କଟକ: ସ୍ବତନ୍ତ୍ର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ପ୍ରଶ୍ନପତ୍ର ପ୍ରଘଟ ଘଟଣା ଉପରୁ ପରଦା ହଟିଛି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ର ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କ ଲାପ୍ଟପରୁ ଜଣେ ଡାଟା ଏଣ୍ଟ୍ରି ଅପରେଟର ଏହି ପ୍ରଶ୍ନପତ୍ରକୁ ପ୍ରଘଟ କରିଥିବା ଜଣାପଡ଼ିଛି। କ୍ରାଇମ୍ବ୍ରାଞ୍ଚ ବୁଧବାର ସମ୍ପୃକ୍ତ ଡାଟା ଏଣ୍ଟ୍ରି ଅପରେଟର୍ ତଥା ମୁଖ୍ୟ ଅଭିଯୁକ୍ତ ଜିତନ ମହାରଣାଙ୍କ ସମେତ ୬ ଜଣକୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ରାୟଗଡ଼ାର ବିଜୟ କୁମାର ମିଶ୍ର(୫୩), କୋରାପୁଟର ସନାତନ ବିଶୋଇ(୫୧), କଟକ ବାଦାମବାଡ଼ି ଅଞ୍ଚଳର ରାମଜୀ ପ୍ରସାଦ ଗୁପ୍ତା(୫୧), ଗଞ୍ଜାମର ଅଜୟ କୁମାର ସାହୁ(୪୩) ଏବଂ ବାଲେଶ୍ବରର ଜୟନ୍ତ କୁମାର ରାଉତ(୪୪)। ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଘଟଣାରେ ବିପୁଳ ପରିମାଣରେ ଟଙ୍କା କାରବାର ହୋଇଥିବାବେଳେ ପ୍ରାଥମିକ ପର୍ଯ୍ୟାୟରେ ମୁଖ୍ୟ ଅଭିଯୁକ୍ତ ଜିତନଙ୍କ ପତ୍ନୀଙ୍କ ଆକାଉଣ୍ଟକୁ ଅଢେଇ ଲକ୍ଷ ଟଙ୍କା ଜମା ହୋଇଥିବା ଜଣାପଡ଼ିଛି। ଏଥିସହ ଅଭିଯୁକ୍ତଙ୍କ ମୋବାଇଲ, ପ୍ରଘଟ ପ୍ରଶ୍ନପତ୍ର ଏବଂ ବହୁ ବୈଦ୍ୟୁତିକ ଉପକରଣ ଜବତ ହୋଇଛି। ଜବତ ବୈଦ୍ୟୁତିକ ଉପକରଣରୁ ବହୁ ତଥ୍ୟକୁ କାଟି ଦିଆଯାଇଛି। ଏହାକୁ ଯାଞ୍ଚ ପାଇଁ ଫୋରେନ୍ସିକ ଲାବକୁ ପଠାଯାଇଛି। ଆଗକୁ ତଦନ୍ତ ପ୍ରକ୍ରିୟା ଜାରି ରହିବ ଏବଂ ଯିଏ ବି ସମ୍ପୃକ୍ତ ଥିବେ, ସେମାନଙ୍କୁ ଧରାଯିବ ବୋଲି କ୍ରାଇମ୍ବ୍ରାଞ୍ଚ ଡିିଜି ବିନୟତୋଷ ମିଶ୍ର ସୂଚନା ଦେଇଛନ୍ତି।
ଶିକ୍ଷକଙ୍କ ପଦୋନ୍ନତି ନିମନ୍ତେ ଓଟିଇଟି ଯୋଗ୍ୟତା ଥିବା ଜରୁରୀ। ଏଥିପାଇଁ ସମସ୍ତ କାର୍ଯ୍ୟରତ ଶିକ୍ଷକଙ୍କ ନିମନ୍ତେ ରାଜ୍ୟରେ ଗତ ଜୁଲାଇ ୨୦ରେ ସ୍ବତନ୍ତ୍ର ଓଟିଇଟି କରାଯିବାକୁ ସ୍ଥିର ହୋଇଥିଲା। ୧୯୩ କେନ୍ଦ୍ରରେ ପ୍ରାୟ ୭୫ହଜାର ଶିକ୍ଷକ ଉକ୍ତ ପରୀକ୍ଷା ଦେଇଥାନ୍ତେ; କିନ୍ତୁ ୧୯ ତାରିଖ ରାତି ପ୍ରାୟ ୧୦.