ପାକିସ୍ତାନରେ ବିସ୍ଫୋରଣ : ୪୪ ମୃତ, ୨୦୦ ଆହତ

ପେଶୱାର : ପାକିସ୍ତାନର ଦକ୍ଷିଣ-ପଶ୍ଚିମ ଖାଇବର ପଖତୁନଖୱା ପ୍ରଦେଶରେ ଏକ ଶୋଭାଯାତ୍ରାରେ ଆତ୍ମଘାତୀ ବିସ୍ଫୋରଣ ଘଟି ୪୪ଜଣଙ୍କର ମୃତ୍ୟୁ ହୋଇଛି। ରବିବାର ହୋଇଥିବା ଏହି ବିସ୍ଫୋରଣରେ ୨୦୦ ଆହତ ହୋଇଛି। ଅାହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି। ଜାମିଆତ ଉଲେମା-ଇ-ଇସଲାମ-ଫଜଲ (ଜୁଲ୍‌-ଏଫ୍‌) ନାମକ ଏକ ରାଜନୈତିକ ସଂଗଠନ ପକ୍ଷରୁ ବାଜୌରସ୍‌ ଖର ଠାରେ ଆୟୋଜିତ ଶୋଭାଯାତ୍ରାରେ ଏହି ବିସ୍ଫୋରଣ ହୋଇଛି। ଜୁଲ୍‌-ଏଫ୍‌ର ମୁଖ୍ୟ ମୌଲାନା ଫଜଲୁର ରେହମାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ସେହବାଜ ସରିଫ ଓ ପ୍ରଦେଶର କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ଆଜମ ଖାଁ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବା ଦରକାର। ଏହା ସହିତ ଆହତଙ୍କ ଚିକିତ୍ସା ନିମନ୍ତେ ଡାକ୍ତରଖାନା ଯାଇ ରକ୍ତଦାନ କରିବାକୁ ଫଜଲୁର ଦଳୀୟ କର୍ମୀଙ୍କୁ ନିବେଦନ କରିଛନ୍ତି। ଆହତଙ୍କୁ ଉନ୍ନତ ଚିକିତ୍ସା ଯୋଗାଇ ଦେବାକୁ ସେ ସରକାରଙ୍କୁ ନିବେଦନ କରିଛନ୍ତି। ଏହି ଘଟଣାକୁ ନେଇ କୌଣସି ପ୍ରକାର ହିଂସାକାଣ୍ଡ ନ ଘଟାଇବାକୁ ଫଜଲୁର ଦଳୀୟ କର୍ମୀଙ୍କୁ କହିଛନ୍ତି। ଏହି ବିସ୍ଫୋରଣ ପରେ ସ୍ଥାନୀୟ ଡାକ୍ତରଖାନାରେ ଜରୁରୀ ପରିସ୍ଥିତି ଜାରି କରାଯାଇଛି।
ବିସ୍ଫୋରଣରେ ଆହତ ଜଣେ ବ୍ୟକ୍ତି କହିଛନ୍ତି ଯେ ତାଙ୍କ ଗୋଡ ଓ ହାତରେ ତୀକ୍ଷ୍‌ଣ ବସ୍ତୁ ବାଜିଥିଲା। ଅପରାହ୍ଣ ପ୍ରାୟ ୪ଟା ବେଳେ ଏହି ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ପରେ ଚାରିଆଡ ଧୂଳି ଓ ଧୂଆଁମୟ ହୋଇଯାଇଥିଲା। ପରେ ଚାରିଆଡ ମଣିଷଙ୍କ ଖଣ୍ଡବିଖଣ୍ଡିତ ଅଂଶ ପଡିଥିବା ଦେଖିବାକୁ ମିଳିଥିଲା। ଏହି ବିସ୍ଫୋରଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରି ନାହାନ୍ତି। ତେବେ ଆଫଗାନିସ୍ତାନରେ ସକ୍ରିୟ ଥିବା ଇସ୍‌ଲାମିକ ଷ୍ଟେଟ୍ (ଆଇଏସ୍‌) ଆତଙ୍କବାଦୀ ସଂଗଠନ ପକ୍ଷରୁ ଏପରି ଆକ୍ରମଣର ଯୋଜନା କରାଯାଇଥିବା ଅନୁମାନ କରାଯାଇଛି। କାରଣ ଜୁଲ୍‌-ଏଫ୍‌ ହେଉଛି ଏକ ତାଲିବାନ ସମର୍ଥିତ ସଙ୍ଗଠନ। ଆଫଗାନିସ୍ତାନରେ ତାଲିବାନ ସଙ୍ଗଠନ କ୍ଷମତାକୁ ଆସିବା ପରେ ପାକିସ୍ତାନରେ ନିୟମିତ ବିସ୍ଫୋରଣ ଘଟି ଚାଲିଛି।
ଆଫଗାନିସ୍ତାନ ତାଲିବାନ ଓ ପାକିସ୍ତାନ ତାଲିବାନ ସଙ୍ଗଠନ ମଧ୍ୟରେ ମୁହଁାମୁହିଁ ପରିସ୍ଥିତି ଲାଗି ରହିଛି।
ପଖତୁନଖାୱା ପ୍ରାଦେଶିକ ରାଜ୍ୟପାଳ ହାଜି ଗୁଲାମ ଅଲି କହିଛନ୍ତି ଯେ ଦଳର ଜଣେ ବରିଷ୍ଠ ନେତା ଶୋଭାଯାତ୍ରାକୁ ସମ୍ବୋଧନ କରିବାକୁ ଥିଲା। ମାତ୍ର ଶୋଭାଯାତ୍ରାକୁ ସମ୍ବୋଧନ ପୂର୍ବରୁ ବିସ୍ଫୋରଣ ଘଟିଥିଲା। ପ୍ରଧାନମନ୍ତ୍ରୀ ସେହବାଜ ସରିଫ, ରାଷ୍ଟ୍ରପତି ଆରିଫ ଆଲଭି ଓ ଅନ୍ୟମାନେ ଏହି ଘଟଣାକୁ ନିନ୍ଦା କରିଛନ୍ତି।

Comments are closed.