୩ ଦିନରେ ପିଆଜ ଦର ଦୁଇଗୁଣା ବୃଦ୍ଧି

ନାସିକରେ ଦର ଉଚ୍ଚା, ରାଜ୍ୟରେ ଉତ୍ପାଦନ ନାହିଁ, ପ୍ରୋତ୍ସାହନ ଅଭାବରୁ ପିଆଜ ଚାଷକୁ ମୁହଁ ମୋଡୁଛନ୍ତି ଚାଷୀ

ଭୁବନେଶ୍ବର : ବଜାରରେ ପିଆଜ ଦର ବୃଦ୍ଧି ପାଇବା ଯୋଗୁଁ ହାଣ୍ଡିଶାଳରୁ ପିଆଜ ଉଭାନ ହେବାରେ ଲାଗିଛି। ଯେଉଁଠି ଘରକୁ କିଲୋ ହିସାବରେ ପିଆଜ ଆସୁଥିଲା ବର୍ତ୍ତମାନ ଦର ଶୁଣି ଲୋକେ ଅଧକିଲୋ ଏବଂ ଅଢ଼େଇ ଶହ ଗ୍ରାମ୍‌ ଆଣିବାକୁ ବାଧ୍ୟ ହେଉଛନ୍ତି। ଓଡ଼ିଶାରେ ପିଆଜ ଉତ୍ପାଦନ ନଥିବାରୁ ନାସିକରୁ ପିଆଜ ଆମଦାନୀ କରାଯାଉଛି। ପୁଣି ନାସିକରେ ପିଆଜ ଦର ସାମାନ୍ୟ ଉଚ୍ଚା ରହିଥିବାରୁ ଏହାର ପ୍ରଭାବ ଓଡ଼ିଶା ବଜାର ଉପରେ ପଡ଼ିଥିବା କୁହାଯାଉଛି। ତିନିିଦିନ ତଳେ ପିଆଜ ଦର ୩୦ ଟଙ୍କା ଥିବାବେଳେ ଏବେ ତାହା ୬୦ଟଙ୍କାରେ ପହଞ୍ଚିଛି। ଅର୍ଥାତ ତିନିଦିନ ମଧ୍ୟରେ ପିଆଜ ଦର ଦୁଇଗୁଣା ବଢ଼ିଛି।
ବିଲାତି, ଆଳୁ ପରେ କନ୍ଦାଇବା ଆରମ୍ଭ କରିଛି ପିଆଜ। ମାସକ ଭିତରେ ଦର ଦୁଇଗୁଣା ବଢ଼ିଲାଣି। ଫଳରେ ଗୃହିଣୀଙ୍କୁ ପିଆଜ ଚିନ୍ତା ଘାରି ଥିବାବେଳେ ଏଣେ ରୋଷେଇ ଘରେ ପିଆଜ ଚଡ଼କ ପଡ଼ିଲାଣି। ପିଆଜ କିଲୋ ପିଛା ମାସେ ତଳେ ୨୦ଟଙ୍କା ଥିବାବେଳେ ଏବେ ତାହା ୫୦ଟଙ୍କାରେ ପହଞ୍ଚିଲାଣି। କିଛି ସ୍ଥାନରେ ବ୍ୟବସାୟୀ କିଲୋ ପିଛା ୬୦ଟଙ୍କାରେ ବିକ୍ରି କରୁଛନ୍ତି। କାର୍ତ୍ତିକ ମାସରେ ସାଧାରଣତଃ ସବୁ ପନିପରିବା ଦର ବଢ଼ିଥାଏ। ହେଲେ ଚଳିତ ବର୍ଷ ପିଆଜ ଦର ବୁଦ୍ଧି ପାଇବା ଉଭୟ ଗ୍ରାହକ ଏବଂ ଖୁଚୁରା ବେପାରୀଙ୍କ ମୁଣ୍ଡରେ ଚଡ଼କ ପକାଇଛି।
ଓଡ଼ିଶା ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି, ଓଡ଼ିଶା ବଜାରକୁ ଦୈନିକ ୧୫ ଶହ ଟନ୍‌ ହିସାବରେ ବାର୍ଷିକ ୫ରୁ ସାଢ଼େ ୫ ଲକ୍ଷ ଟନ୍‌ ପିଆଜ ଦରକାର। ସାରା ଦେଶରେ ବର୍ଷା ଯୋଗୁଁ ଫସଲ ଅମଳ ବାଧାପ୍ରାପ୍ତ ହୋଇଥିବାରୁ ଏହି ଦର ବୃଦ୍ଧି ହୋଇଛି। ଏଥିନିମନ୍ତେ ପ୍ରତିବର୍ଷ ଅଗଷ୍ଟରୁ ନଭେମ୍ବରରେ ପିଆଜ ଦର ବୃଦ୍ଧି ହୋଇଥାଏ। ମାତ୍ର ଏଥର ବିଳମ୍ବରେ ଦର ବଢ଼ିଥିବା