୪୫ ମିନିଟ୍ ସମୟରେ ଏକ ହାତଲେଖା ପ୍ରଶ୍ନପତ୍ର ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଥିଲା। ଏହାକୁ ବୋର୍ଡ ଉପସଭାପତି ଶ୍ରୀ ମହାନ୍ତି ଦେଖିଥିଲେ ଏବଂ ବୋର୍ଡ ଦ୍ବାରା ପ୍ରସ୍ତୁତ କରାଯାଇଥିବା ପ୍ରଶ୍ନପତ୍ରର ପ୍ରଶ୍ନ ଉକ୍ତ ହାତଲେଖା ପ୍ରଶ୍ନ ସହ ମେଳ ଖାଉଥିବା ସେ ଜାଣିବାକୁ ପାଇଥିଲେ। ଯେଉଁଥି ପାଇଁ ବିଳମ୍ବିତ ରାତି ପ୍ରାୟ ୧୨.୪୦ ମିନିଟ୍ରେ ପରୀକ୍ଷାକୁ ସ୍ଥଗିତ କରାଯାଇଥିଲା। ପରଦିନ ପରୀକ୍ଷାର୍ଥୀମାନେ ଏବିଷୟରେ ଜାଣି ନପାରି ବିଭିନ୍ନ କେନ୍ଦ୍ରକୁ ଯାଇ ନିରାଶ ଓ ଖର୍ଚ୍ଚାନ୍ତ ହୋଇ ଫେରିଥିଲେ। ପ୍ରଶ୍ନପତ୍ର ପ୍ରଘଟ ନେଇ ବୋର୍ଡର ଏଷ୍ଟାବ୍ଲିଶମେଣ୍ଟ ଅଧିକାରୀ ବୁଲ୍ବୁଲ୍ ବେହେରା କ୍ରାଇମ୍ବ୍ରାଞ୍ଚରେ ଅଭିଯୋଗ କରିଥିଲେ। କ୍ରାଇମ୍ବ୍ରାଞ୍ଚର ଏକ ଟିମ୍ ବୋର୍ଡ କାର୍ଯ୍ୟାଳୟରେ ତନାଘନା ସହ ଅଧିକାରୀଙ୍କୁ ପଚରାଉଚୁରା କରିଥିଲା। ଏଭଳି କି କାହା ପାଖରେ ପ୍ରଶ୍ନପତ୍ର ନମୁନା ରହିଥିଲା ଏବଂ କେଉଁଠାରୁ ପ୍ରଘଟ ହେବାର ସମ୍ଭାବନା ରହିଛି ତାହାର ବିଭିନ୍ନ ଦିଗ ଉପରେ ତଦନ୍ତ ଚଳାଇଥିଲା। ପରେ ମୁଖ୍ୟ ଅଭିଯୁକ୍ତ ତଥା ବୋର୍ଡ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ଡାଟା ଏଣ୍ଟ୍ରି ଅପରେଟର ଜିତନ ଉପସଭାପତିଙ୍କ ଅନୁପସ୍ଥିତିରେ ତାଙ୍କ ଲାପଟପ୍ରୁ ପ୍ରଶ୍ନପତ୍ର ପ୍ରଘଟ କରିଥିବା ଜଣାପଡ଼ିଥିଲା। ଜିତନ ଉକ୍ତ ଲାପଟପ୍ରୁ ପ୍ରଶ୍ନପତ୍ରକୁ ପେନଡ୍ରାଇଭ ଦ୍ବାରା ନେଇ ପରେ ଏହାକୁ ରାୟଗଡ଼ା ଏକ୍ସ-କ୍ୟାଡର ଶିକ୍ଷକ ସଂଘର କାର୍ଯ୍ୟକାରୀ ସଭାପତି ବିଜୟ କୁମାର ମିଶ୍ର ଏବଂ କୋରାପୁଟ ଏକ୍ସ-କ୍ୟାଡର ଶିକ୍ଷକ ସଂଘର ସଭାପତି ସନାତନ ବିଶୋଇଙ୍କୁ ଦେଇଥିଲେ। ସେମାନେ ଏହାକୁ ଅନ୍ୟ ୩ଜଣ ଗିରଫ ଅଭିଯୁକ୍ତ ଦଲାଲ ରାମାଜୀ, ଜୟନ୍ତ ଏବଂ ଅଜୟଙ୍କୁ ବିକ୍ରି କରିଥିଲେ। ଏଥିପାଇଁ ପରୀକ୍ଷାରେ ଅସାଧୁ ଉପାୟରେ କୃତକାର୍ଯ୍ୟ ହେବାକୁ ଚାହୁଁଥିବା ଶିକ୍ଷକମାନେ ଅଭିଯୁକ୍ତଙ୍କୁ ଟଙ୍କା ଦେଇଥିବା ମଧ୍ୟ କ୍ରାଇମ୍ବ୍ରାଞ୍ଚ ସେମାନଙ୍କ ବ୍ୟାଙ୍କ ତଥ୍ୟରୁ ଜାଣିବାକୁ ପାଇଛି। ସେମାନଙ୍କୁ ଅଧିକ ପଚରାଉଚୁରା ପାଇଁ ରିମାଣ୍ଡରେ ଅଣାଯିବ ବୋଲି କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି। ଏହି ସାମ୍ବାଦିକ ସମ୍ମିଳନୀରେ କ୍ରାଇମବ୍ରାଞ୍ଚ ଡିଆଇଜି ବାତୁଳା ଗଙ୍ଗାଧର ଉପସ୍ଥିତ ଥିଲେ।



