ୟୁକ୍ରେନର ପଡ଼ୋଶୀ ରାଷ୍ଟ୍ରରୁ ଆଜି ଫେରିଲେ ୨୧୩୫, ଏପର୍ଯ୍ୟନ୍ତ ଫେରିଲେଣି ୧୫,୯୦୦ ଭାରତୀୟ

ଆସନ୍ତାକାଲି ଫେରିବେ ୧୫୦୦

ନୂଆଦିଲ୍ଲୀ :  ଅପରେସନ ଗଙ୍ଗା ଅଧୀନରେ ୟୁକ୍ରେନରେ ଫସି ରହିଥିବା ଭାରତୀୟମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ରବିବାର ୟୁକ୍ରେନର ପଡ଼ୋଶୀ ରାଷ୍ଟ୍ରମାନଙ୍କରୁ ୧୧ଟି ସ୍ବତନ୍ତ୍ର ବେସାମରିକ ବିମାନ ଜରିଆରେ ୨୧୩୫ ଜଣ ଭାରତୀୟଙ୍କୁ ସ୍ବଦେଶ ଫେରାଇ ଅଣାଯାଇଛି । ଏଥିସହିତ, ଏବେ ସୁଦ୍ଧା ୧୫ ହଜାର ୯୦୦ରୁ ଅଧିକ ଭାରତୀୟଙ୍କୁ ଉଦ୍ଧାର କରାଯାଇ ସାରିଛି । ଅପରେସନ ଗଙ୍ଗା ଅଧୀନରେ ୨୨ ଫେବୃଆରୀ ଠାରୁ ସ୍ବତନ୍ତ୍ର ବିମାନ ଯୋଗେ ଭାରତୀୟ ମାନଙ୍କୁ ଉଦ୍ଧାର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏବେ ସୁଦ୍ଧା ୬୬ଟି ସ୍ବତନ୍ତ୍ର ବେସାମରିକ ବିମାନ ଜରିଆରେ ୧୩ ହଜାର ୮୫୨ ଜଣ ଭାରତୀୟଙ୍କୁ ଫେରାଇ ଅଣାଯାଇଛି । ସେହିପରି ଏବେ ସୁଦ୍ଧା ଭାରତୀୟ ବାୟୁସେନାର ୧୦ଟି ବିମାନରେ ୨୦୫୬ ଜଣ ଯାତ୍ରୀ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଅପରେସନ ଗଙ୍ଗାର ଅଂଶବିଶେଷ ସ୍ବରୂପ ବାୟୁସେନାର ବିମାନ ୨୬ ଟନ୍ ରିଲିଫ ସାମଗ୍ରୀ ୟୁକ୍ରେନକୁ ପଠାଇଛି ।
ଆଜି ଫେରିଥିବା ସ୍ବତନ୍ତ୍ର ବେସାମରିକ ବିମାନ ମଧ୍ୟରୁ ୯ଟି ନୂଆଦିଲ୍ଲୀରେ ଏବଂ ୨ଟି ମୁମ୍ବାଇରେ ଅବତରଣ କରିଛି। ବୁଦାପେଷ୍ଟରୁ ୬ଟି, ବୁକାରେଷ୍ଟରୁ ୨ଟି, ରେସେଜୋରୁ ୨ ଏବଂ କୋସିଚେରୁ ଗୋଟିଏ ବିମାନ ଫେରିଛି।
ସୋମବାର ୮ଟି ବିମାନ ଭାରତରେ ପହଞ୍ଚିବ। ବୁଦାପେଷ୍ଟରୁ ୫ଟି, ସୁଚେଭାରୁ ୨ଟି ଏବଂ ବୁକାରେଷ୍ଟରୁ ଗୋଟିଏ ବିମାନରେ ୧୫୦୦ ଭାରତୀୟଙ୍କୁ ଫେରାଇ ଅଣାଯିବ।

Comments are closed.