ପାକିସ୍ତାନ ସବୁଠାରୁ ବିପଜ୍ଜନକ ଦେଶ: ବାଇଡେନ୍‌

ୱାଶିଂଟନ: ପାକିସ୍ତାନକୁ ବିଶ୍ବର ସବୁଠାରୁ ବିପଜ୍ଜନକ ଦେଶ ଭାବେ ଅଭିହିତ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌। ଆମେରିକା ଡେମୋକ୍ରାଟିକ୍‌ ଦଳର ଏକ ବୈଠକ ହ୍ବାଇଟ୍‌ ହାଉସରେ ଅନୁଷ୍ଠିତ ହୋଇଥିଲା। ନିଜ ଉଦ୍‌ବୋଧନରେ ବାଇଡେନ୍‌ କହିଥିଲେ ପାକିସ୍ତାନ ଏକ ପରମାଣୁ ଶକ୍ତିସମ୍ପନ୍ନ ଦେଶ। ତେବେ ଏହି ଦେଶର ନେତାଙ୍କ ନିକଟରେ ପରମାଣୁ ଶକ୍ତିର ପରିଚାଳନା ପାଇଁ ଆବଶ୍ୟକ କ୍ଷମତା ଥିବା ପରି ଲାଗୁ ନାହିଁ। ପାକିସ୍ତାନ ଆଣବିକ କେନ୍ଦ୍ରର ସୁରକ୍ଷା ଓ ସୁପରିଚାଳନା ନେଇ ବିଶ୍ବବାସୀ ଚିନ୍ତିତ। ଏପରି ଅସ୍ପଷ୍ଟକର ପରିସ୍ଥିତି ଯୋଗୁଁ ପାକିସ୍ତାନ ବିଶ୍ବର ଅନ୍ୟତମ ବିପଜ୍ଜନକ ରାଷ୍ଟ୍ର ପାଲଟିଛି।

ପାକିସ୍ତାନରେ କ୍ଷମତା ଦଖଲ ପାଇଁ ବିଭିନ୍ନ ରାଜନୈତିକ ଦଳମାନଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଥିବା ବେଳେ ସେଠାକାର ପ୍ରଶାସନ କ୍ଷମତାସୀନ ଦଳ ନେତାଙ୍କ ନିୟନ୍ତ୍ରଣରେ ନ ଥିବା ନେଇ ଅନେକବାର ଅଭିଯୋଗ ହୋଇ ଆସୁଛି। ବିଶେଷ କରି ପାକିସ୍ତାନ ସେନା ଅନେକଥର ବଳପୂର୍ବକ ନିର୍ବାଚିତ ସରକାରଙ୍କୁ କ୍ଷମତାଚ୍ୟୁତ କରିଥିବାରୁ ବାଇଡେନ୍‌ଙ୍କ ଏହି ବୟାନ ବେଶ୍ ଗୁରୁତ୍ବପୂର୍ଣ୍ଣ ବୋଲି ଅନ୍ତର୍ଜାତୀୟ ମହଲରେ ମତପ୍ରକାଶ ପାଇଛି।

prayash

କିଛିଦିନ ତଳେ ଆମେରିକା ସରକାର ଏଫ୍‌-୧୬ ଯୁଦ୍ଧ ବିମାନର ଯନ୍ତ୍ରାଂଶ ଯୋଗାଇ ଦେବାକୁ ପାକିସ୍ତାନ ସରକାରଙ୍କ ସହ ୪୫୦ ନିୟୁତ ଡଲାର ଚୁକ୍ତି କରିଥିବା ବେଳେ ବାଇଡେନ୍‌ଙ୍କ ବୟାନକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଆମେରିକା ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଏହି ଚୁକ୍ତିକୁ ଭାରତ ତରଫରୁ ତୀବ୍ର ବିରୋଧ କରାଯାଇଥିଲା। ନିଜ ଉଦ୍‌ବୋଧନରେ ବାଇଡେନ୍‌ ଚୀନ୍‌ ଓ ଏହାର ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କ ସଂପର୍କରେ ମତ ଦେଇ କହିଥିଲେ ବିଭିନ୍ନ ପ୍ରସଙ୍ଗରେ କ’ଣ କରିବାକୁ ପଡ଼ିବ ତାହା ଜିନ୍‌ପିଙ୍ଗ ଭଲ ଭାବେ ଜାଣନ୍ତି। ତେବେ ଏଗୁଡ଼ିକୁ କାର୍ଯ୍ୟକାରୀ କରିବାକୁ ତାଙ୍କ ସମ୍ମୁଖରେ ନାନା ଆହ୍ବାନ ରହିଛି। ସେହି ଆହ୍ବାନଗୁଡ଼ିକୁ କିପରି ମୁକାବିଲା କରାଯିବ ତାହା ଜିନ୍‌ପିଙ୍ଗଙ୍କୁ ଜଣାନାହିଁ। ଏଥିସହ ଭାରତ, ପାକିସ୍ତାନ ଓ ରୁଷ୍‌ ସହ କିପରି ସମ୍ପର୍କ ରଖିବ ତାହାକୁ ନେଇ ଜିନ୍‌ପିଙ୍ଗ ଦ୍ବନ୍ଦ୍ବରେ ରହିଛନ୍ତି।

ସେହିପରି ରୁଷ ଓ ଏହାର ରାଷ୍ଟ୍ରପତି ପୁଟିନଙ୍କ ସଂପର୍କରେ ମତ ଦେଇ ବାଇଡେନ୍‌ କହିଥିଲେ ୟୁକ୍ରେନ୍‌ ଉପରେ ଆକ୍ରମଣ କରି ପୁଟିନ ନାଟୋକୁ ନିଜ ଶକ୍ତି ପ୍ରଦର୍ଶନ କରିବାକୁ ଚେଷ୍ଟା କରୁଛନ୍ତି। ବିଶେଷ କରି ନାଟୋଙ୍କୁ ଭାଙ୍ଗିବା ଲକ୍ଷ୍ୟରେ ପୁଟିନ ରହିଛନ୍ତି। ପୋଲାଣ୍ଡ, ହଙ୍ଗେରୀ, ସ୍ପେନ ଓ ଇଟାଲୀରେ ନାଟୋକୁ ନେଇ ଅବିଶ୍ବାସର ବାତାବରଣ ସୃଷ୍ଟି ହୋଇଛି। ପୁଟିନ ପରମାଣୁ ଅସ୍ତ୍ର ପ୍ରୟୋଗ ଧମକ ଦେବା ବାସ୍ତବିକ ଦୁର୍ଭାଗ୍ୟଜନକ। ପରମାଣୁ ଅସ୍ତ୍ର ପ୍ରୟୋଗର ଭୟାବହତା ବିଶ୍ବବାସୀ ଜାଣିଛନ୍ତି। ଯଦି ରୁଷ୍‌ ପରମାଣୁ ଅସ୍ତ୍ର ପ୍ରୟୋଗ କରେ ତେବେ ପରିସ୍ଥିତି ଖରାପ ହେବା ସ୍ବାଭାବିକ।

Comments are closed.