www.samajalive.in
Monday, December 15, 2025
27.1 C
Bhubaneswar

 ବଳକା ଧାନ କ୍ରୟ ସହ କୃ​‌ଷି ଆଇନ ପ୍ରତ୍ୟାହାର ଦାବି: କିସାନ କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭୁବନେଶ୍ୱର- କେନ୍ଦ୍ର ସରକାରଙ୍କ ପ୍ରଣୀତ ତିନୋଟି କଳା କୃଷି ଆଇନର ତୁରନ୍ତ ସମ୍ପୂର୍ଣ୍ଣ ପ୍ରତ୍ୟାହାର, ଏମଏସପିରେ ଆଇନଗତ ଗ୍ୟାରେଣ୍ଟି ପ୍ରଦାନ ଏବଂ ଚାଷୀଙ୍କ ସମସ୍ତ ବଳକା ଧାନ ଯୁଦ୍ଧକାଳୀନ ଭିତ୍ତିରେ କ୍ରୟ କରିବା ଦାବିରେ ଚଳିତ ମାସ ଗତ ୧୯ରୁ ୨୨ ତାରିଖ ମଧ୍ୟରେ ସୁବର୍ଣ୍ଣପୁର, ବଲାଙ୍ଗିର, ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ବିକ୍ଷୋଭରେ ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ଯୋଗଦେଇ କେନ୍ଦ୍ର ସରକାର ଅବିଳମ୍ବେ ନିଃସର୍ତ୍ତରେ ଦେଶର ଚାଷ ଓ ଚାଷୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ କଳା କୃଷି ଆଇନ ପ୍ରତ୍ୟାହାର କରିବା ସହ ସ୍ୱାମୀନାଥନ କମିଟି ସୁପାରିସ ଆଧାରରେ କୃଷି ଉତ୍ପାଦନ ଖର୍ଚ୍ଚର ଦେଢ଼ଗୁଣା ବୃଦ୍ଧି କରିବା, ଏମଏସପିରେ ଆଇନଗତ ଗ୍ୟାରେଣ୍ଟି ନ ଦେବା ପର୍ଯ୍ୟନ୍ତ କୃୃଷକମାନଙ୍କ ଆନ୍ଦୋଳନକୁ କଂଗ୍ରେସ ପୂର୍ଣ୍ଣ ସମର୍ଥନ ଜଣାଇ ପ୍ରତି ପଞ୍ଚାୟତ ଓ ଗ୍ରାମସ୍ତରରରୁ ଚାଷୀ ଆନ୍ଦୋଳନ ଦୁର୍ବାର ହେବ ବୋଲି ଶ୍ରୀ ପଟ୍ଟନାୟକ ସରକାରଙ୍କୁ ଚେତାବନୀ ଦେଇଥିଲେ।

- Advertisement -

ରାଜ୍ୟ ସରକାର ଚାଷୀଙ୍କଠାରୁ ସମସ୍ତ ବଳକା ଧାନ କ୍ରୟ କରିବା ପାଇଁ ଡିଣ୍ଡିମ ପିଟୁଥିବା ବେଳେ ଶହ ଶହ ମଣ୍ଡି ଓ ଖଳାରେ ହଜାର ହଜାର ବସ୍ତା ଧାନ ପଡ଼ିରହିଛି। ମିଲରମାନେ ଧାନ ଉଠାଉ ନାହାନ୍ତି। ମିଲର ମନମାନୀରେ ବସ୍ତା ପିଛା ୫ ରୁ ୭ କେଜି କଟନି ଛଟନି କରାଯାଉଛି। ଚାଷୀ ଧାନ ବିକିବା ପାଇଁ ଟୋକନ ପାଇଥିଲେ ମଧ୍ୟ ସରକାର ସେହି ଜିଲ୍ଲାକୁ ଧାନ କିଣିବା ପାଇଁ ଟାର୍ଗେଟ ଦେବା ବନ୍ଦ କଲେଣି। ଫଳରେ ଚାଷୀ ଗୁରୁତର ଆଶଙ୍କା ଓ ସଙ୍କଟରେ। ସରକାର କାଳ ବିଳମ୍ବ ନ କରି ଯୁଦ୍ଧକାଳୀନ ଭିତ୍ତିରେ ତୁରନ୍ତ ଚାଷୀଙ୍କଠାରୁ ଧାନ ନ ଉଠାଇଲେ କିସାନ କଂଗ୍ରେସ ପକ୍ଷରୁ ସବୁ ବ୍ଳକ ଓ ପଞ୍ଚାୟତସ୍ତରରେ ଚାଷୀ ଆନ୍ଦୋଳନ ଜାରି ରହିବ ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

ସୋନପୁରଠାରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଗୌରୀଶ୍ୟାମ ପଣ୍ଡା, କଂଗ୍ରେସ ନେତା ଜିତେନ ପଟ୍ଟନାୟକ, ଜିଲ୍ଲା କିଷାନ କଂଗ୍ରେସ ସଭାପତି ନରେନ୍ଦ୍ର ପଣ୍ଡା, ରାଜ୍ୟ ସମ୍ପାଦକ ସ୍ୱପ୍ନେଶ୍ୱର ପୃଷ୍ଟି, ସେହିପରି ବଲାଙ୍ଗିରଠାରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂହ ଭୋଇ, ଯୁବନେତା ତଥା ବଲାଙ୍ଗିରର କଂଗ୍ରେସର ସାଂସଦ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର, ଜିଲ୍ଲା ସଭାପତି ଦିଲ୍ଲୀପ କୁମାର ବେହେରା, ରମେଶ ପୁରୋହିତ, ଜିଲ୍ଲା କିଷାନ କଂଗ୍ରେସ ସଭାପତି ସାନନ୍ଦ ମିଶ୍ର, ନୂଆପଡ଼ାଠାରେ ଜିଲ୍ଲା କଂଗ୍ରେସ ସଭାପତି ଘାସିରାମ ମାଝି, ଜିଲ୍ଲା କିଷାନ କଂଗ୍ରେସ ସଭାପତି ହେମଦାସ ମାଣିକପୁରୀ, ସମ୍ପାଦକ ଚୈତରାମ ନାଏକ, ଉପାଧ୍ୟକ୍ଷ ହାଲା ସିଂ, ଦେବଦତ୍ତ ଦିକ୍ଷୀତ, ଜଗଦୀଶ ସାହୁ ପ୍ରମୁଖ ସମସ୍ତ ଜିଲ୍ଲା ଓ ବ୍ଳକ କିଷାନ କଂଗ୍ରେସ କର୍ମକର୍ତ୍ତା ଓ ଚାଷୀନେତାମାନେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ପ୍ରତି ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ରାଷ୍ଟ୍ରପତିଙ୍କ ନିକଟକୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଉପରୋକ୍ତ କାର୍ଯ୍ୟକ୍ରମ ପୂର୍ବରୁ ରାଜ୍ୟ କିଷାନ କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ଏକ ୧୦ ଜଣିଆ ପ୍ରତିନିଧି ଦଳରେ ଯାଇ ପଶ୍ଚିମ ଓଡ଼ିଶାର ୨୦ରୁ ଉଦ୍ଧ୍ୱ ଧାନମଣ୍ଡିଗୁଡ଼ିକୁ ଅନୁଧ୍ୟାନ କରିବା ସହିତ ଧାନ କିଣାବିକାରେ ଉପୁଜୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଚାଷୀଙ୍କଠାରୁ ପ୍ରତ୍ୟକ୍ଷ ଭାବେ ବୁଝିଥିଲେ ବୋଲି କିସାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ ସୂଚନା ଦେଇଛନ୍ତି ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories