www.samajalive.in
Sunday, December 7, 2025
14.1 C
Bhubaneswar

ବଡ଼ ଚାଷୀଙ୍କ ମୁଣ୍ଡରେ ଚଡ଼କ, ଧାନ ବିକ୍ରି ପାଇଁ ମିଳୁନି ଟୋକନ

ପାଳଲହଡା : ଚଳିତ ଖରିଫ ଋତୁରେ ପାଳଲହଡ଼ା ବ୍ଳକର ପଞ୍ଜିକୃତ ଚାଷୀଙ୍କଠାରୁ ଧାନ କିଣା ଆରମ୍ଭ ହୋଇଥିବା ବେଳେ ଦଶ ଏକରରୁ ଊର୍ଦ୍ଧ୍ବ ଜମି ଥିବା ଚାଷୀଙ୍କ ମୁଣ୍ଡରେ ଏବେ ଚଡ଼କ ପଡିଛି। ସେମାନଙ୍କ ଟୋକନ ଏପର୍ଯ୍ୟନ୍ତ ମଞ୍ଜୁର ହୋଇ ନଥିବାରୁ ନିଜର ଧାନ ବିକ୍ରିକୁ ନେଇ ଆଶଙ୍କାରେ ପଡିଛନ୍ତି ଚାଷୀ। ଦଶ ଏକରରୁ ଅଧିକ ଜମି ପଞ୍ଜିକରଣ କରିଥିବା ଚାଷୀଙ୍କ ଭେରିଫିକେସନ ଚାଲିଛି ବୋଲି ସରକାରଙ୍କ ପକ୍ଷରୁ ୧୪ ଦିନ ତଳେ ଚାଷୀମାନଙ୍କୁ ମେସେଜ ଦିଆ ଯାଇଥିଲା। ପଞ୍ଜିକୃତ କରିଥିବା ଜମି ୧୦ ଏକରରୁ ଅଧିକ ଥିବାରୁ ଏହା ଜିଲା ପ୍ରଶାସନଙ୍କ ନିକଟକୁ ଯାଞ୍ଚ ପାଇଁ ଯାଇଛି। ଏହି ଯାଞ୍ଚ ସରିବା ପରେ ଖରିଫ ଧାନ ବିକ୍ରୟ ପାଇଁ ଟୋକେନ ମିଳିବ ବୋଲି ଚାଷୀଙ୍କୁ ମୋବାଇଲ ମେସେଜ ଜରିଆରେ ସୂଚନା ଦିଆ ଯାଇଥିଲା। ଆଜି ହେବ, କାଲି ହେବ ଭାବି ଯୋଗାଣ ବିଭାଗରୁ ସମବାୟ ସମିତିକୁ ଦୌଡ଼ି ଦୌଡ଼ି ଚାଷୀ ନୟାନ୍ତ ହୋଇ ସାରିଲାଣି। ହେଲେ ଦଶ ଏକରରୁ ଉର୍ଦ୍ଧ୍ବ ଜମି ପଞ୍ଜିକୃତ ହୋଇଥିବା ଚାଷୀଙ୍କ ଟୋକନ ସମସ୍ୟାର ସମାଧାନ ହୋଇ ପାରୁନି।