ବେଳେ ଆସନ୍ତା ୮ରୁ ୧୦ ଦିନ ମଧ୍ୟରେ ଦର ନିୟନ୍ତ୍ରଣକୁ ଆସିବା ସମ୍ଭାବନା ରହିଛି। ମାତ୍ର ବେଳେବେଳେ ହେଉଥିବା ଅବାସ୍ତବ ଦର ବୃଦ୍ଧି ପଛରେ କର୍ପୋରେଟ ହାଉସଙ୍କ ହାତ ରହୁଛି। ବଜାରରେ ଦର ସାମାନ୍ୟ ବଢ଼ିଲେ କର୍ପୋରେଟ ହାଉସ ପକ୍ଷରୁ ବହୁ ପରିମାଣ ଜିନିଷ ଗଚ୍ଛିତ ରଖି କୃତ୍ରିମ ଅଭାବ ସୃଷ୍ଟି କରାଯାଉଛି। ସେମାନଙ୍କ ପାଖରେ ଏକ ସଙ୍ଗେ ବିପୁଳ ପରିମାଣର ଜିନିଷ ମହଜୁଦ ରଖିବାକୁ ଅର୍ଥବଳ ସହ ପର୍ଯ୍ୟାପ୍ତ ଜାଗା ମଧ୍ୟ ମହଜୁଦ ରହୁଛି। ଓଡ଼ିଶାରେ ଫେବୃଆରୀରୁ ମାର୍ଚ୍ଚରେ ପିଆଜ ଅମଳ ହୋଉଛି। ତାହା ପୁଣି ପଶ୍ଚିମ ଓଡ଼ିଶାରେ। ଅଗଷ୍ଟରୁ ନଭେମ୍ବର ମଧ୍ୟରେ ପିଆଜ ଦର ଉଚ୍ଚା ରହୁଥିବାରୁ ସରକାର ଏଥିପ୍ରତି ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି। ଚାଷୀଙ୍କୁ ପ୍ରୋତ୍ସାହନ ଦେଲେ ଓଡ଼ିଶା ମଧ୍ୟ ନାସିକ ପରି ବର୍ଷକୁ ୩ଥର ପିଆଜ ଉତ୍ପାଦନ କରିପାରିବ।
ସମ୍ପ୍ରତି ସର୍ବଭାରତୀୟସ୍ତରରେ ଖୁଚୁରା ପିଆଜ ଦର କିଲୋ ପିଛା ହାରାହାରି ୫୭ପ୍ରତିଶତ ବୃଦ୍ଧି ପାଇ ୪୭ଟଙ୍କାରେ ପହଞ୍ଚିଛି। ହାଣ୍ଡିଶାଳର ସବୁଠୁ ଦରକାରୀ ପିଆଜର ଅହେତୁକ ଦର ବୃଦ୍ଧିକୁ ନେଇ ଖାଉଟି ଏବେ ହନ୍ତସନ୍ତ ହେଉଛନ୍ତି। ଗ୍ରାହକଙ୍କୁ ଆଶ୍ୱସ୍ତି ଦେବା ପାଇଁ କେନ୍ଦ୍ର ସରକାର ଖୁଚୁରା ବଜାରରେ ପିଆଜ କିଲୋ ପିଛା ୨୫ ଟଙ୍କା ରିଆତି ଦରରେ ବିକ୍ରି ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଖାଉଟି ବ୍ୟାପାର ମନ୍ତ୍ରଣାଳୟର ତଥ୍ୟାନୁଯାୟୀ, ଶୁକ୍ରବାର ପିଆଜର ସର୍ବଭାରତୀୟ ହାରାହାରି ଖୁଚୁରା ମୂଲ୍ୟ କିଲୋ ପିଛା ୪୭ ଟଙ୍କାକୁ ବୃଦ୍ଧି ପାଇଛି, ଯାହା ପୂର୍ବ ବର୍ଷ ଏହି ସମୟ ମଧ୍ୟରେ କିଲୋ ପିଛା ୩୦ ଟଙ୍କା ଥିଲା। ଏନେଇ ଆଇଗିଣିଆ କୁବେରପୁରୀ ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ଶକ୍ତିକାନ୍ତ ମିଶ୍ର କହିଛନ୍ତି, ପିଆଜର ତିନିପ୍ରକାର ମାନ ରହିଛି। ପିଆଜ ମାନ ଅନୁସାରେ ଦର ଆସୁଛି। ଭଲ ପିଆଜ ଦର ନାସିକରେ ୪୫ଟଙ୍କା