ମହିଳାଙ୍କୁ ଗଣବଳାତ୍କାର ଓ ହତ୍ୟା ଘଟଣା: ୬ ଅଟକ, ପୁଲିସର ତନାଘନା

ପାଳଲହଡା : ଢେଙ୍କାନାଳ ଜିଲା ପାଳଲହଡ଼ା ଥାନା ଅଞ୍ଚଳରେ ପାଶବିକତାର ସମସ୍ତ ସୀମା ସରହଦ ଟପି ଜଣେ ମହିଳାଙ୍କୁ ଗଣବଳାତ୍କାର ପରେ ବୀଭତ୍ସ ହତ୍ୟା ଘଟଣାକୁ ୪୮ ଘଣ୍ଟା ବିତିଛି। ଏହି ଅମାନବୀୟ ଘଟଣାରେ ବରିଷ୍ଠ ପୁଲିସ ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରି ତନାଘନା ଚଳାଇଛନ୍ତି। ସାଇଣ୍ଟିଫିକ ଦଳ ଓ ସନ୍ଧାନୀ କୁକୁର ଜରିଆରେ ତନାଘନା ଚାଲିଛି। ପୁଲିସ ମୋଟ ୬ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି। ପାଳଲହଡା ଥାନା ଅନ୍ତର୍ଗତ ଶିଗଡ଼ ପଞ୍ଚାୟତର ନନ୍ଦିନୀପାଲି ଗାଁରେ ଗତ ଗୁରୁବାର ସନ୍ଧ୍ୟାରେ ୩୨ ବର୍ଷୀୟ ବିବାହିତ ମହିଳାଙ୍କୁ ଗଣ ବଳାତ୍କାର ପରେ ହତ୍ୟା କରାଯାଇଥିଲା। ଏହି ଲୋମହର୍ଷକ ଘଟଣାରୁ ପରଦା ଉଠାଇବା ପାଇଁ ପୁଲିସ ଆପ୍ରାଣ ଉଦ୍ୟମ ଜାରି ରଖିଛି। ଅନୁଗୋଳ ଜିଲା ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ତଦନ୍ତକାରୀ ଅଧିକାରୀ ପାଳଲହଡା ଉପଖଣ୍ଡ ଆରକ୍ଷୀ ଅଧିକାରୀ କୈଳାସଚନ୍ଦ୍ର ସେଠୀ, ଥାନା ଅଧିକାରୀ ପ୍ରଦୀପ କୁମାର ମହାନ୍ତ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛନ୍ତି। ଶନିବାର ଅନୁଗୋଳ ଅତିରିକ୍ତ ଆରକ୍ଷୀ ଅଧିକାରୀ ଅନିଲ କୁମାର ବେଉରିଆଙ୍କ ନେତୃତ୍ୱରେ ପୁଲିସ ବାହିନୀ, ସାଇଣ୍ଟିଫିକ ଦଳ ଏବଂ ସନ୍ଧନୀ କୁକୁର ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ନମୁନା ସଂଗ୍ରହ କରିଛନ୍ତି। ବଳାତ୍କାର ଓ ହତ୍ୟାର ଶିକାର ହୋଇଥିବା ମହିଳା ରମ୍ଭା ନାୟକଙ୍କ ହତ୍ୟାକାରୀଙ୍କୁ କଠୋର ଦଣ୍ଡ ଦେବାକୁ ସ୍ବାମୀ, ଶାଶୂ, ଶ୍ବଶୂର ଓ ଗ୍ରାମବାସୀ ଦାବି କରିଛନ୍ତି। ଏହି ବୀଭତ୍ସ ଘଟଣା ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି। ପ୍ରାଥମିକ ତଦନ୍ତରୁ ମହିଳାଙ୍କ ଗୁପ୍ତାଙ୍ଗରେ ଗଭୀତ କ୍ଷତ ରହିଛି ଓ ଗର୍ତ୍ତାକାୟ ଓ ଅନ୍ତନଳୀ ବାହାରି ପଡ଼ିଥିବାରୁ ଏହା ବଳାତ୍କାର ଏବଂ ବୀଭତ୍ସ ହତ୍ୟା ବୋଲି ପୁଲିସ ଅନୁମାନ କରୁଛି । ଶୁକ୍ରବାର ସନ୍ଧ୍ୟାରେ ମୃତା ରମ୍ଭାଙ୍କ ସ୍ବାମୀ ଅଜୁ ନାୟକଙ୍କ ଏତଲା ଆଧାରରେ ଗ୍ରାମର ଅଜୟ ନାୟକ ଏବଂ ଗଉ ମହାକୁଳଙ୍କୁ ପୁଲିସ ଅଟକ ରଖି ପଚରାଉଚରା ଚଳାଇଥିଲା। ସେମାନଙ୍କ ତଥ୍ୟ ଆଧାରରେ ଗ୍ରାମର ଆଉ ୪ଜଣଙ୍କୁ ପୁଲିସ ଅଟକ ରଖି ଜେରା କରୁଛି। ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପାଲଲହଡା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି। ବଳାତ୍କାର ଏବଂ ହତ୍ୟାରେ ଦୁଇରୁ ଅଧିକ ଲୋକ ସଂଶ୍ଲିଷ୍ଟ ଥିବା ପୁଲିସ ଅନୁମାନ କରୁଛି। କେମିତି ଓ କାହିଁକି ଏଭଳି ଘଟଣା ଘଟିଲା ତାହାର ସମ୍ପୂର୍ଣ୍ଣ ଚିତ୍ର ଦିନେ ଦୁଇଦିନ ମଧ୍ୟରେ ସ୍ପଷ୍ଟ ହୋଇଯିବ ବୋଲି ପୁଲିସ କହିଛି। ଗୁରୁବାର ନନ୍ଦିନୀପାଲି ଗ୍ରାମର ରମ୍ଭା ନାୟକଙ୍କୁ ସେହି ଗ୍ରାମର ଅଜୟ ନାୟକ ଏବଂ ଗୋଉ ମହାକୁଳ ଘରୁ ଡ଼ାକି ନେଇଥିଲେ । ଦୀର୍ଘ ସମୟ ପର୍ଯ୍ୟନ୍ତ ରମ୍ଭା ଘରକୁ ଫେରି ନ ଥିଲେ ଏବଂ ଶୁକ୍ରବାର ସନ୍ଧ୍ୟାରେ ଗାଁ ନିକଟ ଅର୍ଦ୍ଧନିର୍ମିତ ଅଙ୍ଗନବାଡି ଘରୁ ରମ୍ଭା ଙ୍କ କ୍ଷତାକ୍ତ ମୃତଦେହ ଠାବ ହୋଇଥିଲା।

Comments are closed.