ପ୍ରତ୍ୟେକ ଚାଷୀଙ୍କର କେତେ ଚାଷ ଜମି, କେଉଁ କିସମର, କେଉଁ ମୌଜାରେ କେତେ ପରିମାଣର ଅଛି, ସେ ସବୁର ଟିକିନିକି ତଥ୍ୟ ଜିଲା ପ୍ରଶାସନ ଅଧୀନରେ ରହିଛି। ସମ୍ପୃକ୍ତ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟଠୁ ଆରମ୍ଭ କରି ତହସିଲ ଅଫିସ ପର୍ଯ୍ୟନ୍ତ ଯେଉଁଠି ବି ଚାହିଁଲେ ବର୍ତ୍ତମାନର କମ୍ପ୍ୟୁଟର ବ୍ୟବସ୍ଥାରେ ଗୋଟିଏ କ୍ଲିକରେ ଚାଷୀଙ୍କ ଜମିଜମା ତଥ୍ୟ ମିଳି ପାରିବ। କିନ୍ତୁ ପାଳଲହଡ଼ା ବ୍ଳକର ୧୦ ଏକରରୁ ଊର୍ଦ୍ଧ୍ବ ଜମି ପଞ୍ଜିକୃତ ହୋଇଥିବା ୪୦ ଜଣ ଚାଷୀଙ୍କ ଜମି ସଂକ୍ରାନ୍ତୀୟ ତଥ୍ୟ ଯାଞ୍ଚ କରିବା ପାଇଁ ଜିଲା ପ୍ରଶାସନକୁ ଏହାରି ଭିତରେ ଲାଗିଲାଣି ୧୪ ଦିନ। ଅନୁଗୋଳ ଜିଲା ପ୍ରଶାସନ କେଉଁ ଜ୍ଞାନ କୌଶଳ ବ୍ୟବହାର କରି ଆମ ଜମି ଯାଞ୍ଚ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଚାଷୀ।

