ଟି-୨୦ ବିଶ୍ବକପରେ ଆଉ ଏକ ବିପର୍ଯ୍ୟୟ, ପାକିସ୍ତାନକୁ ହରାଇଲା ଜିମ୍ବାୱେ
ପର୍ଥ : ଟି-୨୦ ବିଶ୍ବକପରେ ଆଉ ଏକ ବିପର୍ଯ୍ୟୟ। ପାକିସ୍ତାନକୁ ହରାଇଲା ଜିମ୍ବାୱେ। ଜିମ୍ବାୱେଠାରୁ ୧ ରନରେ ହାରିଲା ପାକିସ୍ତାନ। ୧୩୧କୁ ପିଛା କରି ପାକିସ୍ତାନ ୧୨୯/୮ରେ ସୀମିତ। ନିଜର ପ୍ରଥମ ମ୍ୟାଚରେ ପାକିସ୍ତାନ ଭାରତଠାରୁ ହାରିଯାଇଥିଲା। ଚଳିତ ବିଶ୍ବକପରେ ପାକିସ୍ତାନର ଲଗାତାର ଦ୍ବିତୀୟ ପରାଜୟ। ଲଗାତାର ୨ଟି ପରାଜୟ ପରେ ପାକିସ୍ତାନ ପାଇଁ ଆଗକୁ ବଢିବା କଷ୍ଟକର ହୋଇପଡ଼ିଛି।
ମ୍ୟାଚରେ ଜିମ୍ବାୱେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୩୦ ରନ କରିଥିଲା। ଦଳ ପକ୍ଷରୁ ସିନ ୱିଲିୟମସନ ସର୍ବାଧିକ ୩୧ରନ କରିଥିଲେ। ୧୩୧ରନର ଏକ ସହଜ ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ପାକିସ୍ତାନ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖିନ ହୋଇଥିଲା। ଦଳର ଦୁଇ ତାରକା ବ୍ୟାଟ୍ସମ୍ୟାନ ମହମ୍ମଦ ରିଜୱାନ ଓ ବାବର ଆଜମ ଯଥାକ୍ରମେ ୧୪ ଓ ୪ ରନ କରି ଆଉଟ ହୋଇଥିଲେ। ତେବେ ସାନ ମାସୁଦ ଲଢୁଆ ବ୍ୟାଟିଂ କରି ୪୪ ରନ କରିଥିଲେ। ମାତ୍ର ଦଳର ମଧ୍ୟଭାଗ ପୁଣି ବିଫଳ ହୋଇଥିଲେ। ମହମ୍ମଦ ନଓ୍ବାଜ (୨୨ ରନ )ଙ୍କ ବ୍ୟତିତ ଅନ୍ୟମାନେ ବିଫଳ ହୋଇଥିଲେ। ଫଳରେ ଦଳ ୨୦ ଓଭରରେ ୧୨୯ ରନ ହିଁ କରିପାରିଥିଲା।
Comments are closed.