ଗୋପାଳପୁର: ଗୋଳନ୍ଥରା ଥାନା ଇଲାକାରେ ପୁଣିଥରେ ଆଉ ଜଣେ ଲୋଭର ବଶବର୍ତ୍ତୀ ହୋଇ ୪୭ ହଜାର ଟଙ୍କା ହରାଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି । ମାର୍କେଟ ଦର ଠାରୁ ୨ରୁ ୩ ଟଙ୍କା କମ୍ ଦରରେ ଡିଜେଲ ଦେବାକୁ କହି ଏପରି ଠକେଇ ହୋଇଥିବା ଜଣାପଡିଛି । ଅଭିଯୋଗ ଅନୁଯାୟୀ ଗୋଳନ୍ଥରା ପନ୍ଦରା ସାହିର ଅଶୋକ କୁମାର ପ୍ରଧାନଙ୍କ ମୋବାଇଲ ଫୋନ୍ କୁ ଗତ ୧୪ ତାରିଖ ଅପରାହ୍ନ ସାଢେ଼ ୪ ଟା ବେଳେ ଏକ କଲ ଆସିଥିଲା । ଫୋନ କରିଥିବା ଯୁବକ ଜଣକ ଅଶୋକ ତାଙ୍କ ଫାର୍ମ ଓ ଗାଡ଼ି ପାଇଁ ଡିଜେଲ ୨/୩ ଟଙ୍କା କମ୍ ଦରରେ ବିଲ୍ ସହ ଯୋଗାଇ ଦେବେ ବୋଲି କହି ଗୋଳନ୍ଥରା ଠାରେ ଥିବା ରିଲାଏନ୍ସ ପେଟ୍ରୋଲ ପମ୍ପକୁ ଆସିବାକୁ କହିଥିଲେ । ଏଥିରେ ଅଶୋକ ଆଗ୍ରହ ଦେଖାଇ ପେଟ୍ରୋଲ ପମ୍ପକୁ ଏକ ବେରେଲ ନେଇ ଯାଇଥିଲେ ।
ସେଠାରେ ପହଞ୍ଚିବା ପରେ ଫୋନ୍ ଯୋଗେ ଯୁବକ ଜଣକ ଡିଜେଲ ଭରିବାକୁ କହିବା ସହ ଫୋନ୍ ପେ ମାଧ୍ୟମରେ ୪୭ ହଜାର ଟଙ୍କା ପଠାଇବାକୁ କହିଥିଲେ । ସେ ଏହି ଟଙ୍କା ପମ୍ପ ମାଲିକ ଦେବେ ଯାହା ଫଳରେ ସେ ଡିଜେଲ ନେଇ ପାରିବେ ବୋଲି କହିଥିଲେ । ଏଥିରେ ଅଶୋକ ବିଶ୍ବାସ କରି ଫୋନ ପେ ରେ ୪୭ ହଜାର ଟଙ୍କା ଟ୍ରାନସଫର କରି ଦେଇଥିଲେ। ଅଶୋକ ସାଥିରେ ନେଇଥିବା ଜାର ରେ ଡିଜେଲ ଭରିବା ପରେ ପମ୍ପ କର୍ମଚାରୀ ଟଙ୍କା ମାଗିଥିଲେ । ଫଳରେ ଅଶୋକ ଯେଉଁ ମୋବାଇଲ କୁ ଟଙ୍କା ପଠାଇଥିଲେ, ତାକୁ କଲ କରିବା ବେଳେ ତାହା ସୁଇଚ ଅଫ ରହିଥିଲା । ଘଟଣା ନେଇ ପମ୍ପ କର୍ମଚାରୀଙ୍କୁ ଅବଗତ କରାଇଥିଲେ । କିନ୍ତୁ ପମ୍ପ କର୍ମଚାରୀ ଟଙ୍କା ଦେଲେ ଡିଜେଲ ନେଇ ପାରିବେ କହି ବେରେଲ ଦେଇ ନଥିଲେ । ଅଶୋକ ଠକାମୀ ର ଶିକାର ହୋଇଥିବା ଜାଣିପାରି ଗତ ୧୭ ତାରିଖରେ ଘଟଣା ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି।