- Advertisement -

ପାଳଲହଡା ବ୍ଳକରେ ୧୦ ଏକରରୁ ଅଧିକ ଜମି ପଞ୍ଜିକୃତ ହୋଇଥିବା ଚାଷୀଙ୍କ ସଂଖ୍ୟା ମାତ୍ର ୪୦ ଜଣ ବୋଲି ସୂଚନା ମିଳିଥିବା ବେଳେ ଏହି ଚାଷୀଙ୍କ ଜମି ଭେରିଫିକେସନ ପାଇଁ ଏତେ ଦିନ ଗଡେଇବାରେ କୌଣସି ଯଥାର୍ଥତା ନାହିଁ,ବରଂ ଚାଷୀଙ୍କୁ ହଇରାଣ କରିବାକୁ ପ୍ରଶାସନ ଚକ୍ରାନ୍ତ କରୁଛି ବୋଲି ଚାଷୀ ଅଭିଯୋଗ କରିଛନ୍ତି।ଖରିଫ ଧାନ ବିକ୍ରି ପାଇଁ ପାଳଲହଡ଼ା ବ୍ଳକରେ ଥିବା ୧୧ ଟି ସେବା ସମବାୟ ସମିତି ମାଧ୍ୟମରେ ଉପଖଣ୍ଡର ଚାଷୀମାନଙ୍କ ଠାରୁ ଖରିଫ ଧାନ କ୍ରୟ କରାଯିବା ପାଇଁ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଗତ ଡିସେମ୍ବର ୧୬ ରେ ଧାନ କିଣା ଶୁଭାରମ୍ଭ କରାଯାଇଥିଲା। ଧାନ କ୍ରୟ କେନ୍ଦ୍ରଗୁଡିକରେ ଧାର୍ଯ୍ୟ ଦିବସମାନଙ୍କରେ ସକାଳ ୮ରୁ ଅପରାହ୍ଣ ୨ଟା ମଧ୍ୟରେ ଧାନ ଗ୍ରହଣ କରାଯିବ ବୋଲି ବିଜ୍ଞାପନ ମାଧ୍ୟମରେ ଚାଷୀଙ୍କୁ ସୂଚନା ଦିଆଯାଇଥିଲା। ପାଳଲହଡା ବ୍ଳକର ଇଂଜିଡି ସେବା ସମବାୟ ସମିତିରେ ପ୍ରତିମାସର ସୋମବାର ଓ ମଙ୍ଗଳବାର, ଖମାର ସମିତିରେ ସୋମବାର ଓ ବୁଧବାର, ସଙ୍ଖମୁର ସମିତିରେ ପ୍ରତି ବୁଧବାର, ମୁଣ୍ଡୁରୀ ବେଡା ସମିତି ପାଇଁ ପ୍ରତି ସୋମବାର, ବଡ଼ସଡା ସମିତିରେ ଗୁରୁବାର ଓ ଶୁକ୍ରବାର, ଡିମିରିଆ ସମିତିରେ ଶୁକ୍ରବାର ଓ ଶନିବାର, ନିଜିଗଡ଼ ସମିତି ରେ ପ୍ରତି ସୋମବାର, ଗୁରୁବାର ଓ ଶନିବାର, ଚଷାଗୁରୁଜଙ୍ଗ ସମିତିରେ ପ୍ରତି ଶନିବାର, ସଇଡ଼ାରେ ଶୁକ୍ରବାର, ଝାରବେଡା ରେ ପ୍ରତି ବୁଧବାର, କୁଞ୍ଜାମ ସମିତି ରେ ପ୍ରତି ବୁଧବାର ରେ ଚାଷୀଙ୍କଠାରୁ ଧାନ କ୍ରୟ କରାଯାଉଛି।ସୂଚନାଯୋଗ୍ୟ ଯେ ପାଳଲହଡା ବ୍ଲକରେ ଚଳିତ ଖରିଫ ଋତୁ ପାଇଁ ୪୧୭୬ ଜଣ ଚାଷୀ ପଞ୍ଜିକୃତ ହୋଇଛନ୍ତି। ତା ମଧ୍ୟରୁ ଦଶ ଏକରରୁ ଊର୍ଦ୍ଧ୍ବ ଜମି ପଞ୍ଜିକୃତ ହୋଇଥିବା ଚାଷୀଙ୍କ ସଂଖ୍ୟା ମାତ୍ର ୪୦। ଗତବର୍ଷ ଖରିଫ ଋତୁରେ ପାଳଲହଡା ବ୍ଳକର ୧୧ ସମିତି ଜରିଆରେ ଏକ ଲକ୍ଷ କ୍ବିଣ୍ଟାଲରୁ ଉର୍ଦ୍ଧ୍ବ ଧାନ କିଣା ଯାଇଥିବା ନେଇ ସୂଚନା ମିଳିଛି। ଏବର୍ଷ ଚାଷ ସମୟରେ ଅନୁକୂଳ ବର୍ଷା, ପାଣିପାଗ ଯୋଗୁଁ ଅଞ୍ଚଳରେ ଧାନ ଅମଳ ବଢିଥିବା କୁହାଯାଉଛି। ଦେଢ଼ ମାସ ତଳୁ ଅମଳ ହୋଇ ସାରିଥିବା ଧାନ ମଣ୍ଡିରେ ବିକ୍ରି ହୋଇ ପାରୁ ନଥିବାରୁ ଘର ଦୁଆରେ, ଖଳାରେ ପଡି ନଷ୍ଟ ହେବା ଦେଖାଯାଉଛି। ଏହି ୪୦ ଜଣ ଚାଷୀଙ୍କ ଟୋକନ ସମସ୍ୟା ଦୂର କରିବା ପାଇଁ ଜିଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଚାଷୀଙ୍କ ପକ୍ଷରୁ ଦାବି ହେଉଛି। ୧୦ ଏକରରୁ ଉର୍ଦ୍ଧ୍ବ ଜମି ପଞ୍ଜିକୃତ କରିଥିବା ଚାଷୀଙ୍କ ଜମି ଯାଞ୍ଚ ପାଇଁ ରାଜସ୍ୱ ନିରୀକ୍ଷକମାନଙ୍କ ପାଖକୁ ଚିଠି ଆସିଥିଲା। ଆରଆଇମାନେ ସରଜମିନ ତଦନ୍ତ କରି ଚାଷୀମାନଙ୍କର ରିପୋର୍ଟ ଦେଇଛନ୍ତି। ପ୍ରକୃତରେ ଚାଷୀମାନେ ଦଶ ଏକରରୁ ଉର୍ଦ୍ଧ୍ବ ଏକରର ଚାଷ ଜମିରେ ଚାଷ କରିଛନ୍ତି ନା ନାହିଁ ସେ ନେଇ ସରକାରୀସ୍ତରରେ ଯାଞ୍ଚ କରା ଯାଉଥିଲା। ସବୁ ରିପୋର୍ଟ ଯାଇଛି। ଖୁବ ଶୀଘ୍ର ଚାଷୀମାନଙ୍କର ଟୋକନ ଆସି ଯିବ ବୋଲି ପାଳଲହଡା ଉପଜିଲାପାଳ ଅଜିତ କୁମାର ପ୍ରଧାନ କହିଛନ୍ତି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories