www.samajalive.in
Sunday, December 14, 2025
19.1 C
Bhubaneswar

କ୍ଷତିପୂରଣ ଦେବାକୁ ରାଜ୍ୟ ସରକାର ଅମଙ୍ଗ

ନୂଆଦିଲ୍ଲୀ: ଅନୁଗୁଳ ଜିଲା ବଅଁରପାଳରେ ସାଇକଲ ପମ୍ପ ମାଧ୍ୟମରେ ବନ୍ଧ୍ୟାକରଣ ଅସ୍ତ୍ରୋପଚାର ଘଟଣାରେ ୧୪ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ରାଜ୍ୟ ସରକାର ଅମଙ୍ଗ ହୋଇଛନ୍ତି। ପୀଡ଼ିତ ୫୬ ଜଣ ମହିଳା କୌଣସି ଅଭିଯୋଗ କରିନଥିବାରୁ କ୍ଷତିପୂରଣ ରାଶି ପ୍ରଦାନ କରାଯାଇପାରିବ ନାହିଁ ବୋଲି ଜାତୀୟ ମାନବାଧିକାର ଆୟୋଗଙ୍କୁ ରାଜ୍ୟ ମୁଖ୍ୟ ସଚିବ ଜଣାଇଛନ୍ତି। ପୀଡ଼ିତ ମହିଳାଙ୍କୁ କ୍ଷତିପୂରଣ ବାବଦକୁ ପଚିଶ ହଜାର ଲେଖାଏଁ ଟଙ୍କା ପ୍ରଦାନ କରିବାକୁ ଏନଏଚଆରସିଙ୍କ ପୂର୍ବ ନିର୍ଦେଶ ପୁନଃ ବିଚାର କରିବାକୁ ରାଜ୍ୟ ମୁଖ୍ୟ ସଚିବ ଅନୁରୋଧ କରିଥିଲେ। ସମସ୍ତ ଘଟଣାକ୍ରମକୁ ଅମାନବୀୟ ଦର୍ଶାଇ ପୀଡ଼ିତଙ୍କୁ ଛଅ ସପ୍ତାହ ମଧ୍ୟରେ କ୍ଷତିପୂରଣ ଦିଆଯାଇ ଏନଏଚଆରସିଙ୍କୁ ଜଣାଇବା ପାଇଁ ରାଜ୍ୟ ମୁଖ୍ୟ ସଚିବଙ୍କୁ ଜାତୀୟ ମାନବାଧିକାର ଆୟୋଗ ପୁନଃନିର୍ଦେଶ ଜାରି କରିଛନ୍ତି।
ଗତ ୨୮ ନଭେମ୍ବର ୨୦୧୪ରେ ଅନୁଗୁଳ ଜିଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପରିବାର ନିୟନ୍ତଣ କାର୍ଯ୍ୟକ୍ରମ ଅନୁଯାୟୀ ବଅଁରପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୫୬ଜଣ ମହିଳାଙ୍କର ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରାଯାଇଥିଲା। ସେଥିରେ ଜିଲାର ୫୩ ଜଣ ଏବଂ ଅନ୍ୟ ଜିଲାର ତିନି ଜଣ ମହିଳାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ଅସ୍ତ୍ରୋପଚାର ବେଳେ ଆବଶ୍ୟକୀୟ ସର୍ଜିକାଲ ଯନ୍ତ୍ରପାତି ବ୍ୟବହାର କରାଯାଇନଥିଲା। ସାଧାରଣତଃ ଲାପରୋସ୍କୋପିକ ଅପରେସନ ବେଳେ ମହିଳାଙ୍କ ଗର୍ଭାଶୟରେ ଗ୍ୟାସଚାପ ବଜାୟ ରଖିବା ପାଇଁ ଇନ୍‍ସୁଫ୍ଲାଟର ବ୍ୟବହାର କରାଯାଏ। ବଅଁରପାଳ ବନ୍ଧ୍ୟାକରଣ ଶିବିରରେ ଇନ୍‍ସୁଫ୍ଲାଟର ପରିବର୍ତ୍ତେ ଉପସ୍ଥିତ ଡାକ୍ତରୀ ଦଳ ବାଇ-ସାଇକଲ ପମ୍ପ ବ୍ୟବହାର କରି କାମ ତୁଲାଇ ଦେଇଥିଲେ। ଡାକ୍ତରୀ ନିୟମାବଳୀର ଉଲ୍ଲଂଘନ କରି ବନ୍ଧ୍ୟାକରଣ ଯୋଜନାରେ ଗ୍ରାମାଞ୍ଚଳର ମହିଳାଙ୍କୁ ଅମାନବୀୟ ଢ଼ଙ୍ଗରେ ଅସ୍ତ୍ରୋପଚାର କରାଯାଉଛି ବୋଲି ମାନବାଧିକାର କର୍ମୀ ତଥା ଆଡ଼ଭୋକେଟ ରାଧାକାନ୍ତ ତ୍ରିପାଠୀଙ୍କ ଅଭିଯୋଗ ପରେ ଜାତୀୟ ମାନବାଧିକାର ଆୟୋଗ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଥିଲେ। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜବାବରେ ଦର୍ଶାଯାଇଥିଲା ଯେ ଅସ୍ତ୍ରୋପଚାର କରାଯାଇଥିବା ସମସ୍ତ ମହିଳା ଏବେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି, ସେମାନେ କୌଣସି ପ୍ରକାର ଯନ୍ତ୍ରଣା ଅନୁଭବ କରୁନାହାନ୍ତି। ଏପରିକି ଅସ୍ତ୍ରୋପଚାର ପରେ ସଂପୃକ୍ତ ମହିଳାମାନେ କୌଣସି ଅଭିଯୋଗ କରିନାହାନ୍ତି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ମହିଳାଙ୍କ ତରଫରୁ କୌଣସି ଅଭିଯୋଗ କରାନଯିବା ଆଳରେ ଇନସୁଫ୍ଲାଟର ପରିବର୍ତ୍ତେ ବାଇ-ସାଇକଲ ପମ୍ପ ବ୍ୟବହାର ଘଟଣାରେ ଦୋଷୀ ଡାକ୍ତରଙ୍କୁ ଖସାଇ ଦେବା ପାଇଁ ସରକାରୀ ସ୍ତରର ଉଦ୍ୟମକୁ ଅଭିଯୋଗକରି ଶ୍ରୀ ତିପାଠୀ ବିରୋଧ କରିଥିଲେ। ସମସ୍ତ ଘଟଣାକ୍ରମ ପାଇଁ ଜାତୀୟ ମାନବାଧିକାର ଆୟୋଗ ରାଜ୍ୟ ସରକାରଙ୍କୁ ଦାୟୀ କରି ୧୪ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦେଶ ଦେଇଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories