ଓଟିଏମ୍ ଶ୍ରମିକମାନଙ୍କର ବିଜୟ ଶୋଭାଯାତ୍ରା
ଚୌଦ୍ୱାର : ଦୀର୍ଘ ୨୧ବର୍ଷ ପରେ ବନ୍ଦ ଓଟିଏମ୍ ମାମଲା ନ୍ୟାୟାଳୟରୁ ଯାଇ ସରକାରଙ୍କ ପରିସରଭୁକ୍ତ ହୋଇ ଥିବାରୁ ଓଟିଏମ୍ ଶ୍ରମିକ ଓ ସେମାନଙ୍କ ପରିବାରବର୍ଗଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ୨୦୦୧ ମସିହାରେ ଓଟିଏମ୍ ବନ୍ଦ ହେବା ପରଠାରୁ ଏହାର ପୁନରୁଦ୍ଧାର ଓ ଶ୍ରମିକ କର୍ମଚାରୀ ମାନଙ୍କ ବକେୟା ପ୍ରାପ୍ୟ ପ୍ରଦାନ ଦାବିରେ ଓଟିଏମ୍ ଗେଟ ସମ୍ମୁଖରେ ଧାରଣାରତ ଓଟିଏମ୍ ବଞ୍ଚାୟ ସଂଗଠନ ଓ ବିରାଟ ଜନ କଲ୍ୟାଣ ସମିତିର ସଦସ୍ୟ ଓ ଶ୍ରମିକମାନଙ୍କ ମଧ୍ୟରେ ବକେୟା ପ୍ରାପ୍ୟ ପାଇବାର ଆଶା ପୁଣି ସଞ୍ଚାର ହୋଇଛି । ଏହି ଉପଲକ୍ଷେ ଶହଶହ ସଂଖ୍ୟାରେ ଶ୍ରମିକ ଏବଂ ସେମାନଙ୍କ ପରିବାର ବର୍ଗ ତଥା ସ୍ଥାନୀୟ ବସିନ୍ଦା ଏକ ଶୋଭାଯାତ୍ରାରେ ମୁଖ୍ୟମନ୍ତ୍ରୀ ଜିନ୍ଦାବାଦ୍ ଧ୍ୱନୀ ଦେଇ ଚୌଦ୍ୱାର ଅଞ୍ଚଳ ପରିକ୍ରମା କରିଛନ୍ତି। ଏହା ସହିତ ବିରୂପା ନଦୀ କୂଳ ଓ ଓଟିଏମ୍ ବଜାର ସ୍ଥିତ ବିଜୁ ବାବୁଙ୍କ ପ୍ରତିମୁର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ମହାତ୍ମା ଗାନ୍ଧୀ, ଗୋପବନ୍ଧୁ, ମଧୁବାବୁ ଆଦି ମହାପୁରୁଷଙ୍କ ପ୍ରତିମୁର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଶ୍ରମିକ ନେତା ଦୀପକ କୁମାର ବାରିକଙ୍କ ପୌରୋହିତ୍ୟରେ ଓଟିଏମ୍ ଗେଟରେ ଏହି ଉପଲକ୍ଷେ ଆୟୋଜିତ ଏକ ସଭାରେ ସଂଗଠନର ବରିଷ୍ଠ ସଦସ୍ୟ ବିଭୁ ପ୍ରସାଦ ରଥ, ଦୁଲ୍ଲାଳସେନ ସ୍ୱାଇଁ, ନବ କିଶୋର ଭୁୟାଁ, ସରୋଜ ନାୟକ, ବିଜୟ କୁମାର ସାହୁ, ଜୟରାମ ମହାରଣା, ଜୟରାମ ଷଢ଼ଙ୍ଗୀ, ମହେଶ୍ୱର ଦଳାଇ ପ୍ରମୁଖ ଉଦବୋଧନ ଦେଇ ଶ୍ରମିକ ଓ କର୍ମଚାରୀଙ୍କ ବକେୟା ପ୍ରାପ୍ୟ ପ୍ରଦାନ ଏବଂ ଓଟିଏମର ପୁନରୁଦ୍ଧାର ଦାବିରେ ଦୀର୍ଘ ୧୭ ବର୍ଷ ଧରି ଚାଲିଥିବା ଶ୍ରମିକ ମାନଙ୍କ ଧାରଣା ଓ ଆନ୍ଦୋଳନ ଶେଷରେ ଫଳପ୍ରଦ ହୋଇଥିବା ପ୍ରକାଶ କରି ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ । ଚୌଦ୍ୱାରର ଭାତହାଣ୍ଡି କୁହାଯାଉଥିବା ଓଟିଏମର ପୁନରୁଦ୍ଧାର କିମ୍ବା ଓଟିଏମ୍ ଭିତ୍ତିଭୂମି ଉପରେ ବିକଳ୍ପ ବୟନ ଶିଳ୍ପ ପ୍ରତିଷ୍ଠା କରି ପ୍ରବାଦ ପୁରୁଷଙ୍କ ସ୍ମୃତିକୁ ଉଦ୍ଜିବୀତ କରି ରଖିବାପାଇଁ ସଭାପତି ଦୀପକ ବାରିକ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିଲେ। ପ୍ରରମ୍ଭରେ ଦିବଙ୍ଗତ ୭୩୦ଜଣ ଶ୍ରମିକ ଓ କର୍ମଚାରୀଙ୍କ ସ୍ମୃତିରେ ନିରବ ପ୍ରାର୍ଥନା କରାଯାଇଥିଲା। ହୃଷିକେଶ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।
Comments are closed.