଧାୟକ ଏମ୍ ସ୍ବରାଜ କହିଛନ୍ତି ଯେ କଂଗ୍ରେସ ସାଂସଦ ତରୁର୍ ଇସ୍ରାଏଲକୁ ଏକ ଆତଙ୍କବାଦୀ ରାଷ୍ଟ୍ର ଭାବେ ସ୍ବୀକାର କରିବାକୁ ନାରାଜ। ହମାସ ଆତଙ୍କବାଦୀଙ୍କ ଆକ୍ରମଣ ପ୍ରସଙ୍ଗରେ କଂଗ୍ରେସ ନିଜର ଆଭିମୁଖ୍ୟ ପରିବର୍ତ୍ତନ କରିଚାଲିଛି।
Comments are closed.