ଶାରଜା : ଚଳିତ ଟ୍ବେଣ୍ଟି୨୦ ବିଶ୍ବକପ୍ର ସେମିଫାଇନାଲରେ ପ୍ରବେଶ କରି ସାରିଥିବା ପାକିସ୍ତାନ ଗ୍ରୁପ୍-୨େର ତା’ର ୫ଟିଯାକ ମ୍ୟାଚ୍ ଜିତିପାରିଛି। ରବିବାର ସ୍କଟ୍ଲାଣ୍ଡ ବିପକ୍ଷରେେ ସୁପର-୧୨ ମ୍ୟାଚ୍ରେ ପାକିସ୍ତାନ ୭୨ ରନ୍ରେ ବିଜୟୀ ହୋଇଛି। ଫଳରେ ୫ରୁ ୫ଟିଯାକ ମ୍ୟାଚ୍ ଜିତି ସର୍ବାଧିକ ୧୦ ପଏଣ୍ଟ ସହ ପାକିସ୍ତାନ ଗ୍ରୁପ୍-୨ ଶୀର୍ଷରେ ରହିଛି। ପ୍ରଥମେ ବ୍ୟାଟିଂକରି ପାକିସ୍ତାନ ୪ ୱିକେଟରେ ୧୮୯ ରନ୍ କରିଥିଲା। ବାବର ଆଜମ୍ ଓ ସୋଏବ୍ ମାଲିକ୍ଙ୍କ ଅର୍ଦ୍ଧଶତକ ବଳରେ ପାକିସ୍ତାନର ଏହି ବିଶାଳ ସ୍କୋର୍ ସମ୍ଭବ ହୋଇଥିଲା। ପରେ ରିଚି ବେରିଂଟନଙ୍କ ଅପରାଜିତ ଅର୍ଦ୍ଧଶତକ ସତ୍ତ୍ବେ ସ୍କଟ୍ଲାଣ୍ଡ ୬ ୱିକେଟ ହରାଇ ୧୧୭ ରନ୍ କରି ପାରିଥିଲା। ସ୍କଟ୍ଲାଣ୍ଡ ୫ଟିଯାକ ମ୍ୟାଚ୍ରେ ପରାସ୍ତ ହୋଇଛି। ଗ୍ରୁପ୍-୨ ଶୀର୍ଷରେ ଥିବା ପାକିସ୍ତାନ ଗୁରୁବାର ୨ୟ ସେମିଫାଇନାଲରେ ଅଷ୍ଟ୍ରେଲିଆର ମୁକାବିଲା କରିବ। ବୁଧବାର ପ୍ରଥମ ସେମିଫାଇନାଲରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ହେବ।
ସ୍କଟ୍ଲାଣ୍ଡ ପାଇଁ ୧୯୦ ରନ୍ ଲକ୍ଷ୍ୟ ଅପହଞ୍ଚ ମନେ ହେଉଥିଲା। ୨୩ ରନ୍ର ଓପ୍ନିଂ ଭାଗିଦାରୀ ପରେ ଅଧିନାୟକ କାଏଲ୍ କୋଏଜର ୯ ରନ୍କରି ବିଦାୟ ନେଇଥିଲେ। ମାଥ୍ୟୁ କ୍ରସ୍ ୫ ରନ୍ କରିଥିଲେ। ୪୧ ରନ୍ରେ ସ୍କଟ୍ଲାଣ୍ଡ ୪ଟି ୱିକେଟ ହରାଇବା ପରେ ରିଚି ବେରିଂଟନ ଓ ମାଇକେଲ ଲିସ୍କ ୪୬ ରନ୍ ଯୋଡ଼ିଥିଲେ। ଲିସ୍କ ୧୪ ରନ୍ କରିଥିଲେ। ବେରିଂଟନ ଅର୍ଦ୍ଧଶତକ ହାସଲ କରି ୩୭ ବଲ୍ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୫୪ ରନ୍ କରି ଅପରାଜିତ ରହିଥିଲେ। ସଦ୍ଦାବ ଖାଁ ୨ଟି ୱିକେଟ ନେଇଥିଲେ।
ଟସ୍ ଜିତି ପାକିସ୍ତାନ ବ୍ୟାଟିଂ କରିଥିଲା। ୬ ଓଭର ପାୱରପ୍ଲେରେ ପାକିସ୍ତାନ ୩୫ ରନ୍ କରିବା ପରେ ମହମ୍ମଦ ରିଜ୍ୱାନ ୧୫ ରନ୍କରି ଆଉଟ ହୋଇଥିଲେ। ଫଖର ଜମାନ୍ ୮ ରନ୍ କରିଥିଲେ। ପରେ ଅଧିନାୟକ ବାବର ଆଜମ୍ ଓ ଅଭିଜ୍ଞ ମହମ୍ମଦ ହଫିଜ୍ ୩ୟ ୱିକେଟ ପାଇଁ ୫୩ ରନ୍ ଯୋଡ଼ିଥିଲେ। ବିସ୍ଫୋରକ ବ୍ୟାଟିଂକରି ହଫିଜ୍ ୧୯ ବଲ୍ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୩୧ ରନ୍ କରିଥିଲେ। ୧୨ ଓଭରରେ ପାକିସ୍ତାନ ୭୫ ରନ୍ କରିଥିବା ବେଳେ ଶେଷ ୮ ଓଭରରେ ବିଧ୍ବଂସୀ ବ୍ୟାଟିଂକରି ୧୧୪ ରନ୍ ଯୋଗ କରିଥିଲା। ଏହା ସମ୍ଭବ ହୋଇଥିଲା ସୋଏବ୍ ମାଲିକ୍ଙ୍କ ଆକ୍ରମଣାତ୍ମକ ଇନିଂସ ଯୋଗୁଁ। ବାବର ଆଜମ୍ ଓ ମାଲିକ୍ ଦ୍ରୁତ ୩୦ ରନ୍ ଯୋଡ଼ିଥିଲେ। ଚଳିତ ବିଶ୍ବକପ୍ରେ ୫ମ ଇନିଂସରେ ୪ର୍ଥ ଅର୍ଦ୍ଧଶତକ ହାସଲ କରିଥିଲେ ଆଜମ୍। ସେ ୪୭ ବଲ୍ରୁ ୩ଟି ଛକା ଓ ୫ଟି ଚୌକା ସହ ୬୬ ରନ୍ କରିଥିଲେ। ମାଲିକ୍ ଇନିଂସର ଶେଷ ବଲ୍ରେ ଛକାମାରି ମାତ୍ର ୧୮ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ। ମାଲିକ୍ ୧୮ ବଲ୍ରୁ ୬ଟି ଛକା ଓ ଗୋଟିଏ ଚୌକା ସହ ୫୪ ରନ୍କରି ଅପରାଜିତ ଥିଲେ। କ୍ରିସ୍ ଗ୍ରିଭ୍ସ ୨ଟି ୱିକେଟ ନେଇଥିଲେ। ସୋଏବ୍ ମାଲିକ୍ ପ୍ଲେୟର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ।
ସମସ୍ତ ଲିଗ୍ ମ୍ୟାଚ୍ ଜିତି ଗ୍ରୁପ୍ ଶୀର୍ଷରେ ପାକିସ୍ତାନ
Popular Categories



