ସମାଜ ଡିଜିଟାଲ ଡେସ୍କ: ଭାରତୀୟ ପ୍ରତିରକ୍ଷା ପ୍ରତିଷ୍ଠାନଗୁଡ଼ିକର ଓ୍ବେବସାଇଟ ହ୍ୟାକ୍ କରିଛି ପାକିସ୍ତାନ ସାଇବର ଫୋର୍ସ। ସେନା ପକ୍ଷରୁ ସୋମବାର ଏହି ସୂଚନା ଦିଆଯାଇଛି। ‘ପାକିସ୍ତାନ ସାଇବର ଫୋର୍ସ’ ନାମରେ ପାକିସ୍ତାନୀ ହ୍ୟାକର୍ସ ଭାରତୀୟ ପ୍ରତିରକ୍ଷା ପ୍ରତିଷ୍ଠାନ ଯେପରି କି ମନୋହର ପାରିକର ଇନଷ୍ଟିଚ୍ୟୁଟ ଅଫ ଡିଫେନ୍ସ ଷ୍ଟଡିଜ ଆଣ୍ଡ ଆନାଲିସିସ, ମିଲିଟାରି ଇଞ୍ଜିନିୟର ସର୍ଭିସେସ ଭଳି ପ୍ରତିଷ୍ଠାନରୁ ତଥ୍ୟ ଚୋରି କରିଛନ୍ତି। କମର୍ଚାରୀଙ୍କ ତଥ୍ୟ ସାଙ୍ଗକୁ ଓ୍ବେବସାଇଟ୍ ଲଗ୍ ଇନ୍ ତଥ୍ୟ ଚୋରି ହୋଇଥିବା ସେନା ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ପ୍ରତିରକ୍ଷା ବିଭାଗର ଆର୍ମରଡ୍ ଭେଇକଲ ନିଗମ ଲିମିଟେଡ କମ୍ପାନୀକୁ ମଧ୍ୟ ଟାର୍ଗେଟ କରାଯାଇ ଏହାର ଓ୍ବେବସାଇଟରେ ପାକିସ୍ତାନର ଜାତୀୟ ପତାକା ଏବଂ ଅଲ୍ ଖଲିଦ ଟ୍ୟାଙ୍କର ଫଟୋ ସଂଯୁକ୍ତ କରାଯାଇଛି।
ପହଲଗାଓଁ ଆକ୍ରମଣକୁ ନେଇ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଏଭଳି ସାଇବର ଆକ୍ରମଣ ଭାରତ ପାଇଁ ଚିନ୍ତାର ବିଷୟ ହୋଇଛି। ତେବେ ପାକିସ୍ତାନର ଏଭଳି ଉଦ୍ୟମକୁ ରୋକିବା ଲାଗି ଭାରତ ପକ୍ଷରୁ ସାଇବର ନିରାପତ୍ତାକୁ ବୃଦ୍ଧି କରାଯାଇଛି। ସାଇବର ନିରାପତ୍ତା ବିଶେଷଜ୍ଞମାନଙ୍କୁ ହାଇଆଲର୍ଟ ଜାରି କରାଯାଇଛି।



