ନୂଆଦିଲ୍ଲୀ: କେନ୍ଦ୍ର ସରକାର ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପରଠାରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭାରତ ବିରୋଧୀ ପଦକ୍ଷେପ ନେବାକୁ ବାରମ୍ବାର ଧମକ ଦେଇ ହିଂସା ସୃଷ୍ଟ କରିବାକୁ ଉଦ୍ୟମ ଚଳାଇଛନ୍ତି। ତଥାପି ଏତିକିରେ ତାଙ୍କର ବାଚାଳାମି ବନ୍ଦ ହୋଇନାହିଁ। ସେ ବର୍ତ୍ତମାନ ଅନ୍ତର୍ଜାତୀୟ ସ୍ତରର ଗଣମାଧ୍ୟମକୁ ପ୍ରଭାବିତ କରିବାକୁ ଉଦ୍ୟମ କରିଛନ୍ତି। ଇମ୍ରାନ ସରକାର ଭାରତ ବିରୋଧୀ ଖବର ପ୍ରକାଶ କରିବା ପାଇଁ ବିଦେଶୀ ସାମ୍ବାଦିକମାନଙ୍କୁ ଉସୁକାଇଲା ଭଳି ଘୃଣ୍ୟ କାର୍ଯ୍ୟ କରିଛି। ଏଥିପାଇଁ ପାକିସ୍ତାନ ୫୦ ଜଣ ବିଦେଶୀ ସାମ୍ବାଦିକଙ୍କୁ ପ୍ରବର୍ତ୍ତାଇବାକୁ ଉଦ୍ୟମ କରିଥିବା ସୂଚନା ମିଳିଛି। ଏହି ସାମ୍ବାଦିକମାନଙ୍କୁ ନିୟନ୍ତ୍ରଣ ରେଖା ନିକଟରେ ବୁଲାଯିବା ସହିତ କାଶ୍ମୀର ସ୍ଥିତି ସମ୍ପର୍କରେ ଭାରତ ବିରୋଧୀ ରିପୋର୍ଟ ପ୍ରକାଶ କରିବାକୁ କୁହାଯାଇଛି।
ସୂଚନାଯୋଗ୍ୟ, ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପାକିସ୍ତାନ ଆମେରିକା ଏବଂ ଜାତିସଂଘର ଦ୍ବାରସ୍ଥ ହୋଇଥିଲା। ସେଠାରୁ ନିରାଶ ହେବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ ମନ୍ତ୍ରୀମାନେ ଭାରତ ବିରୋଧୀ ମନ୍ତବ୍ୟ ଦେଇ ଆସୁଥିବାବେଳେ ବାରମ୍ବାର ଯୁଦ୍ଧ ଧମକ ଦେଉଛି। ଏପରି କି ସୀମାରେ ଯବାନ ଏବଂ ଯୁଦ୍ଧ ବିମାନ ଠୁଳ କରି ଭାରତକୁ ଭୟଭୀତ କରାଇବାକୁ ଉଦ୍ୟମ କରୁଛି।