ଥିବାବେଳେ ଶୁକ୍ରବାର ୫୨ ଟଙ୍କାରେ ପହଞ୍ଚିଛି। ଆଇଗିଣିଆ ଗୋଦାମରେ ଭଲ ପିଆଜ କିଲୋଗ୍ରାମ୍‌ ୪୫ରୁ ୫୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ତା’ଠାରୁ କମ୍‌ ଗୁଣମାନ ପିଆଜ ଦର କିଲୋପିଛା ୫ରୁ ୧୦ ଟଙ୍କା କମ ରହୁଛି। ୨୦୧୦-୧୧ ମସିହା ବେଳକୁ ଭଞ୍ଜନଗର, ଫୁଲବାଣୀ, ଆଠଗଡ଼, କେନ୍ଦୁଝର ଆଦି ଅଞ୍ଚଳରେ ପିଆଜ ଚାଷ କରାଯାଉଥିଲା। ଯେଉଁ ପିଆଜ ଅମଳ ହେଉଥିଲା ତାହା ନାସିକ ପିଆଜଠାରୁ ଆହୁରି ଉନ୍ନତମାନର। ହେଲେ ଏବେ ଆଉ ଓଡ଼ିଶାରେ ପିଆଜ ଚାଷ କରାଯାଉ ନାହିଁ। ଏହାର ମୁଖ୍ୟ କାରଣ ହେଉଛି ଚାଷୀଙ୍କୁ ସରକାରୀ ପ୍ରୋତ୍ସାହନ ଅଭାବ। ଶୁକ୍ରବାର ୟୁନିଟ୍‌-୧ ହାଟରେ ପିଆଜ କିଲୋଗ୍ରାମ ୫୦ରୁ ୬୦ ଟଙ୍କାରେ ବିକ୍ରି ହେଉଥିବାବେଳେ ଗଳିକନ୍ଦି ଛୋଟକାଟିଆ ପରିବା ବେପାରୀ ପିଆଜ କିଲୋଗ୍ରାମ୍‌ ୬୦ରୁ ୬୫ ଟଙ୍କାରେ ବିକ୍ରି କରୁଥିବା ଜଣାପଡ଼ିଛି। ଦିଲ୍ଲୀରେ ଶୁକ୍ରବାର ପିଆଜର ଖୁଚୁରା ଦର କିଲୋପିଛା ୪୦ଟଙ୍କା ଥିବାବେଳେ ଗତବର୍ଷ ଏହି ସମୟରେ ଏହା ୩୦ଟଙ୍କା ଥିଲା। ଖାଉଟି ବ୍ୟାପାର ସଚିବ ରୋହିତ କୁମାର ସିଂହ ଗଣମାଧ୍ୟମକୁ କହିଛନ୍ତି ଯେ, ଅଗଷ୍ଟ ମଧ୍ୟଭାଗରୁ ଗଚ୍ଛିତ ଥିବା ପିଆଜ ବିକ୍ରି କରାଯାଉଛି। ଦର ବୃଦ୍ଧିକୁ ରୋକିବା ଏବଂ ଉପଭୋକ୍ତାଙ୍କୁ ଆଶ୍ୱସ୍ତି ଦେବା ପାଇଁ ଖୁଚୁରା ବିକ୍ରିକୁ ବଢ଼ାଉଛୁ। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଯେଉଁ ରାଜ୍ୟରେ ପିଆଜର ଦର ଦ୍ରୁତ ଗତିରେ ବୃଦ୍ଧି ପାଉଛି ସେଠାରେ ଉଭୟ ପାଇକାରୀ ଏବଂ ଖୁଚୁରା ବଜାରରେ ଆପାତକାଳୀନ ମହଜୁଦରୁ ପିଆଜ ବିକ୍ରି ପାଇଁ ପଠାଯାଉଛି। ଅଗଷ୍ଟ ମଧ୍ୟଭାଗରୁ ୨୨ଟି ରାଜ୍ୟରେ ପ୍ରାୟ ୧.୭ ଲକ୍ଷ ଟନ୍‌ ବଫର ପିଆଜ ବିଭିନ୍ନ ସ୍ଥାନରେ ବିକ୍ରି ହୋଇଛି। ଖୁଚୁରା ବଜାରରେ ଦୁଇଟି ସମବାୟ ସଂସ୍ଥା ଏନ୍‌ସିସିଏଫ ଓ ନାଫେଡ୍‌ ଆଉଟଲେଟ ଓ ଗାଡ଼ି ମାଧ୍ୟମରେ କିଲୋପିଛା ୨୫ ଟଙ୍କା ରିଆତି ଦରରେ ବଫର ପିଆଜ ବିକ୍ରି କରାଯାଉଛି।

Comments are closed.